କିରାସିନି ଢ଼ାଳି ହେଲେ ୩ ଚାଷୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାଗଡ଼ର କୁନି ଝିଅ ‘ପରୀ’ ବାପା-ମାଆଙ୍କ ଆତ୍ମଦାହ ଉଦ୍ୟମକୁ ୪ ଦିନ ବିତିନି । ଆଜି ପୁଣି ବିଧାନସଭା ସାମ୍ନାରୁ ଆତ୍ମଦାହ ଉଦ୍ୟମର ଦୃଶ୍ୟ ସାମ୍ନାକୁ ଆସିଛି । ଏଥର ୩ ଜଣ ଚାଷୀ ବିଧାନସଭାର ମୁଖ୍ୟ ଫାଟକ ସାମ୍ନାରେ କିରାସିନି ଢ଼ାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଠିକଣା ସମୟରେ ସୁରକ୍ଷାକର୍ମୀମାନେ କଷ୍ଟେମଷ୍ଟେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ସମବାୟ ଋଣ ଜାଲରେ ଅଯଥାରେ ଛନ୍ଦି ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଆତ୍ମଦାହ ଉଦ୍ୟମ କରିଥିବା ଚାଷୀମାନେ ହେଲେ ପ୍ରସାଦ ନାୟକ, କୈଳାସ ନାୟକ, କବିଚନ୍ଦ୍ର ବାରିକ । ଏମାନେ ସମସ୍ତେ ଆଠଗଡ଼ ଗୁରୁଡିÿଝାଟିଆ ଅଞ୍ଚଳର । ସମସ୍ତଙ୍କ ବୟସ ୫୦ରୁ ୬୦ ବର୍ଷ ହେବ । ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୟାପିଟାଲ ଥାନାରେ ଅଟକ ରଖାଯାଇଛି । କେଉଁ କାରଣରୁ ସେମାନେ ଏମିତି କାଣ୍ଡ ରଚୁଥିଲେ, ଏନେଇ ପଚରାଉଚରା ଚାଲିଛି ।
ସମୟ ପାଖାପାଖି ଅପରାହ୍ଣ ସାଢେ଼ ୩ଟା ହେବ । ଏଜି ଛକ ଆଡୁ ପ୍ରସାଦ, କୈଳାସ, କବିଚନ୍ଦ୍ର ଚାଲି ଚାଲି ଆସିଲେ । ପରୀ ବାପା-ମାଙ୍କ ପରି ଏମାନେ ମଧ୍ୟ ଦେହରେ ଗୋଟିଏ ଗୋଟିଏ ଚଦର ଘୋଡିÿ ହୋଇଥିଲେ । ଠିକ୍ ବିଧାନସଭାର ମୁଖ୍ୟ ଫାଟକ ସାମ୍ନାରେ ପହଞ୍ଚିବା କ୍ଷଣି ଚାଦର ଭିତରୁ କିରାସିନି ବୋତଲ ବାହାର କରି ଦେହରେ ଢ଼ାଳି ହୋଇଥିଲେ । ବାସ୍, ଏତିକି ଦୃଶ୍ୟରୁ ଅଘଟଣ ବାବଦରେ ବୁଝିବା ପୁଲିସ୍ କର୍ମୀଙ୍କ ପାଇଁ ଆଉ ବାକି ନଥିଲା । ତୁରନ୍ତ ସେମାନେ ୩ ଚାଷୀଙ୍କ ପାଖକୁ ଧାଇଁ ଯାଇଥିଲେ । ୩ ଜଣଙ୍କୁ ଚାରିପଟୁ ଘେରିଯାଇ ସେମାନଙ୍କ ହାତରୁ କିରାସିନି ବୋତଲ ଓ ଦିଆସିଲି ଛଡାଇ ନେଇଥିଲେ । ୩ ଜଣଙ୍କୁ କାବୁ କରି ପୁଲିସ ଭ୍ୟାନ୍ରେ ବସାଇ କ୍ୟାପିଟାଲ ହସ୍ପିଟାଲ୍ ଅଭିମୁଖେ ନେଇଯାଇଥିଲେ ।
ଉଦ୍ଧାର ବେଳେ ୩ ଚାଷୀ ଗଣାମାଧ୍ୟମ ସାମ୍ନାରେ ସମବାୟ ଋଣ ଜାଲରେ ଛନ୍ଦି ହୋଇ ହଇରାଣ ହେଉଥିବା ନେଇ ଅଭିଯୋଗ ଆଣିଥିଲେ । ସେମାନେ କହିଥିଲେ ଯେ, ଆଠଗଡ଼ କୋ-ଅପରେଟିଭ୍ ବ୍ୟାଙ୍କରେ ଋଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଜାଲିଆତି ହୋଇଛି । ଉକ୍ତ ଅଞ୍ଚଳର କିଛି ପ୍ରଭାବଶାଳୀ ଲୋକ ଚଞ୍ଚକତା କରି ଋଣ ଉଠାଇ ନେଇଛନ୍ତି । ଏସବୁ ଋଣର ବୋଝ ସେମାନଙ୍କ ଭଳି କିଛି ନିରୀହ ଚାଷୀଙ୍କ ଉପରେ ଲଦାଯାଉଛି । ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଋଣ ସୁଝିବାକୁ ବାଧ୍ୟ କରୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । କିନ୍ତୁ କିଛି ଲାଭ ମିଳିନି ।
ସୁରକ୍ଷା ଦାୟିତ୍ୱରେ ଥିବା ଏସିପି ଆର୍ମଡ୍ ଲଳିତେନ୍ଦୁ ମହାନ୍ତି କହିଛନ୍ତି, କିଛି ଅଘଟଣ ଘଟିବା ପୂର୍ବରୁ ଚାଷୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୋଟ ୬ଜଣ ଚାଷୀ ଆତ୍ମଦାହ କରିବାକୁ ଆସୁଥିଲେ । ଅନ୍ୟ ୩ ଜଣଙ୍କୁ ଏଜି ଛକରେ ଅଟକ ରଖାଯାଇଛି ।
ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲୁଛି । ଗୃହ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ । ସଚିବାଳୟ ମାର୍ଗରେ ଏଜି ଛକଠୁ ରବିନ୍ଦ୍ର ମଣ୍ଡପ ଯାଏଁ ପୁଲିସ୍ ଜଗିଛନ୍ତି । ୨ ଫାଟକ ସାମ୍ନାରେ ପୁଳା ପୁଳା ସୁରକ୍ଷାକର୍ମୀ । ବନ୍ଧୁକଧାରୀ ପୁଲିସ ବି ମୁତୟନ ହୋଇଛନ୍ତି । ଲୋୟର ପିଏମ୍ଜି ଓ ଗଳି ରାସ୍ତାକୁ ବ୍ୟାରିକେଡ୍ ଯୋଗେ ବନ୍ଦ କରାଯାଉଛି । ତଥାପି ଏହି ସୁରକ୍ଷା ବଳୟକୁ ଭେଦି କିଛି ଆନେ୍ଦାଳନକାରୀ ଏମିତି କାଣ୍ଡ ଭିଆଉଛନ୍ତି ।
ଗତ ୨୪ ତାରିଖରେ କୁନି ଝିଅ ପରୀ ହତ୍ୟାରେ ନ୍ୟାୟ ନ ମିଳିବାରୁ ବାପା ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗତ ମୌସୁମୀ ଅଧିବେଶନ ବେଳେ ମଧ୍ୟ ଏମିତି ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନୟାଗଡ଼ ଦଶପଲ୍ଲା ବ୍ଲକର ଖମାର ସାହି ପଞ୍ଚାୟତ କଉଡ଼ା ଅଞ୍ଚଳର ଜିତେନ୍ଦ୍ର ପାଳ ସମାନ ଜାଗାରେ ମା’ ଝରଣାଙ୍କ ବେକରେ ଛୁରୀ ଲଗାଇ ମାରିବାକୁ ଉଦ୍ୟମ କରିଥିଲା । ଦୀର୍ଘ ଅଧଘଣ୍ଟାଏ କାଳ ହଙ୍ଗାମା କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons