କାଶ୍ମୀରରେ ଆଶଙ୍କା, ଉକ୍ରଣ୍ଠା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ମୋଦି ସରକାରଙ୍କ ସମ୍ଭାବ୍ୟ ପଦକ୍ଷେପକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଅଧିକରୁ ଅଧିକ ଯବାନ୍ କାଶ୍ମୀରରେ ପହଞ୍ଚୁଛନ୍ତି, ଅନ୍ୟ ପଟେ ବାହାର ରାଜ୍ୟର ଲୋକଙ୍କୁ ତୁରନ୍ତ କାଶ୍ମୀର ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । କିଛି ଲୋକ ଓ ରାଜନୈତିକ ଦଳ ଏହାକୁ ନେଇ ଆଶଙ୍କିତ ହେଉଥିଲେ ମଧ୍ୟ ସରକାର କ’ଣ ପଦକ୍ଷେପ ନେବେ ତାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ଗୋଟାଏ ପରେ ଗୋଟାଏ ପଦକ୍ଷେପରୁ ସରକାର କିଛି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ସ୍ପଷ୍ଟ ସଙ୍କେତ କିଛି ଦିଆଯାଇନାହିଁ ।
ଜମ୍ମୁ-କାଶ୍ମୀରକୁ କିଛି ଦିନ ଭିତରେ ସରକାର ଦେଶର ବିଭିନ୍ନ ଭାଗରୁ ୩୮,୦୦୦ ଯବାନ ପଠାଇଛନ୍ତି । ବାୟୁସେନାର ସାମରିକ ବିମାନ ଏବଂ ସ୍ୱତନ୍ତ୍ର ଟ୍ରେନ ଯୋଗ ସେମାନଙ୍କୁ ତ୍ୱରିତ ବେଗରେ କାଶ୍ମୀର ଘାଟିକୁ ପଠାଯାଇଛି । ଅମରନାଥ ଯାତ୍ରାକୁ ରଦ୍ଦ କଲା ପରେ ସେଥିପାଇଁ ନିୟୋଜିତ ୪୦,୦୦୦ ଯବାନଙ୍କୁ ବି ଘାଟିକୁ ପଠାଯାଇଛି । ଏକ ଆକଳନ ଅନୁଯାୟୀ, ଏବେ କାଶ୍ମୀର ଘାଟିରେ ଅର୍ଦ୍ଧ-ସାମରିକ ବାହିନୀଗୁଡ଼ିକର ପ୍ରାୟ ୯୦,୦୦୦ ଯବାନ ମୁତୟନ ହୋଇଛନ୍ତି । ସ୍ଥଳସେନା, ବାୟୁସେନାକୁ ହାଇଆଲର୍ଟରେ ରଖାଯିବା , ଯବାନଙ୍କ ଛୁଟି ରଦ୍ଦ କରାଯିବା, ପର୍ଯ୍ୟଟକମାନଙ୍କୁ ଛାଡ଼ି ପଳାଇବାକୁ କୁହାଯିବାର ପ୍ରକୃତ କାରଣ କ’ଣ ଜାଣିବାକୁ ସମସ୍ତେ ବ୍ୟଗ୍ର । ଦେଶ ସ୍ୱାଧୀନ ହେବା ପର ଠାରୁ କେବେ ଅମରନାଥ ଯାତ୍ରା ବନ୍ଦ ହୋଇ ନଥିବା ବେଳେ ହଠାତ୍ କାହିଁକି ଏଭଳି ପଦକ୍ଷେପ ବୋଲି ପ୍ରଶ୍ନ ଉଠିଛି ।
ରାଜ୍ୟ ସରକାର କାଶ୍ମୀର ଘାଟିରେ ଥିବା ସରକାରୀ ହସ୍ପିଟାଲଗୁଡ଼ିକର ସମସ୍ତ କର୍ମଚାରୀଙ୍କ ଛୁଟି ରଦ୍ଦ କରିଛନ୍ତି । ସିଆରପିଏଫ ଯବାନ ଓ ଅଧିକାରୀମାନଙ୍କର ଛୁଟି ରଦ୍ଦ କରିଦିଆଯାଇଛି । ଅମରନାଥ ଯାତ୍ରା ପରେ ସ୍ଥାନୀୟ ପ୍ରଶାସନ ଆଜି କିସ୍ତୱାର ଜିଲାରେ ମାଚ୍ଛେଲ ମା’ ଯାତ୍ରାକୁ ରଦ୍ଦ କରିଛନ୍ତି । ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୪୩ ଦିନ ଯାଏଁ ଚାଲିବାର ଥିଲା । ମାତ୍ର ପ୍ରଶାସନ ଏବେ ସମସ୍ତ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଯାତ୍ରା ରଦ୍ଦ କରିବା ସହିତ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସରକାରଙ୍କ କଟକଣାକୁ ଦେଖି ଆଜି ଜର୍ମାନୀ, ବ୍ରିଟେନ ଓ ଅଷ୍ଟ୍ରେଲିଆ ପରି କିଛି ଦେଶ ନିଜର ନାଗରିକମାନଙ୍କୁ ଜମ୍ମୁ-କାଶ୍ମୀର ଯିବା ପାଇଁ ବାରଣ କରିଛନ୍ତି ।
ଅଟକିଥିବା ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ସେଠାରୁ ତୁରନ୍ତ ବାହାରକୁ ପଠାଇବାକୁ ରାଜ୍ୟ ସରକାର ବାୟୁସେନାର ସହାୟତା ନେଇଛନ୍ତି । ବାୟୁସେନା ଦ୍ୱାରା ଏଥିପାଇଁ ସି-୧୭ ସାମରିକ ପରିବହନ ବିମାନ ଯୋଗାଇ ଦିଆଯାଇଛି । ଏଥିରେ ଗୋଟିଏ ଥରରେ ୨୪୦ ଜଣ ଯାତ୍ରୀ ଯାଇପାରିବେ । ଲୋକଙ୍କୁ କାଶ୍ମୀରରୁ ଜମ୍ମୁ, ପଠାନକୋଟ ଏବଂ ଦିଲ୍ଲୀକୁ ନିଆଯାଉଛି । ଅନ୍ୟପଟରେ ସରକାରଙ୍କ ନିର୍ଦ୍ଦେଶ ପରେ କାଶ୍ମୀରରୁ ପର୍ଯ୍ୟଟକ ଓ ଅମରନାଥ ଯାତ୍ରୀମାନେ ଅନ୍ୟତ୍ର ଯିବା ପାଇଁ ପ୍ରୟାସ କରୁଥିଲାବେଳେ ଏୟାରଲାଇନ୍ସଗୁଡ଼ିକ ଶ୍ରୀନଗରରୁ ଅନ୍ୟ ସ୍ଥାନଗୁଡ଼ିକୁ ଯାଉଥିବା ବିମାନଭଡ଼ା ଅହେତୁକ ବଢ଼ାଇ ଦେଇଛନ୍ତି । ଶ୍ରୀନଗରରୁ ଏବେ ଭାରତର ଯେକୌଣସି ସହରକୁ ଗଲେ ବି ୧୦,୦୦୦ ଟଙ୍କା ତଳକୁ କୌଣସି ଟିକେଟ ଉପଲବ୍ଧ ହେଉନାହିଁ ।
କାଶ୍ମୀର ଘାଟିରେ ସରକାରଙ୍କ ପଦକ୍ଷେପକୁ ନେଇ ଲୋକେ ଆଶଙ୍କା ଭିତରେ ଅଛନ୍ତି । ସେମାନେ ଆଗାମୀ କିଛି ଦିନ ପାଇଁ ରାସନ ସାମଗ୍ରୀ ଓ ମେଡିସିନ ଠୁଳ କରୁଛନ୍ତି । ଏଟିଏମ କାଉଣ୍ଟରରେ ବି ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । କେତେକ ରିପୋର୍ଟରେ କୁହାଯାଉଛି କି କାଶ୍ମୀରରେ ମୁତୟନ ଯବାନମାନଙ୍କ ପାଇଁ ଆଜି ଅନେକଗୁଡିଏ ଟ୍ରକରେ ବିପୁଳ ପରିମାଣର ରାସନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯାଉଛି । ସେମାନଙ୍କୁ ୨୪ ଘଣ୍ଟା ଭିତରେ ଏସବୁ ଠୁଳ କରିନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନେକ ଅନୁମାନ କରୁଛନ୍ତି କି ମୋଦି ସରକାର ରାଜ୍ୟ ପାଇଁ ପ୍ରଣୀତ ଧାରା ୩୭୦ ଓ ଧାରା ୩୫(କ)କୁ ହଟାଇ ଦେଇପାରନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ତିନି ଭାଗରେ ବାଣ୍ଟି ଜମ୍ମୁକୁ ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ଲଦାଖ ଓ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦେଇପାରନ୍ତି । ପୁଣି କୁହାଯାଉଛି କି ମୋଦି ଏଥରକ ଲାଲକିଲ୍ଲା ବଦଳରେ ଶ୍ରୀନଗର ସ୍ଥିତ ଲାଲଚୌକରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହିତ ସେଠାରୁ ରାଷ୍ଟ୍ରକୁ ସମ୍ବୋଧନ କରିପାରନ୍ତି ।
ହେଲେ ରାଜ୍ୟ ସରକାରଙ୍କ ତରଫରୁ ଏବେ ବି ଏଭଳି କିଛି ସମ୍ଭାବନାକୁ ଅସ୍ୱୀକାର କରାଯାଇଛି । କେବଳ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ମଧ୍ୟ କିଛି ସ୍ପଷ୍ଟ କରୁନାହାନ୍ତି । ମିଡ଼ିଆ ରିପୋର୍ଟରେ କୁହାଯାଇଛି କି ଏଲଓସି ନିକଟରେ ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ଠୁଳ ହୋଇଛନ୍ତି । ସେମାନେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରି ବଡ଼ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆମେରିକା ଗସ୍ତ ପରେ ପାକ୍ ସେନା ପୁଣି ଥରେ ଆତଙ୍କବାଦୀମାନଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।
ଅପରପକ୍ଷରେ, ଆଜି ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ କେବଳ ସୁରକ୍ଷାଗତ କାରଣରୁ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ତାଙ୍କୁ ସୂଚନା ଦେଇଛନ୍ତି । କଂଗ୍ରେସ କିନ୍ତୁ ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଅତୀତରେ କେବେହେଲେ ଅମରନାଥ ଯାତ୍ରା ରଦ୍ଦ କରାଯାଇନଥିଲାବେଳେ ଏବେ ଏପରି କରି ମୋଦି ସରକାର ପାକିସ୍ତାନ ଆଗରେ ହାର ମାନିନେଇଛନ୍ତି ବୋଲି ଦଳ କହିଛି । ସେହିପରି ସରକାର ଏହାକୁ ନେଇ ସଂସଦରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ଦାବି କରିଛି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି କି ରାଜ୍ୟକୁ କାହିଁକି ଏତେ ସଂଖ୍ୟକ ଯବାନ ପଠାଯାଇଛି ସେସମ୍ପର୍କରେ ସରକାର ସଂସଦରେ ବୟାନ ଦିଅନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons