କାଳିଆବେଡ଼ାରେ ପଡ଼ିଲେ ୧୧ ହାତୀପଲ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ବନାଞ୍ଚଳର ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ କାଳିଆବେଡା ଗ୍ରାମ ନିକଟସ୍ଥ ଉଇକାଲିପଟାସ ଜଙ୍ଗଲରେ ୧୧ଟି ହାତୀ ଡେରା ପକାଇଛନ୍ତି । ପିପିଳିଆ ଜଙ୍ଗଲରୁ ଆସିଥିବା ଏହି ହାତୀପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଦିନ ହୋଇଯିବାରୁ ଏହି ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଗତକାଲି ରାତିରେ ହାତୀପଲ ୭ା୮ଟି ପରିବାରର ଖରାଟିଆ ଧାନଚାଷ ଓ ପନିପରିବା କ୍ଷେତକୁ ଉଜାଡି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ପୁଲିସ ଓ କେନ୍ଦୁଝର ବନଖଣ୍ଡର ବନକର୍ମଚାରୀମାନେ ଜଙ୍ଗଲ ଚାରିପଟେ ହାତୀଙ୍କ ସୁରକ୍ଷା ପାଇଁ ପହରା ଦେଉଛନ୍ତି ।
ପିପିଳିଆ ପଟୁ ୩ଟି ଦନ୍ତା ଓ ୭ଟି ମାଈ ହାତୀ ସହିତ ଏକବର୍ଷର ଶାବକ ମୋଟ ୧୧ ଟି ହାତୀ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ କାଳିଆବେଡା ଗ୍ରାମର ଜନବସତି ପାଶ୍ୱର୍ରେ ଥିବା ଉଇକାଲି ପଟାସ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଶୁକ୍ରବାର ରାତିରେ ହଳଧରପୁର, ଚକ, ମଜୁରପଶି, ଯଯପଶି, କଜଳେଇପଶି ପ୍ରଭୃତି ଗାଁରେ ହାତୀପଲ ପାଦରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିବା ପରେ ସକାଳୁ ଲୋକେ ହାତୀପଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ବାରଖଣ୍ଡା ଗ୍ରାମର ଦୁଇଜଣ ଯୁବକ ହାତୀ ଉପରକୁ ନିଅାଁ ଓ ପଥର ଫିଙ୍ଗୁଥିବା ସୂଚନା ପାଇ ବନକର୍ମଚାରୀମାନେ ସେମାନଙ୍କୁ ଗିରଫ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନବିଭାଗ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଦିନସାରା ହାତୀପଲକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଏସିଏଫ୍ଓ ଘନଶ୍ୟମ ମହାନ୍ତଙ୍କ ନେତୃତ୍ୱରେ ୧୦୦ ଜଣ ହାତୀ ଘଉଡାଇବା ସ୍କ୍ୱାଡ୍ ଓ ବନକର୍ମଚାରୀ ହାତୀ ରହିଥିବା ଜଙ୍ଗଲକୁ ଘେରି ରହିଛନ୍ତି । ସନ୍ଧ୍ୟା ପରେ ବନକର୍ମଚାରୀମାନେ ହାତୀପଲଙ୍କୁ ଜଜପଶି ଜଙ୍ଗଲ ଅଭିମୁଖେ ଘଉଡାଇ ଦେଇଥିବା ଜଣାପଡିଛି । ଯିବା ସମୟରେ ଖାଡିଆଡିହା ଗାଁ ପଟର ଫସଲକୁ ମଧ୍ୟ ଦଳିମକଚି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ରବିବାର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ରେଞ୍ଜର ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons