ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୋଟ ବୈତରଣୀ ପାର ହେବାକୁ ସରକାର ‘କାଳିଆ’ ଯୋଜନା କାର୍ଯ୍ୟକାରୀ କଲେ । ଅତି ତରବରିଆ ଭାବେ ଯୋଜନା କାର୍ଯ୍ୟକାରୀ କରିବାରୁ ଯୋଗ୍ୟ ହିତାଧିକାରୀ ପାଣ୍ଠି ପାଉନାହାନ୍ତି । ଅଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଉଛନ୍ତି । ସରକାରୀ ଦଳର ହୋଇଥିଲେ ଯାଇ ସହାୟତା ମିଳୁଛି । ଏ ଯୋଜନା ପାଇଁ ସରକାର ଟଙ୍କା ବି କେଉଁଠୁ ଆଣିଲେ? ହିତାଧିକାରୀ ଚୟନର ମାପଦଣ୍ଡ କଣ? କାଳିଆ ଯୋଜନା ଚାଷୀଙ୍କୁ ଆର୍ଥିକ ଦୁଃସ୍ଥିତିରୁ ଉଦ୍ଧାର କରିପାରିନି । ରାଜ୍ୟରେ ଚାଷୀ ସରକାରୀ ସୁବିଧା ସୁଯୋଗ ନପାଇ ଏବେ ବି କାନ୍ଦୁଛି । ଆତ୍ମହତ୍ୟା କରୁଛି ।
ଆଜି ମୁଲତବି ଆଲୋଚନା କାଳରେ ସରକାରଙ୍କୁ ଏମିତି କାଠଗଡ଼ାରେ ଛିଡ଼ା କରାଇଛନ୍ତି ବିରୋଧୀ । ଦାବି ରଖିଛନ୍ତି, ଯଦି ସରକାର ସତରେ ଚାଷୀକୂଳ ପ୍ରତି ଏତେ ସମ୍ବେଦନଶୀଳ ତେବେ ତୁରନ୍ତ ୨ ଲକ୍ଷ ଟଙ୍କା ଯାଏ କୃଷିଋଣ ଛାଡ଼ କରନ୍ତୁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରନ୍ତୁ ।
ଆଜି ବିଧାନସଭାରେ ‘କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନରେ ସରକାର ବିଫଳ’ ଶୀର୍ଷକ ମୁଲତବି ଆଲୋଚନା ହୋଇଥିଲା । ଆଲୋଚନା ଆରମ୍ଭ କରି ବିଜେପି ସଭ୍ୟ ମୋହନ ମାଝୀ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କଲେ । ଅଭିଯୋଗ କଲେ, ଚାଷୀଙ୍କ ପ୍ରତି ସରକାରଙ୍କର କିଛି ଆନ୍ତରିକତା ନାହିଁ । କେବଳ ଭୋଟ ଯୁଦ୍ଧ ପାର ହେବାକୁ ସରକାର ଏ ଯୋଜନା ଆଣିଲେ । ଏ ଯୋଜନା କେବଳ କାଗଜ କଲମରେ ଚାଲିଛି । ଯୋଗ୍ୟ ଚାଷୀଙ୍କୁ ସୁବିଧା ମିଳୁନି । ସରକାର ଋଣଛାଡ଼ କରିଥିଲେ ୨୬ ହଜାର ୬୦୬ କୋଟି ଟଙ୍କାର ଆବଶ୍ୟକତା ପଡ଼ିଥାନ୍ତା । ମାତ୍ର ସରକାର ଏ ଦିଗକୁ ଧ୍ୟାନ ନଦେଇ କେବଳ ଭୋଟ ଭିଡ଼ିବାକୁ ଏ ଯୋଜନା ଆଣିଲେ । ସରକାର ଜାଣିଥିଲେ ମହାନଦୀ, ପୋଲାଭରମ୍, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ, ଧାନର ଏମ୍ଏସ୍ପି ଆଦି ପ୍ରସଙ୍ଗ ଲୋକଙ୍କୁ ଛୁଇଁବନି । ତେଣୁ ଭୋଟରଙ୍କୁ ଲୋଭ ଦେଖାଇବାକୁ ‘କାଳିଆ’ ଯୋଜନା ତରବରିଆ ଭାବେ କାର୍ଯ୍ୟକାରୀ କରିଛନ୍ତି ।
କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ମନ୍ତ୍ରୀ ଗୃହକୁ ସ୍ପଷ୍ଟ କରନ୍ତୁ ପ୍ରକୃତ ଚାଷୀମାନେ ଏ ସୁବିଧା ପାଇଛନ୍ତି ନା ନାହିଁ । ସରକାର ବଜେଟରେ ଅର୍ଥ ବରାଦ ନକରି କେମିତି ଟଙ୍କା ବାଣ୍ଟିଲେ? ରାଜ୍ୟ ଆପଦକାଳୀନ ପାଣ୍ଠିକୁ ୪୦୦ କୋଟିରୁ ୧୪୦୦ କୋଟିକୁ ବଢ଼ା ଯାଇଥିଲା । ମାତ୍ର ସରକାର ୫ ହଜାର କୋଟି କେଉଁଠୁ ଆଣିଲେ? କେମିତି ଏତେ ସଂଖ୍ୟାରେ ହିତାଧିକାରୀଙ୍କୁ ଅର୍ଥ ବାଣ୍ଟିଲେ । ସରକାର ‘କାଳିଆ’ରେ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କଥା କହୁଛନ୍ତି । ମାତ୍ର ଭାଗଚାଷୀ ଆଇନ ସମ୍ମତ କି? ସରକାର କେଉଁ ଆଧାର ଓ ନିୟମ ବଳରେ ଭାଗଚାଷୀଙ୍କୁଏଥିରେ ଅନ୍ତର୍ଭୁକ୍ତ କଲେ?
ସେ କହିଲେ, ଆମ ରାଜ୍ୟରେ ଚାଷୀ ଧାନ ୧ କୁଇଣ୍ଟାଲ ଉତ୍ପାଦନ କରିବାକୁ ୨୪୦୦ ଟଙ୍କା ଚାଷୀ ଖର୍ଚ୍ଚ କରୁଛି । ମାତ୍ର ଏବେ ମରୁଡ଼ି ସମୟରେ ସରକାରଙ୍କ ୧୦ ହଜାର ଟଙ୍କା କ’ଣ ସାହାଯ୍ୟ କରିପାରିବ । ସରକାରଙ୍କର ଯଦି ଚାଷୀ ମାନଙ୍କ ପ୍ରତି ଆନ୍ତରିକତା ଅଛି ତେବେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣଛାଡ଼ କରନ୍ତୁ । ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ସହମତ ହୋଇଥିବା ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ସରକାର ୨୯୩୦ ଟଙ୍କା ଦିଅନ୍ତୁ । କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, କାଳିଆ ଯୋଜନା ନାଁ ବଦଳାଇ ସରକାର ବିଜୁ ପ;ନାୟକ ଯୋଜନା କରନ୍ତୁ । ଆମର ୭୧ ଭାଗ ଚାଷୀ । ସେମାନଙ୍କୁ ୫ ହଜାର ଲେଖାଏଁ ସରକାର ଦେଉଛନ୍ତି । ସେ କଣ ଏ ଟଙ୍କାରେ ଜଳଖିଆ ଖାଇବେ । ଏ ସହାୟତା ବି ଦଳୀୟ ଭିତ୍ତିରେ ପ୍ରଦାନ କରାଯାଉଛି । କେବଳ ବିଜେଡି ବାଲା ପାଉଛନ୍ତି । ଅନ୍ୟ ଦଳର ଚାଷୀଙ୍କୁ ମିଳୁନି । ଯଦି ସରକାର ୫୧ ଲକ୍ଷ ଚାଷୀଙ୍କୁ ଦେଉଛି ସହାୟତା, କେନ୍ଦ୍ରକୁ ମାତ୍ର ୩୦ ଲକ୍ଷ ଚାଷୀଙ୍କ ସହାୟତା କାହିଁକି ଦେଇଛନ୍ତି । ଏ ଯୋଜନା ଖାଲି ପ୍ରହସନ । ଚାଷୀଙ୍କୁ ଲୋଭ ଦେଖାଇ ଖାଲି ଭୋଟ ଭିଡ଼ିଲେ । ମାତ୍ର ପ୍ରକୃତରେ ଚାଷୀ ଏବେ ହତାଶ ।
ଶାସକ ଦଳ ପକ୍ଷରୁ ସଭ୍ୟ ପ୍ରଶାନ୍ତ ମୁଦୁଲି କହିଲେ, ଓଡ଼ିଶା ହେଉଛି ପ୍ରାକୃତିକ ଦୁର୍ବିପାକର ରାଜ୍ୟ । ହତାଶ ଚାଷୀକୂଳକୁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଆରମ୍ଭ କରିଛନ୍ତି । ତେବେ ଗୋଟିଏ ପରିବାରରୁ କେତେ ଜଣ ଅନ୍ତର୍ଭୁକ୍ତ ହୋଇଛନ୍ତି? ଭାଗଚାଷୀ କିଭଳି ଉପକୃତ ହୋଇପାରିବେ ସରକାର ତାକୁ ଧ୍ୟାନ ଦିଅନ୍ତୁ । ସରକାରୀ ସଭ୍ୟ ସୁଧିର ସାମଲ କହିଲେ, ଚାଷୀମାନଙ୍କୁ ସୁରକ୍ଷା ଦେବାକୁ ଏ ଅଭିନବ ଯୋଜନା । ଏ ଯୋଜନାକୁ ଖୋଦ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି । ଦଳ ମତ ନିର୍ବିଶେଷରେ ପ୍ରକୃତ ଚାଷ ପରିବାର ଏହାର ଲାଭ ଉଠାଉଛନ୍ତି ।
ଶାସକ ଦଳର ସଭ୍ୟ ପ୍ରଫୁଲ୍ଲ ସାମଲ କହିଲେ, ଏ ଯୋଜନାରେ ହିତାଧିକାରୀ ଚୟନ ନେଇ କିଛି ଅଭିଯୋଗ ଆସୁଛି । ଗୋଟିଏ ଗୋଟିଏ ପରିବାରର୨/୩ ଜଣଙ୍କ ନାମ ରହୁଛି । ମାତ୍ର ଆଉ କିଛି ପରିବାର ଅନ୍ତର୍ଭୁକ୍ତ ହୋଇନାହାନ୍ତି । ଯୋଗ୍ୟ କିଭଳି ପାଇବେ, ଅଯୋଗ୍ୟ କଟିବେ ସେଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ । ସଭ୍ୟ ଅଶୋକ ବଳ କହିଲେ, ଚାଷୀଙ୍କ ଜୀବନ ଓ ଜୀବିକାକୁ ‘କାଳିଆ’ ବେଶ ସହାୟତା ଯୋଗାଉଛି । ସବୁ ବର୍ଗର ଚାଷୀ ଓ ଚାଷ କାମ ସହ ଜଡ଼ିିତ ବ୍ୟକ୍ତିଙ୍କୁ ସରକାର ସହଯୋଗର ହାତ ବଢ଼ାଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ବିଜେପି ସଭ୍ୟ ମୋହନ ମାଝୀଙ୍କୁ ସଂକ୍ଷେପରେ କହିବାକୁ ଉପବାଚସ୍ପତି ଇଙ୍ଗିତ କରିବାରୁ ପ୍ରତିବାଦରେ ବିଜେପିର କୌଣସି ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିନଥିଲେ ।
Comments are closed, but trackbacks and pingbacks are open.