ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ପରେ ସରକାରଙ୍କ ଦ୍ୱାରା ସେଠାରେ ଯେଉଁସବୁ କଟକଣା ଲଗାଯାଇଛି, ତାକୁ ବିରୋଧ କରି ଦାୟର ମାମଲାଗୁଡିକ ଉପରେ ସୁପ୍ରିମକୋର୍ଟ ଆଜି ରାୟ ସରଂକ୍ଷିତ ରଖିଛନ୍ତି । ବିଚାରପତି ଏନ ଭି ରମନ୍ନା, ବିଚାରପତି ଆର ସୁବାଷ ରେଡ୍ଡି ଏବଂ ବିଚାରପତି ବି ଆର ଗଭାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାଗୁଡିକ ଉପରେ ଶୁଣାଣି କରୁଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦଏବଂ ଅନ୍ୟ କିଛି ବ୍ୟକ୍ତି ତଥା ସଂସ୍ଥାଙ୍କ ଦ୍ୱାରା ଏହି ଆବେଦନଗୁଡିକ ଦାଖଲ କରାଯାଇଥିଲା ।
ମାମଲାର ଶୁଣାଣି ବେଳେ ଆଜାଦଙ୍କ ଓକିଲ କପିଲ ସିବଲ କହିଥିଲେ ଯେ ସୁରକ୍ଷାଗତ ଚିନ୍ତାକୁ ନେଇ ଏପରି ପଦକ୍ଷେପ ନିଆଯାଇଛି ବୋଲି ସରକାର ଯାହା କହୁଛନ୍ତି ତାହା ସେମାନେ ବୁଝିପାରୁଛନ୍ତି । କିନ୍ତୁ ଏଥିପାଇଁ ଜମ୍ମୁ-କାଶ୍ମୀରର ୭୦ ଲକ୍ଷ ଲୋକଙ୍କୁ ବନ୍ଦୀ ଭଳି ରଖାଯାଇପାରିବ ନାହିଁ । ଆଉ ଜଣେ ଆବେଦନକାରୀ ତଥା କାଶ୍ମୀର ଟାଇମ୍ସ ସମ୍ବାଦପତ୍ରର ସଂପାଦିକା ଅନୁରାଧା ଭସିନଙ୍କ ଓକିଲ ସରକାରଙ୍କ ଦ୍ୱାରା ଲଗାଯାଇଥିବା କଟକଣାକୁ ଅସାମ୍ବିଧାନିକ ବୋଲି ମତ ଦେଇଥିଲେ ।
ଗତକାଲି ଜମ୍ମୁ-କାଶ୍ମୀର ପ୍ରଶାସନ ସୁପ୍ରିମକୋର୍ଟରେ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇ କହିଥିଲେ ଯେ ଧାରା ୩୭୦ ପ୍ରତ୍ୟାହାର କରାଯିବା ପରେ ପାକ୍ ସେନା, ଆଇଏସଆଇ, ହୁରିୟାତ୍ ଏବଂ ବିଚ୍ଛିନ୍ନତାବାଦୀମାନେ ଇଣ୍ଟରନେଟ ଏବଂ ଫୋନର ବ୍ୟବହାର କରି ଲୋକଙ୍କୁ ଭାରତ ସରକାର ଏବଂ ସେନା ବିରୋଧରେ ଉସୁକାଇବାର ଆଶଙ୍କା ଥିଲା । ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ଚଳିତ ମାସ ୨୧ ତାରିଖରେ କେନ୍ଦ୍ର ସରକାର ମଧ୍ୟ ଅଦାଲତଙ୍କୁ ଜଣାଇଥିଲେ ଯେ ଏଭଳି ସତର୍କତାମୂଳକ ପଦକ୍ଷେପ ଯୋଗୁ ଜମ୍ମୁ-କାଶ୍ମୀରରେ ହିଂସାକାଣ୍ଡକୁ ରୋକାଯାଇପାରିଛି । ସେଠାରୁ ଧାରା ୩୭୦ ପ୍ରତ୍ୟାହାର ହେବା ପରେ କୌଣସି ସ୍ଥାନରେ ବି ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ କରିବାକୁ ପଡିନାହିଁ କି କାହାର ମୃତୁ୍ୟ ହୋଇନାହିଁ । ଏଭଳି କଟକଣା ଯୋଗୁ ଲୋକଙ୍କ ଧନଜୀବନର ସୁରକ୍ଷା କରାଯାଇପାରିଛି ।
୫୦୦୦ ବ୍ୟକ୍ତି ଅଟକ ଥିଲେ: କେନ୍ଦ୍ର ସରକାର
ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ପୂର୍ବରୁ ସରକାର ସମୁଦାୟ ୫,୧୬୧ ଜଣ ବ୍ୟକ୍ତିଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ଅଟକ ରଖିଥିଲେ । ସେମାନଙ୍କ ମଧ୍ୟରୁ ୬୦୯ ଜଣଙ୍କୁ ଏବେ ବି ଅଟକ ରଖାଯାଇଛି । ଅଗଷ୍ଟ ୫ରେ ଧାରା ୩୭୦ ପ୍ରତ୍ୟାହାର ପରେ କାଶ୍ମୀର ଘାଟିରେ ପୁଲିସ ଗୁଳିରେ କେହି ପ୍ରାଣ ହରାଇନାହାନ୍ତି । ତେବେ କେତେକ ସ୍ଥାନରେ ସାମାନ୍ୟ ଧରଣର ହିଂସାକାଣ୍ଡ ହୋଇଥିଲା ଯେଉଁଥିରେ ସମୁଦାୟ ୧୯୭ ଜଣ ଲୋକ ଆହତ ହୋଇଛନ୍ତି ।
Comments are closed, but trackbacks and pingbacks are open.