ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଗଣଶିକ୍ଷାମନ୍ତ୍ରୀଙ୍କ ଅଚାନକ୍ ଗସ୍ତ ପରେ ଏବେ ଆକ୍ସନ ମୋଡରେ କୃଷି ମନ୍ତ୍ରୀ । କୃଷି ବିଭାଗର ବିଭିନ୍ନ ଅଫିସକୁ ଆଜି ଅଚାନକ ଗସ୍ତ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଅଫିସଗୁଡି଼କରେ ବିଭିନ୍ନ ଯୋଜନା ଓ କାର୍ଯ୍ୟର ତଦାରଖ କରିଛନ୍ତି । ଅଫିସରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି ।
ମନ୍ତ୍ରୀ ଡ. ସାହୁ ଆଜି ପୂର୍ବାହ୍ନରେ ବରମୁଣ୍ଡାଠାରେ ଥିବା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ପ୍ଲାଣ୍ଟ ପ୍ରୋଟେକ୍ସନ୍ ଅଫିସ୍, ରାଜ୍ୟ ବାୟୋ ଫର୍ଟିଲାଇଜର ଟେଷ୍ଟିଂ ଲାବୋରେଟୋରୀ, ଓଡ଼ିଶା ରାଜ୍ୟ ସିଡସ୍ ଓ ଅର୍ଗାନିକ ପ୍ରଡକ୍ଟ ସାର୍ଟିଫିକେସନ ଏଜେନ୍ସି ଓ କ୍ଷେତ୍ର ବିଜ୍ଞାନୀ, କ୍ଷୁଦ୍ର ଜଳସେଚନ ଓ ଜଳବିନିଯୋଗ ତାଲିମ ପ୍ରତିଷ୍ଠାନକୁ ବି ଯାଇଥିଲେ । ସେଠାରେ ବିଭିନ୍ନ ଚାଷଭିତ୍ତିକ ଯୋଜନାର ରୂପାୟନ ଓ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହାର ଆଗାମୀ କାର୍ଯ୍ୟପନ୍ଥା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ଷେତ୍ରରେ ସମୟାନୁବର୍ତ୍ତିତା ଓ ପାରଦର୍ଶିତା ଦେଖାଇବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ବେଳେ କିଛି ଅଧିକାରୀ ଓ କର୍ମଚାରୀ ବିଳମ୍ବରେ ଅଫିସ୍ ପହଞ୍ଚିଥିଲେ । ସମୟରେ ଅଫିସରେ ପହଞ୍ଚିବା ନେଇ ଏମାନଙ୍କୁ ଅରୁଣ ତାଗିଦ୍ କରିଛନ୍ତି । ଆଉ କିଛି ବିନା ଅନୁମତିରେ ଅଫିସ୍ ଆସିନଥିଲେ । ଏହି କର୍ମଚାରୀଙ୍କୁ କୈଫିୟତ ମାଗିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ଅଚାନକ୍ ଗସ୍ତରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମହଲରେ ଚଡ଼କ ପଡି଼ଛି । ସୂଚନାଯୋଗ୍ୟ, ଜୁନ୍ ମାସରେ ବିଭିନ୍ନ ଯୋଜନା ଓ ସ୍କିମ୍ର ରିୟଲିଟି ଚେକ୍ କରିବାକୁ ଗାଁକୁ ଯିବାକୁ ସେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


Comments are closed, but trackbacks and pingbacks are open.