କେନାଲ ଭିତରୁ ୨ ହାତୀ ଛୁଆ ଉଦ୍ଧାର

Get real time updates directly on you device, subscribe now.

ଚମ୍ପୁଆ, (ବି.ବି.ନୁ୍ୟଜ୍): ହାତୀମାନଙ୍କ ଚଲାପଥରେ ଖୋଳା ଯାଇଥିବା କାନପୁର ବୃହତ ନଦୀ ବନ୍ଧ ଯୋଜନାର ଶାଖା କେନାଲ ଭିତରେ ଗଳି ପଡିଥିଲେ ୨ ହାତୀ ଛୁଆ । ସାରା ରାତି ହାତୀ ପଲ ୨ ଛୁଆଙ୍କୁ ଜଗି ରହିଥିବାବେଳେ ପରେ ଗ୍ରାମବାସୀଙ୍କ ସହାୟତାରେ ବନବିଭାଗ ଜେସିବି ମେସିନ ସାହାଯ୍ୟରେ ହାତୀ ଛୁଆଙ୍କୁ କେନାଲ ଭିତରୁ ଉଦ୍ଧାର କରିବାରେ ସଫଳ ହୋଇଛି । ଦୁଇ ଘଣ୍ଟା କାଳ ହାତୀ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ପରିଶ୍ରମ ଜାରି ରହିଥିଲା । ଏହାକୁ ଦେଖିବା ପାଇଁ ଗ୍ରାମବାସୀ ଜମା ହୋଇଥିଲେ ।
ଚମ୍ପୁଆ ବ୍ଲକ ଅନ୍ତର୍ଗତ ଯାମୁଦଲକ ଗ୍ରାମ ପେଟ୍ରୋଲ ପମ୍ପ ସମ୍ମୁଖ ବାଙ୍କ ବନ୍ଧରୁ ମଙ୍ଗଳପୁର ପଟକୁ କାନପୁର କେନାଲର ଏକ ଶାଖା କେନାଲ ଯାଇଛି । ଗାଁ ମୁଣ୍ଡରେ କେନାଲଟିକୁ କଂକ୍ରିଟ କରାଯାଇ ନିର୍ମାଣ କରାଯାଇଥିବାବେଳେ ଏହା ଭିତରକୁ ପୂର୍ବରୁ ଗାଈ, ବାଛୁରୀ ଖସି ପଡିବା ନଜିର ରହିଛି । ତେବେ ଗତ ମଙ୍ଗଳବାର ଚମ୍ପୁଆକୁ ପସି ଆସିଥିବା ୨୨ ଜଣିଆ ହାତୀ ପଲ ଏହି ରାସ୍ତା ଦେଇ ମଙ୍ଗଳପୁରରୁ କଙ୍କଡାପାଟ ୁ ଯିବାକୁ ଉଦ୍ୟମ କରିଥିଲେ । ବନବିଭାଗ ଓ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଛୁଆ ହାତୀ ଦୁଇଟି ହଠାତ୍ କଂକ୍ରିଟ କେନାଲ ଭିତରକୁ ଖସି ପଡ଼ିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ହାତୀ ପଲ ଛୁଆ ଦ୍ୱୟଙ୍କୁ କେନାଲରୁ ବାହାର କରି ନ ପାରି ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା । ପରେ ବନବିଭାଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୀର୍ଘ ସମୟ ବିତିବା ପରେ ବି ହାତୀ ଛୁଆଙ୍କୁ କେନାଲ ଭିତରୁ ବାହାର କରିବା ସମ୍ଭବ ନ ହେବାରୁ ଶେଷରେ ଜେସିବି ମେସିନ ସହାୟତା ନିଆଯାଇଥିଲା । କେନାଲକୁ ତଡ଼ାଯିବା ପରେ ହାତୀ ଛୁଆ ଉଦ୍ଧାର ହୋଇଥିଲେ । ଛୁଆ ଦ୍ୱୟଙ୍କୁ ଫେରି ପାଇବା ପରେ ହାତୀ ପଲ ନିକଟସ୍ଥ ମିରିଗିସିଙ୍ଗା ଜଙ୍ଗଲକୁ ଚାଲି ଯାଇଥିବା ଜଣାପଡିଛି । କାନପୁର ପ୍ରକଳ୍ପର କେନାଲ କାମ ହାତୀଙ୍କ ପାଇଁ ବାଧକ ସାଜିଛି । ଅନେକ ସ୍ଥାନରେ ଦିଶାହୀନ ଯୋଜନା କଂକ୍ରିଟ କେନାଲ ଖୋଳାଯାଇ ତାକୁ ମୁକୁଳା ରଖାଯାଇଥିବାରୁ ବାରମ୍ବାର ନିରୀହ ପ୍ରାଣୀ କେନାଲ ଭିତରକୁ ଖସି ପଡି ଯନ୍ତ୍ରଣା ଭୋଗୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons