କୁଜଙ୍ଗ ଚୁନବେଲାରୀରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ରାଜନୀତି, ଅଭିଯୁକ୍ତର ବିଜେଡି ସହ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି
ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଚୁନବେଲାରୀ ଗାଁର ଯୁବତୀଙ୍କ ମୃତଦେହ ଉଦ୍ଧାରକୁ ଏବେ ତେଜିଛି ରାଜନୀତି । ଘଟଣାକୁ ନେଇ ବିଜେଡି ବିରୋଧରେ ଅଭିଯୋଗ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି ଯେ, ଯୁବତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସହ ଶାସକ ଦଳ ସଂପର୍କ ଅଛି । ମୃତ ଯୁବତୀ ଜଣଙ୍କ ଜଗତପୁରର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ୧୫ଦିନ ବିତିଗଲା ପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ଆଣିଛି ବିଜେପି । ଏହାସହ ଦଳ ଅଭିଯୋଗ କରିଛି, ସମଗ୍ର ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଛି । ପ୍ରତିଦିନ ୭ରୁ ଅଧିକ ଦୁଷ୍କର୍ମ ଘଟଣା ଘଟୁଛି ।
ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛି ବିଜେପି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ବିଜେଡି ଦଳ ସହ ସମ୍ପର୍କରେ ଥିବାରୁ ଘଟଣାକୁ ଓଲଟାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଭୁ ତରାଇ ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯୁବତୀଙ୍କ ଅପମୃତ୍ୟୁ ଘଟଣାର ଅଭିଯୁକ୍ତ ଶୁଭ୍ରାଂଶୁ ବିଶ୍ବାଳ ବିଜେଡ଼ିର ଆଗ ଧାଡିର କର୍ମୀ । ତାଙ୍କୁ ସୁରକ୍ଷା ଦେବାକୁ ପାରାଦୀପ ବିଧାୟକ ତୃତୀୟ ମହଲାରୁ ଚାପ ପକାଉଥିବା ବିଜେପି ଅଭିଯୋଗ ଆଣିଛି । ମୃତ ଯୁବତୀଙ୍କ ପରିବାର ପୋଲିସ ଡ଼ିଜିଙ୍କୁ ଭେଟିବାକୁ ଚାହିଁଲେ ମଧ୍ୟ ସମୟ ଦିଆଯାଉନାହିଁ । ଏହି ଘଟଣା ନେଇ ୧୭ତାରିଖ ପରେ ସ୍ଥାନୀୟ ଜନସାଧାରଣ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବିରେ ରେଳରୋକ କରିବେ । ଦୋଷୀ ବିରୋଧରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ନହେଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ବିଭୁ ତରାଇ ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.