ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ‘କାଳିଆ’ ଯୋଜନାର ଫାଇଦା ଉଠାଇ ସହାୟତା ରାଶି ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଦିଲ୍ଲୀ ଗସ୍ତରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଅଯୋଗ୍ୟ ହିତାଧିକାରୀମାନେ ପାଇଥିବା ଟଙ୍କା ଫେରାଇ ଦେବାକୁ ନବୀନ ନିବେଦନ ମଧ୍ୟ କରିଛନ୍ତି । ଏ ପ୍ରସଙ୍ଗ ନେଇ ରାଜନୀତି ତେଜିଥିବାବେଳେ କୃଷି ବିଭାଗ ସ୍ପଷ୍ଟୀକରଣ ଜାରି ତଥ୍ୟ ରଖିଛି ।
କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇ ସହାୟତା ଟଙ୍କା ନେଇଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ମାତ୍ର ଏ ହିସାବକୁ ଆଜି ଖାରଜ କରିଛି କୃଷି ବିଭାଗ । ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୃଷି ବିଭାଗ ସଫେଇ ଦେଇଛି, ୧ କୋଟି ୧୯ ଲକ୍ଷ ଆବେଦନ ମଧ୍ୟରୁ ୫୧ ଲକ୍ଷ ୫ ହଜାର ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଚୟନ କରାଯାଇଥିଲା । ଏହି ୫୧ ଲକ୍ଷ ୫ ହଜାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ମାତ୍ର ୩୨ ହଜାର ହିଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଯୋଗ୍ୟଙ୍କ ମଧ୍ୟରେ ଅଛନ୍ତି ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ ଚାକିରିଆ ଏବଂ ପେନସନ୍ ଭୋଗୀ । ଅର୍ଥାତ୍ ମାତ୍ର ୧ ପ୍ରତିିଶତରୁ କମ୍ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଏହି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।
କୃଷି ବିଭାଗ ପକ୍ଷରୁ ଆହୁରି କୁହାଯାଇଛି, ପ୍ରକୃତ ପକ୍ଷେ ୯୯ଧ ହିତାଧିକାରୀମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । କାଳିଆ ଯୋଜନାରେ ପ୍ରାୟ ୩ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ପରିବାରରୁ ଅନ୍ୟ ସଦସ୍ୟମାନେ (ଏପରିକି ନାବାଳକ/ନାବାଳିକା) ମଧ୍ୟ ସହାୟତା ରାଶି ପାଇଛନ୍ତି । କାଳିଆ ଯୋଜନାରେ ଗୋଟିଏ ପରିବାରରୁ କେବଳ ଜଣେ ମାତ୍ର ଏହି ସହାୟତା ପାଇପାରିବେ । ତେଣୁ ଏଭଳି କ୍ଷେତ୍ରରେ ପରିବାରର ଜଣକୁ ସହାୟତା ପାଇଁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ରାଶିକୁ ପରବର୍ତ୍ତୀ କିସ୍ତି ରୂପେ ବିବେଚନା କରାଯିବ ।
କୃଷି ବିଭାଗ କହିଛି, ପ୍ରାୟ ୧ ଲକ୍ଷ ବ୍ୟକ୍ତି ଏହି ତାଲିକାରୁ ବାଦ୍ ଦେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ନାଲି ଫର୍ମ ପ୍ରଦାନ କରିଛନ୍ତି । ପ୍ରାୟ ୨ ହଜାର ହିତାଧିକାରୀ ସ୍ୱତଃ ପ୍ରବୃତ୍ତ ଭାବେ ଫେରାଇବା ପାଇଁ ଆବେଦନ କରିଛନ୍ତି ।
Comments are closed, but trackbacks and pingbacks are open.