ଭୋଗରାଇ,(ବି.ବି.ନୁ୍ୟଜ୍): ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ତଥା ଗୋଆ ରାଜ୍ୟରେ ଅସଂଖ୍ୟ ଅପରାଧିକ ମାମଲାରେ ଜଡ଼ିତ ରହି ଆତଙ୍କ ସୃଷ୍ଟି କରିଆସୁଥିବା ଜଗା ଓରଫ ରତନ ଦାସ (୨୮)ର ନିଜ ଗାଁ ମାଟି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଧା ଥାନା ଅନ୍ତର୍ଗତ ବାଲିମ ପଞ୍ଚାୟତ କୁରୁଠିଆ ଗ୍ରାମରେ ମୃତୁ୍ୟ ହୋଇଛି । ଜଗା ନିଜ ଗାଁ କୁରୁଠିଆପଦା ରାସ୍ତାରେ ଡମ୍ପର, ଟ୍ରକ ଓ ଟ୍ରାକ୍ଟରରୁ ଚାନ୍ଦା ଆଦାୟ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ରେ ଡମ୍ପର ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତୁ୍ୟବରଣ କରିଛି । ଅନ୍ୟପକ୍ଷରେ ତା’ ମୁଣ୍ଡକୁ ଲୁହା ରଡ଼୍ରେ ପିଟି ହତ୍ୟା କରିବା ପରେ ହତ୍ୟାକାରୀମାନେ ଯୋଜନାବଦ୍ଧ ଭାବେ ଡମ୍ପର ଚଢାଇ ଦେଇଥିବା ନେଇ ଜଗାର ବାପା ତଥା ବାଲିମ ପଞ୍ଚାୟତ ସମିତି ସଦସ୍ୟ ଗୌରାଙ୍ଗ ଦାସ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଏନେଇ କମର୍ଦ୍ଧା ଥାନା କେସ ନଂ ୭୫/୨୦ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତତ୍ସହିତ ପୁଲିସ ଗୋଟିଏ ଡମ୍ପର (ଓଡି-୦୧ଏବି-୦୬୪୫) ଏବଂ ଗୋଟିଏ ଟ୍ରାକ୍ଟର (ଓଆର-୦୧ପି-୨୮୪୫) ସମେତ ସେଥିରେ ଥିବା ୩ ଜଣ ଚାଳକ ଓ ଖଲାସିକୁ ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କିମ୍ବା ଦୁର୍ଘଟଣା ତାହା ସ୍ପଷ୍ଟ ହେବ ବୋଲି କମର୍ଦ୍ଧା ଥାନା ଆଇଆଇସି ପାସ୍କେଲ ଏକ୍କା କହିଛନ୍ତି । ହେଲେ ଜଗା ମୃତୁ୍ୟକୁ ନେଇ ବାଲିମ ସମେତ ପାଶ୍ୱର୍ବର୍ତ୍ତୀ ନହରା, କମର୍ଦ୍ଧା, ନାଚିନ୍ଦା, ଦୁଢପଳ ଆଦି ପଞ୍ଚାୟତରେ ଲୋକେ ବାଣ ଫୁଟାଇ ଖୁସି ମନାଇଛନ୍ତି ।
ସୂଚନା ମୁତାବକ, ଶାସକ ଦଳ ସମର୍ଥିତ ବାଲିମ ପଞ୍ଚାୟତ ସମିତି ସଦସ୍ୟ ଗୌରାଙ୍ଗ ଦାସଙ୍କ ପୁଅ ଜଗା ଓରଫ ରତନ ଦାସ ଜଣେ ପେଶାଦାର ଅପରାଧୀ । ବିଭିନ୍ନ ମାମଲାରେ ଏକାଧିକ ଥର ଜେଲ ଯାଇଥିଲା ବେଳେ ସେ ଜାମିନରେ ଆସି ବାରମ୍ବାର ଅପରାଧ ଘଟାଇ ବିଭିନ୍ନ ବ୍ଲକ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଚାଲିଥିଲା । ପ୍ରତିଦିନ ଭଳି ଶୁକ୍ରବାର ରାତିରେ ବାଲିମ ପଞ୍ଚାୟତ ଅନ୍ତର୍ଗତ କୁରୁଠିଆ ପଦା ଠାରେ ଅନ୍ୟ କେତେଜଣ ସହଯୋଗୀଙ୍କୁ ନେଇ ରାସ୍ତାରେ ଯାଉଥିବା ଡମ୍ପର, ଟ୍ରାକ୍ଟର ଓ ଟ୍ରକ୍ରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲା । ଜନୈକ ଟ୍ରାକ୍ଟର ଚାଳକ ସହ ଚାନ୍ଦା ଆଦାୟକୁ ନେଇ ପ୍ରବଳ ଯୁକ୍ତିତର୍କ ହେବା ସହ ଜଗା ତା’କୁ ପିଟାମରା କରିଥିବା ନେଇ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସକୁ ସୂଚନା ଦେଇଥିଲେ । ହେଲେ ରାତି ୧୧ଟା ୩୦ରେ ରାସ୍ତା ମଝିରେ ଜଗାର ରକ୍ତ ଜୁଡୁବୁଡୁ ମୃତ ଶରୀର ପଡ଼ିଥିବା ଗାଁ ଲୋକେ ଖବର ପାଇଥିଲେ । ପୁଲିସ ପ୍ରାଥମିକ ତଦନ୍ତ କରିବା ସହ ମୃତ ଶରୀର ଜବତ କରି ଶନିବାର ସକାଳେ ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି । ତତ୍ସହିତ ନହରା ପଞ୍ଚାୟତ ସାତଶୁଳିଆ ଫ୍ଲାଏ ଆଶ ଇଟାଭାଟି ପାଖରୁ ଚାଳକ ସହ ଟ୍ରାକ୍ଟର ଏବଂ ସିଅାଁରୁଇ ପଞ୍ଚାୟତ କଲ୍ୟାଣପୁର ଠାରୁ ଚାଳକ ଓ ଖଲାସି ସହ ଡମ୍ପରକୁ ଜବତ କରି ଥାନାରେ ଅଟକ ରଖିଛି ।
ପୁଲିସ ସୂଚନା ମୁତାବକ, ୨୦୧୬ରେ ଉତ୍ତର ଗୋଆ କାଲାନଗୁଟା ଥାନା କେସ ନଂ ୧୦୨/୧୬ରେ ଜଗା ନାମରେ ଏକ ହତ୍ୟା ଉଦ୍ୟମ ମାମଲା ରହିଥିଲା ବେଳେ କମର୍ଦ୍ଧା ଥାନାରେ ୨୦୧୬ ଅଗଷ୍ଟ ୧ରେ ସାହୁଛକ ଗହଣା ବ୍ୟବସାୟୀ ଚନ୍ଦନ କାମିଳାଙ୍କୁ ହତ୍ୟା ଉଦ୍ୟମ ଓ ଲୁଟ୍ ଘଟଣାରେ ଥାନା କେସ ନଂ ୪୧/୧୬, ୨୦୧୭ ଅଗଷ୍ଟ ୧୫ରେ କମର୍ଦ୍ଧା ଥାନା ଏଏସଆଇ ବିମଳ କରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଥାନା କେସ ନଂ ୪୧/୧୭, ୨୦୧୮ ଫେବ୍ରୁଆରୀ ୨୧ ତାରିଖରେ ନହରା ଛକ ଔଷଧ ଦୋକାନୀ ପ୍ରଦୀପ୍ତ ରଞ୍ଜନ ଦାସଙ୍କୁ ହତ୍ୟା ଉଦ୍ୟମ ଓ ଲୁଟ୍ ଘଟଣାରେ ଥାନା କେସ ନଂ ୧୪/୧୮ ଓ ୨୦୧୯ ନଭେମ୍ବବର ୮ ତାରିଖରେ ସାତଶୁଳିଆ ଛକରେ ଜନୈକ ପିକ୍ଅପ୍ ଭ୍ୟାନ ଚାଳକଙ୍କ ମୁଣ୍ଡରେ ବ୍ଲେଡ୍ରେ କାଟିି ଲୁଟ୍ ଘଟଣାରେ ଥାନା କେସ ନଂ ୧୦୯/୧୯ରେ ମାମଲା ରହିଥିଲା ବେଳେ ଅଜ୍ଞାତ ଆତତାୟୀ ଭାବେ ବହୁ ମାମଲାରେ ସେ ଜଡ଼ିତ ରହିଛି । ସେହିପରି ଜଳେଶ୍ୱର ଥାନାରେ ୨୦୧୯ ଫେବ୍ରୁଆରୀ ୧୦ରେ ଆମ୍ବଳିଅଠା ଛକ ଠାରେ ଅପେରା ଦେଖି ଫେରୁଥିବା ୨ଜଣ ଯୁବକଙ୍କ ଗଳାରେ ବ୍ଲେଡ ମାରି ହତ୍ୟା ଉଦ୍ୟମ ଓ ବେଆଇନ ବନ୍ଧୁକ ରଖିବା ଘଟଣାରେ ଥାନା କେସ ନଂ ୨୯/୧୯ ଓ ୨୦୧୯ ଡିସେମ୍ବର ୯ ରେ ସୁଗୋ ଛକ ଠାରେ ବୁଦେ୍ଧଶ୍ୱର ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଥାନା କେସ ନଂ ୩୩୧/୧୯, ବାଲିଆପାଳ ଥାନାରେ ୨୦୨୦ ଜୁଲାଇ ୧୧ ରେ ବାଲି ଖାଦାନ ମାଲିକଙ୍କ ସହଯୋଗୀ ଭାବେ ତାଙ୍କ ସହିତ ଯାଇ ଛୋଟ ଖାନପୁର ଗାଁର ଟ୍ରାକ୍ଟର ଚାଳକ ବେଣୁଧର ମାହାନା ଏବଂ ତାଙ୍କ ପତ୍ନୀ ରେବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଥାନା କେସ ନଂ ୧୪୩/୨୦ ରେ ମାମଲା ରହିଛି । ସେହିପରି ବାଲେଶ୍ୱର ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ରାଜ୍ୟରେ ମଧ୍ୟ ଜଗା ନାମରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଏହାବାଦ ଭୋଗରାଇ, କମର୍ଦ୍ଧା, ଜଳେଶ୍ୱର, ବସ୍ତା ଆଦି ଥାନାରେ ବହୁ ଅଜ୍ଞାତ ଅପରାଧୀ ମାମଲାରେ ଜଗା ଜଡ଼ିତ ରହିଥିବା ନେଇ ସୂଚନା ମିଳିଛି ।
Comments are closed, but trackbacks and pingbacks are open.