ଭୁବନେଶ୍ୱର,(ବି.ବି.ବ୍ୟୁରେ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉନ୍ନତମାନର ବିହନ କୃଷକ ମାନଙ୍କୁ ଅଧିକ ପରିମାଣରେ ଯୋଗାଇ ଦିଆଯିବ । ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତାପ୍ରାପ୍ତ ହୋଇ ଓଡ଼ିଶା ବଳକା ରାଜ୍ୟ ହେବାର ସମ୍ଭାବନା ରହିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ପୂର୍ବାହ୍ନରେ କୃଷି ଭବନରେ ଅନୁଷ୍ଠିତ ବିଭିନ୍ନ କୃଷି ସଂସ୍ଥା ସହିତ ବୁଝାମଣାପତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ରାଜ୍ୟରେ ଅଣଧାନ ଚାଷ ସହିତ ଡାଲି, ତୈଳବୀଜ, ପନିପରିବା ଓ ଫଳଚାଷ ଉତ୍ପାଦନ ଦିଗରେ ଦୃଷ୍ଟି ଦିଆଯାଉଛି । ଫଳରେ ଆଗାମୀ ଦିନରେ ରାଜ୍ୟ ସ୍ୱାବଲମ୍ବୀ ହୋଇ ବଳକା ଖାଦ୍ୟଶସ୍ୟ ପଡ଼ୋଶୀ ରାଜ୍ୟ ଗୁଡ଼ିକୁ ରତ୍ପାନୀ କରିପାରି । ଏହି ଲକ୍ଷ୍ୟ ହାସଲ ପାଇଁ ଦେଶର କୃଷିଭିତ୍ତିକ ଅଗ୍ରଣୀ ସଂସ୍ଥା ସହିତ ଆମ ବିଭାଗ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏଥି ସହିତ ରାଜ୍ୟର ବିଭିନ୍ନ ନିଗମ ସହିତ ବାର୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ ।
ଏହି ଅବସରରେ ଭୂମିହୀନ ଚାଷୀଙ୍କ ଜୀବିକାନିର୍ବାହରେ ଉନ୍ନତି ଆଣିବା ଲାଗି କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟ ଓ ‘ ଦ୍ୱାରା ଟ୍ରଷ୍ଟ’ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ସଂସ୍ଥା ଫସଲ ବୁଣା ଠାରୁ ଆରମ୍ଭ କରି ବୀମା ଓ ଅମଳ ପର୍ଯ୍ୟନ୍ତ କୃଷକମାନଙ୍କୁ ସମୟ ଉପଯୋଗୀ ପରାମର୍ଶ ଦେବ । ସେହିଭଳି ବିହନ ଉତ୍ପାଦନ କାର୍ଯ୍ୟକୁ ବ୍ୟାପକ କରିବା ଲାଗି ଏଚ୍ଆଇଏଲ୍ ଓ ନାଫେଡ୍ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଅନୁରୂପ ଭାବେ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ଆପିକଲ, କାଜୁ ଚାଷର ବିକାଶ ନିମନ୍ତେ ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ, ଓଡ଼ିଶା କୃଷିଶିଳ୍ପ ନିଗମ ଆଦି ସହିତ ବୁଝାମଣାପତ୍ର ସ୍ୱାକ୍ଷରତି ହୋଇ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ ନିମନ୍ତେ ଯୋଜନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ.ଏମ୍ ମୁଥୁକୁମାରଙ୍କ ସମେତ ବିଭିନ୍ନ ସଂସ୍ଥା ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.