କାଶ୍ମୀର ସ୍ଥିତି:କେନ୍ଦ୍ର ଉପରେ ନଜର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଚାନକ କାଶ୍ମୀରରେ ଯବାନଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ କଠୋର ନିଷ୍ପତ୍ତି ନେଇ ଉଭୟ ଭାରତ ଓ ପାକିସ୍ତାନରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି, ତାହାର ଚୂଡ଼ାନ୍ତ ଚିତ୍ର ପାଇଁ ସମଗ୍ର ଏସିଆର ନଜର ଏବେ କେନ୍ଦ୍ର ସରକାରଙ୍କ ଉପରେ ନିବଦ୍ଧ । ଖୋଦ୍ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଆଜି କହିଛନ୍ତି, ସୁରକ୍ଷାଗତ କାରଣରୁ ଏବେ ରାଜ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । କିନ୍ତୁ ଆସନ୍ତାକାଲି କ’ଣ ଘଟିବ ତାହା ସେ ଜାଣନ୍ତି ନାହିଁ । ତେଣୁ ସମସ୍ତେ ସୋମବାର କିମ୍ବା ମଙ୍ଗଳବାର ଯାଏଁ ଅପେକ୍ଷା କରନ୍ତୁ । ତାଙ୍କର ଏହି ମନ୍ତବ୍ୟ ପରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ ଏନଇ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସମସ୍ତେ ଆଶା କରିଛନ୍ତି ।
ସୋମବାର ସକାଳ ୯ଟା ୩୦ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି । ସାଧାରଣତଃ କେନ୍ଦ୍ର କ୍ୟାବିନେଟର ବୈଠକ ବୁଧବାର ଅପରାହ୍ଣ ୧ଟାରେ ଅନୁଷ୍ଠିତ ହୋଇଥାଏ । ତେଣୁ ହଠାତ୍ ଏହାର ସମୟରେ ପରିବର୍ତ୍ତନ କରାଯାଇଥିବାରୁ ଏହି ବୈଠକରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।
ନୂଆଦିଲ୍ଲୀରେ ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ ଘନଘନ ବୈଠକ କରିଛନ୍ତି । ସଂସଦ ଭବନରେ ପ୍ରଥମେ ସେ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ । ଏଥିରେ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ‘ର’ ମୁଖ୍ୟ ସାମନ୍ତ କୁମାର ଗୋଏଲ ଏବଂ ଆଇବି ମୁଖ୍ୟ ଅରବିନ୍ଦ କୁମାର ଆଦି ଯୋଗ ଦେଇଥିଲେ । ଏହା ପରେ ପରେ ସେ ଜମ୍ମୁ-କାଶ୍ମୀର ଡିଭିଜନ ଦାୟିତ୍ୱରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜ୍ଞାନେଶ କୁମାରଙ୍କ ସହ ଆଲୋଚନା କରିଥିଲେ । ପରେ ଶାହ ବିଜେପିର ମହାସଚିବମାନଙ୍କ ସହିତ ଏକ ବୈଠକ କରିଥିଲେ ।
ଜମ୍ମୁ-କାଶ୍ମୀରର କାରଗିଲ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯିବା ସହିତ ସମସ୍ତଙ୍କୁ ସବୁବେଳେ ନିଜର ମୋବାଇଲ ଫୋନ ଅନ୍ କରି ରଖିବାକୁ କୁହାଯାଇଛି । ଲଦାଖ ଯାଉଥିବା ପର୍ଯ୍ୟଟକଙ୍କୁ ବି ଅଧା ବାଟରୁ ଫେରାଇ ଦିଆଯାଇଛି । କାଶ୍ମୀର ଘାଟିରେ ଥିବା ପର୍ଯ୍ୟଟକମାନଙ୍କୁ ସୋମବାର ସୁଦ୍ଧା ଏଠାରୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ସୁଦ୍ଧା କାଶ୍ମୀର ଘାଟିରେ ୨୦ରୁ ୨୨ ହଜାର ପର୍ଯ୍ୟଟକ ଥିଲେ । ସେମାନଙ୍କୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ବାହାରକୁ ନିଆଯାଉଛି । ଏଥିପାଇଁ ବାୟୁସେନାର ପରିବହନ ବିମାନ ବି ନିୟୋଜିତ କରାଯାଇଛି । କ୍ରିକେଟ ତାରକା ଇରଫାନ ପଠାନଙ୍କ ସହ ପ୍ରାୟ ୧୦୦ ଜଣ କ୍ରିକେଟରଙ୍କୁ ଜମ୍ମୁ-କାଶ୍ମୀରରେ ଚାଲିଥିବା କ୍ୟାମ୍ପ ବନ୍ଦ କରି ତୁରନ୍ତ ରାଜ୍ୟରୁ ବାହାରକୁ ଚାଲିଯିବାକୁ କୁହାଯାଇଛି । କାଶ୍ମୀରର ସମସ୍ତ ହୋଟେଲରେ ରୁମ୍ ବୁକିଂ କରିବା ଏବଂ ସେଠାରେ କୌଣସି ପ୍ରକାର ରାଜନୈତିକ ବୈଠକ କରାଯିବା ଉପରେ ରୋକ ଲଗାଯାଇଛି ।
ଭାରତର ଏଭଳି ପଦକ୍ଷେପକୁ ନେଇ ପାକିସ୍ତାନ ବି ଆଶଙ୍କିତ ହୋଇପଡିଛି । ଇସଲାମାବାଦରେ ଆଜି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଷ୍ଟ୍ରୀୟ ସୁରକ୍ଷା କମିଟିର ବୈଠକ ଡକାଇ ଏହି ବିଷୟରେ ଆଲୋଚନା କରିଛନ୍ତି । ସେ ଏକ ବୟାନରେ କହିଛନ୍ତି କି ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ଏବେ ଏପରି କରିବାର ସମୟ ଆସିଛି କହି ପୁଣି ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି । ଭାରତ ନିଜ ଅଧିକୃତ କାଶ୍ମୀରରେ ଯେପରି ଆତଙ୍କବାଦ ଚଳାଇଛି, ତା’ ବିରୋଧରେ ସିଏ ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି ।
ଏହାପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ନିଜ ବାସଭବନରେ ସମସ୍ତ ଦଳର ନେତାଙ୍କ ବୈଠକ ଡକାଇ ସେମାନଙ୍କର ପରବର୍ତ୍ତୀ ରଣନୀତି ନେଇ ଚର୍ଚ୍ଚା କରିଛନ୍ତି ।
କାଶ୍ମୀରରୁ ଚାଲିଯିବାକୁ ପର୍ଯ୍ୟଟକମାନେ ଭିଡ଼ ଲଗାଇଥିବାରୁ ବିଭିନ୍ନ ଏୟାରଲାଇନ୍ସ ଟିକେଟ ଦରରେ ଅହେତୁକ ବୃଦ୍ଧି କରିଥିବା ଅଭିଯୋଗ ହେବା ପରେ ଏୟାର ଇଣ୍ଡିଆ ଶ୍ରୀନଗର-ଦିଲ୍ଲୀ ଟିକେଟକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ୯୫୦୦ ଟଙ୍କାରେ ସୀମିତ ରଖିବାକୁ ଘୋଷଣା କରିଥିଲା । ଏହାସତ୍ତେ୍ୱ ଅସନ୍ତୋଷ ରହିବାରୁ ଏୟାର ଇଣ୍ଡିଆ ପୁଣି ଟିକେଟ ଦର ହ୍ରାସ କରି ଶ୍ରୀନଗର-ଦିଲ୍ଲୀ ଟିକେଟ ଦର ୬,୭୧୫ ଟଙ୍କା ଏବଂ ଦିଲ୍ଲୀ-ଶ୍ରୀନଗର ଟିକେଟ ୬୮୯୯ ଟଙ୍କାକୁ ହ୍ରାସ କରିଛି । ତେବେ ଅନ୍ୟ କେତେକ ଏୟାର ଲାଇନ୍ସର ଟିକେଟ ଦର ୧୧ ହଜାରରୁ ୨୦ ହଜାର ଟଙ୍କା ରହିଥିବା ଜଣାପଡ଼ିଛି । କେବଳ ଶନିବାର ଶ୍ରୀନଗର ବିମାନବନ୍ଦରରୁ ୫୮୦୦ ଯାତ୍ରୀ (ମୋଟ ୩୨ଟି ଉଡ଼ାଣ) ବାହାରକୁ ଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୩୮୭ ଜଣ ଯାତ୍ରୀ ବାୟୁସେନା ବିମାନରେ ଦିଲ୍ଲୀ ଯାଇଛନ୍ତି ।
ଅପରପକ୍ଷରେ, ଏଲଓସିରେ ଆଜି ମଧ୍ୟ ଉତ୍ତେଜନା ଜାରି ରହିଛି । ଭାରତୀୟ ସେନାର ତୋପମାଡ଼ରେ ଥରହର ପାକ୍ ସେନା ଏବେ ସୀମାରେ ଟ୍ୟାଙ୍କ, ତୋପ ଓ ଅନ୍ୟାନ୍ୟ ଭାରୀ ଅସ୍ତ୍ର ମୁତୟନ କରିଛି । ସୀମା ନିକଟରେ ମୁତୟନ ସୈନିକମାନଙ୍କୁ ଆଲର୍ଟ ରହିବାକୁ ପାକ୍ ସେନା ନିର୍ଦ୍ଦେଶ ଦେଇଛି । ଭାରତୀୟ ସେନା ଆଜି ପାକ୍ ସେନାକୁ ଜୁଲାଇ ୩୧ ରାତିରେ କେରନ ସେକ୍ଟରରେ ନିହତ ୫ରୁ ୭ ବାଟ୍ ସଦସ୍ୟଙ୍କ ମୃତଦେହ ନେଇଯିବା ପାଇଁ ପ୍ରସ୍ତାବ ଦେଇଥିଲା । ପାକ୍ ସେନା ପୂର୍ବ ଭଳି ଏହାକୁ ଅସ୍ୱୀକାର କରିଛି । ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି କି ଗତ କିଛି ଦିନ ଭିତରେ ଜୈସର କେତେକ ଆତଙ୍କବାଦୀ ରାଜ୍ୟରେ ଅନୁପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି । ସେହିପରି ପିଓକେରେ ଜୈସ ଓ ଲସ୍କର ଆତଙ୍କୀଙ୍କ ସହ ବହୁ ସଂଖ୍ୟକ ତାଲିବାନୀ ଠୁଳ ହୋଇଥିବା ସୂଚନା ମିଳିଛି । ତେହରିକ୍-ଇ-ତାଲିବାନ-ପାକିସ୍ତାନ (ଟିଟିପି)ର ଆତଙ୍କୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଛନ୍ତି । କିଛି ଦିନ ଭିତରେ ପାକିସ୍ତାନର ବାଟ୍ (ବର୍ଡର ଆକ୍ସନ ଟିମ୍) ଭାରତର ଛାମୁଆ ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ୫ ଥର ଉଦ୍ୟମ କରିସାରିଲାଣି ।
ରବିବାର ଆଉ ଏକ ଘଟଣାକ୍ରମରେ ଜମ୍ମୁ-କାଶ୍ମୀରର କୁପୱାରା ଜିଲା ଅନ୍ତର୍ଗତ କେରନ ସେକ୍ଟରରେ ଏକ ଦରଜି ଦୋକାନରେ ହଠାତ୍ ବିସ୍ଫୋରଣ ହେବାରୁ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀ ଦୋକାନ ଭିତରୁ ୧୫ଟି ଗ୍ରେନେଡ୍ ଜବତ କରିଛନ୍ତି । ଦୋକାନର ମାଲିକଙ୍କୁ ଗିରଫ କରାଯାଇଛି ।
ତେବେ ଜମ୍ମୁ-କାଶ୍ମୀରକୁ ପଠାଯାଇଥିବା ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇସାରିଲାଣି । ସମସ୍ତ ସରକାରୀ କାର୍ଯ୍ୟାଳୟ ଯେପରିକି ରାଜ୍ୟ ସଚିବାଳୟ, ପୁଲିସ ମୁଖ୍ୟାଳୟ, ବିମାନବନ୍ଦର, କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଚାରିପଟେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ଶ୍ରୀନଗରକୁ ସଂଯୁକ୍ତ କରୁଥିବା ସମସ୍ତ ପ୍ରବେଶ ଦ୍ୱାରରେ ବାରିକେଡ୍ ଲଗାଯାଇଛି । କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଅର୍ଦ୍ଧ-ସାମରିକ ବାହିନୀର ଯବାନଙ୍କୁ ନିୟୋଜିତ କରାଯିବା ସହିତ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ିଗୁଡ଼ିକୁ ତୟାର ରଖାଯାଇଛି । ରାଜ୍ୟରେ ଥିବା ବିଭିନ୍ନ ସାମରିକ ପ୍ରତିଷ୍ଠାନ ଚାରିପଟେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବାୟୁସେନାର ଘାଟିଗୁଡିକ ଉପରେ ଡ୍ରୋନ ଜରିଆରେ ନଜର ରଖାଯାଉଛି । ରାଜୌରି ଓ ପୁଞ୍ଚ ଜିଲାର ବିଭିନ୍ନ ଭାଗରେ ରାପିଡ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି । ସୀମାରେ ବି ସେନାକୁ ସତର୍କ ରଖାଯାଇଛି । ବାୟୁସେନା ଓ ନୌସେନାକୁ ବି ଯୁଦ୍ଧ ପାଇଁ ତୟାର ରହିବାକୁ କୁହାଯାଇଛି । ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons