
ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କାଳିଆ ଯୋଜନାର ବୈଧତାକୁ ଏବେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି । ଏହାକୁ ଅସାମ୍ବିଧାନିକ ଏବଂ ବେଆଇନ ଘୋଷଣା କରିବାକୁ ଦାବି କରାଯାଇଛି । କେବଳ ଓଡ଼ିଶାର କାଳିଆ ଯୋଜନା ନୁହେଁ, ତା’ ସହିତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ସରକାରଙ୍କ କେତେକ ଯୋଜନାକୁ ବି ସର୍ବୋଚ୍ଚ ଅଦାଲତରେ ଚାଲେଞ୍ଜ କରାଯାଇଛି । ଏମିତିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଣୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ବୈଧତାକୁ ବି କୋର୍ଟରେ ଚାଲେଞ୍ଜ କରାଯାଇଛି ।
ଏଗୁଡ଼ିକୁ ବେଆଇନ ଦର୍ଶାଇବା ସହିତ ଏଭଳି ଯୋଜନା ଅଧୀନରେ ଟଙ୍କା ବଣ୍ଟାଯିବାକୁ ଏକ ପ୍ରକାର ଲାଞ୍ଚ ଭାବେ ବିବେଚନା କରାଯିବାକୁ ଦାବି କରାଯାଇଛି । ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ସମେତ ୬ଟି ରାଜ୍ୟକୁ ନୋଟିସ ଜାରି କରିଛନ୍ତି ।
ଆନ୍ଧ୍ରପ୍ରଦେଶର ଜନସେନା ପାର୍ଟି ନେତା ଡକ୍ଟର ପେଣ୍ଟାପତି ପୁଲା ରାଓ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ସେ ନିଜ ଆବେଦନରେ ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ପରେ ବିଭିନ୍ନ ଶ୍ରେଣୀର ଭୋଟରମାନଙ୍କୁ ବିଭିନ୍ନ ଯୋଜନା ବାହାନାରେ ଟଙ୍କା ବଣ୍ଟାଯିବାକୁ ଏକ ପ୍ରକାର ଲାଞ୍ଚ ଭାବେ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।
ଏହି ଆବେଦନରେ ଅଭିଯୋଗ କରାଯାଇଛି କି ନିର୍ବାଚନର କିଛି ମାସ ପୂର୍ବରୁ କିମ୍ବା ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରେ ବି ଶାସନ କ୍ଷମତାରେ ଥିବା କେତେକ ଦଳ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ତା’ଅଧୀନରେ ଭୋଟରମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଉଛନ୍ତି । ଏହାଯୋଗୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଦ୍ଦେଶ୍ୟରେ ସବୁ ପକ୍ଷଙ୍କୁ ସମାନ ସୁଯୋଗ ଦେବା ପାଇଁ ସମ୍ବିଧାନର ଧାରା ୧୪ ଏବଂ ୨୧ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ ହେଉଛି । ସେହିପରି କେବଳ ବିରୋଧୀ ଦଳଗୁଡ଼ିକୁ ମାତ୍ ଦେବା ଉଦ୍ଦେଶ୍ୟରେ କ୍ଷମତାସୀନ ଦଳଗୁଡ଼ିକ ଦ୍ୱାରା ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତିକୁ ବି ଅଣଦେଖା କରାଯାଉଛି । ତା’ଛଡ଼ା ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ବିଭିନ୍ନ ସାମଗ୍ରୀ ମାଗଣାରେ ବଣ୍ଟାଯିବାକୁ ରୋକିବା ପାଇଁ ଦିଶାନିର୍ଦ୍ଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ୨୦୧୩ ମସିହାରେ ନିର୍ବାଚନ ଆୟୋଗଙ୍କୁ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ, ତାହାକୁ ପାଳନ କରିବାରେ କମିଶନ ବିଫଳ ହୋଇଥିବାର ଅଭିଯୋଗ କରାଯାଇଛି । ଯେହେତୁ ଉଭୟ ନିର୍ବାଚନ କମିଶନ ଏବଂ ଭାରତ ସରକାର ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି, ତେଣୁ ଏବେ ଏଥିରେ ଅଦାଲତ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ନିବେଦନ କରିଛନ୍ତି ।
ଆବେଦନରେ ତେଲଙ୍ଗାନାରେ ଟିଆରଏସ ସରକାରଙ୍କ ଦ୍ୱାରା ୨୦୧୮ରେ ପ୍ରଚଳିତ ରୟତୁ ବନ୍ଧୁ ଯୋଜନାର ଦୃଷ୍ଟାନ୍ତ ଦେଇ କୁହାଯାଇଛି କି ଟିଆରଏସ ସରକାର ବିଧାନସଭା ଭଙ୍ଗ କରିବାର ଠିକ୍ ପୂର୍ବରୁ ଏହି ଯୋଜନାକୁ ଲାଗୁ କରି ପ୍ରଥମ ପର୍ଯ୍ୟାୟରେ ଅର୍ଥ ପ୍ରଦାନ କରିଥିଲେ । ମତଦାନର ମାତ୍ର କେଇ ଦିନ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଟଙ୍କା ପ୍ରଦାନ କରାଯାଇଥିଲା । ବିରୋଧୀ ଦଳଗୁଡ଼ିକର ଆପତ୍ତି ସତ୍ତେ୍ୱ ନିର୍ବାଚନ କମିଶନ ଏହାକୁ ରୋକିଲେ ନାହିଁ । ଫଳରେ ଟିଆରଏସ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କଲା । ସେହିପରି ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର ମଧ୍ୟ ଏଇଭଳି କେତେକ ଯୋଜନା ପ୍ରଣୟନ କରିଥିଲେ ।
ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରିବାକୁ ଘୋଷଣା କରାଗଲା । ଏହା ଅଧୀନରେ ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ୨,୦୦୦ ଟଙ୍କା ପ୍ରଦାନ କରାଗଲା ଏବଂ ଏପ୍ରିଲ ମାସରେ ପୁଣି୨,୦୦୦ ଟଙ୍କା ଦିଆଯିବାକୁ ପ୍ରତିଶ୍ରୁତି ଦିଆଗଲା । ଏହି ଯୋଜନାରେ ସମୁଦାୟ ୧୨.୫ କୋଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରପ୍ରଦେଶରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ୯୪ ଲକ୍ଷ ସଦସ୍ୟଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ସମୟରେ ପାଶୁପୁ କୁମକୁମା ଯୋଜନା ଆରମ୍ଭ କରାଗଲା ଏବଂ ଏଥିପାଇଁ ୯,୪୦୦ କୋଟି ଟଙ୍କାର ଅନୁଦାନ ଦିଆଗଲା । ଏହି ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ନିର୍ବାଚନ ତାରିଖ ଘୋଷଣାର ହେବାର ଦୁଇ ଦିନ ପୂର୍ବରୁ ଏବଂ ତୃତୀୟ କିସ୍ତି ମତଦାନର ଠିକ୍ ୬ ଦିନ ପୂର୍ବରୁ ପ୍ରଦାନ କରାଗଲା । ତା’ଛଡ଼ା ୫୪ ଲକ୍ଷ ବୟସ୍କ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତାର ପରିମାଣକୁ ମାସିକ ୧୦୦୦ରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିଦେଲେ ।
ଏସବୁ ଯୋଜନା କେବଳ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଯୋଗୁ କେବଳ କ୍ଷମତାସୀନ ଦଳଗୁଡିକ ଫାଇଦା ପାଉଛନ୍ତି । ତା’ଛଡା ସାମ୍ବିଧାନିକ ନୀତି ଅନୁସାରେ, ବଜେଟରେ ଆନୁଷଙ୍ଗିକ ବ୍ୟବସ୍ଥା କରାନଯାଇ ନିର୍ବାଚନ ସମୟରେ ଡାଇରେକ୍ଟ କ୍ୟାସ ଟ୍ରାନ୍ସଫର ସ୍କିମ ଜରିଆରେ ଏଭଳି ଟଙ୍କା ଦିଆଯିବାକୁ ଭୋଟରଙ୍କୁ ଲାଞ୍ଚ ଦିଆଯାଉଥିବା ଭାବେ ବିବେଚନା କରାଯିବା ଉଚିତ୍ । ଏହି କାରଣରୁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଆରମ୍ଭ କରାଯାଇଥିବା ଏଭଳି ଯୋଜନାଗୁଡ଼ିକୁ ସୁପ୍ରିମକୋର୍ଟ ବେଆଇନ ଓ ଅସାମ୍ବିଧାନ ବୋଲି ଘୋଷଣା କରନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି । ସେ ଆହୁରି ମଧ୍ୟ ଦାବି କରିଛନ୍ତି କି ନିର୍ବାଚନ ସମୟରେ ବିଭିନ୍ନ ସାମଗ୍ରୀ ମାଗଣା ବଣ୍ଟାଯିବାକୁ ରୋକିବା ପାଇଁ ୨୦୧୩ରେ ଅଦାଲତ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଉ । ସେହିପରି ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ସମୟରେ ଆରମ୍ଭ କରିଥିବା ଏପରି କିଛି ଯୋଜନାଗୁଡ଼ିକ ସନ୍ଦର୍ଭରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଉ ।
Comments are closed, but trackbacks and pingbacks are open.