ଭୁବନେଶ୍ୱର,(ବି.ବି.ବ୍ୟୁରୋ): ‘କାଳିଆ’ ଯୋଜନା ସମଗ୍ର ଦେଶରେ ଚାଷୀମାନଙ୍କ ପାଇଁ ଏକ ଅଭିନବ ଯୋଜନା । ଆମ ଯୋଜନାକୁ ଦେଖି ପଶ୍ଚିମବଙ୍ଗ ଓ ଆନ୍ଧ୍ର ସରକାର ମଧ୍ୟ ଚାଷୀମାନଙ୍କ ପାଇଁ ଯୋଜନା କଲେ । ଏପରିକି କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଆଣିଲେ । ସମଗ୍ର ଭାରତବର୍ଷରେ ‘କାଳିଆ’କୁ ସବୁସ୍ତରରୁ ବେଶ ପ୍ରଶଂସା ମିଳିଛି । ‘କାଳିଆ’ ଦେଶ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି । ରାଜ୍ୟରେ ହିତାଧିକାରୀ ଚୟନ ଏବେ ବି ଚାଲୁ ରହିଛି । ସରକାର କିଛି ଲୁଚାଇବାକୁ ଚାହୁଁନାହାନ୍ତି । ସହାୟତା ପାଇଥିବା ସମସ୍ତ ହିତାଧିକାରୀ ତାଲିକାକୁ ଅଗଷ୍ଟ ମାସରେ ସର୍ବସାଧାରଣ ଜାଣିବାକୁ ସରକାରୀ ୱେବ ପୋର୍ଟାଲ (ପବ୍ଲିକ ଡୋମେନ୍)ରେ ଅପଲୋଡ୍ କରାଯିବ । ବିଧାନସଭାରେ ମୁଲତବି ଆଲୋଚନାରେ ଏ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ।
ସେ ଜବାବ ରଖି କହିଲେ, ରାଜ୍ୟରେ ୬୦ ଭାଗ ଲୋକ ସେମାନଙ୍କ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ । ୨୦୧୮ ଡିସେମ୍ବର ୨୧ରେ କୃଷକ କଲ୍ୟାଣ ପାଇଁ ରାଜ୍ୟ କ୍ୟାବିନେଟ୍ ‘କାଳିଆ’ ଯୋଜନାକୁ ଅନୁମୋଦନ କରିଥିଲା । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏବଂ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଳକସ୍ତରୀୟ କମିଟି ଗଠନ କରାଯାଇଛି । ଏ ଯୋଜନା ଗତ ରବି ଋତୁରୁ ଆରମ୍ଭ କରାଯାଇ ଏଯାଏ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ଏଥିରେ ପ୍ରତି ଫସଲ ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ଏ ଅର୍ଥରେ ଚାଷୀ ବିହନ, ସାର, କୀଟନାଶକ ଔଷଧ ଆଦି କିଣୁଛି ।
ମନ୍ତ୍ରୀ ଡ. ସାହୁ କହିଲେ, ଗ୍ରାମାଞ୍ଚଳରେ ଭୂମିହୀନ କୃଷି ପରିବାରର ଆର୍ଥିକ ବୃଦ୍ଧି ନିମନ୍ତେ ଗୋପାଳନ, ଛେଳି ଚାଷ, ମେଣ୍ଢା ଚାଷ, କୁକୁଡା ଚାଷ ଆଦି ପାଇଁ ପ୍ରତି ଭୂମିହୀନ ପରିବାରକୁ ୧୨,୫୦୦ ଟଙ୍କାର ସହାୟତା ୩ଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ । ଏ କାର୍ଯ୍ୟକ୍ରମରେ ୨୫ ଲକ୍ଷ ପରିବାରକୁ ସାମିଲ କରିବାକୁ ଲକ୍ଷ୍ୟ ଥିଲା ବେଳେ ଏଯାଏ ୧୪ ଲକ୍ଷ ୭୦ ହଜାର ୫୮୦ ପରିବାରଙ୍କୁ ପ୍ରଥମ କିସ୍ତି ୫ ହଜାର ଟଙ୍କାର ସହାୟତା ଦିଆ ସରିଛି । ଏ ଯୋଜନାରେ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗର ଡିବିଟି ତାଲିକା, ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଚାଷୀ ତାଲିକା ପ୍ରାଥମିକ ସ୍ତରରେ ବ୍ୟବହାର କରାଯାଇଛି । ଆପତ୍ତି ଓ ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇଛି । ବିଭିନ୍ନ ସରକାରୀ ଉତ୍ସ ତାଲିକାକୁ ଅନୁଧ୍ୟାନ ଓ ତର୍ଜମା କରାଯାଇ ଏଯାଏ ୩୬ ଲକ୍ଷ ପରିବାରକୁ ସହାୟତା ମିଳିଛି । ଯୋଗ୍ୟ ହିତାଧିକାରୀ ପ୍ର୍ରକିୟା ଏବେ ବି ଚାଲୁ ରହିଛି । ଏହି ହିତାଧିକାରୀ ଚୟନ ଯେଭଳି ତ୍ରୁଟିଶୂନ୍ୟ ରହେ ସେଥିପ୍ରତି ସରକାର ପୁରା ଯତ୍ନବାନ ଅଛନ୍ତି । ଏପରିକି ଜଣେ ହେଲେ ଯୋଗ୍ୟ ଚାଷୀ ଯେଭଳି ଏ ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପାଇଁ ଆମେ ଗୁରୁତ୍ୱ ଦେଉଛୁ । ଆମର ବହୁ ଦିନ ପରେ ପିଏମ-କିଷାନ ଯୋଜନା କାର୍ଯ୍ୟକାରୀ ହେଲା । ତେଣୁ ଆମେ ତରବରିଆ କେମିତି ହେଲୁ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । କୃଷକ ଜାତି ପାଇଁ ‘କାଳିଆ’ ଯୋଜନା ଆଶୀର୍ବାଦ ବୋଲି ଡ.ସାହୁ କହିଥିଲେ ।
Comments are closed, but trackbacks and pingbacks are open.