କେନ୍ଦୁଝର,(ବି.ବି.ନୁ୍ୟଜ୍): ମଙ୍ଗଳବାର ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ମୂଷଳ ଧାରାରେ ବର୍ଷା ଜାରି ରହିବାରୁ କେନ୍ଦୁଝର ଜିଲ୍ଲାର ମୋଟ ୧୨୧ ଗାଁ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିବା କ୍ଷୟକ୍ଷତି ରିପୋର୍ଟ ମୁତାବକ ଜିଲ୍ଲାର ୧୩ଟି ଯାକ ବ୍ଲକ୍ ପ୍ରଭାବିତ ହୋଇଥିବା ଜଣାପଡିଥିବାବେଳେ ୩ଟି ମୁ୍ୟନିସିପାଲିଟି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପ୍ରଭାବରେ ୧୨୯୯ ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୯୨ଟି ଘର ମାଟିରେ ମିଶିଯାଇଛି । ୨୧୩ ଟିି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୯୯୪ଟି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ଗୁରୁବାର ସୁଦ୍ଧା ବର୍ଷାରେ ଆନନ୍ଦପୁର ଥାନା କନ୍ତଡିହ ଅଞ୍ଚଳର ସନାତନ ଦେହୁରୀ(୨୧) ଏବଂ କଟକ ମଙ୍ଗଳାବାଗ ଅଞ୍ଚଳର ଦୁର୍ଗା ପ୍ରସାଦ ସେଠୀ(୨୭)ନାମକ ୨ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ସୁଦ୍ଧା ୨୬୫୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ୩୦ ଗୋଟି ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ର ୨ଟି ଡଙ୍ଗା ନିୟୋଜିତ ରହିଥିବା ସୂଚନା ଦିଆଯାଇଛି । ଘର କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ପଲିଥିନ ବଣ୍ଟନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୫୧ଟି କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ପ୍ରଦାନ କରାଯାଇଥିବା ସୂଚନା ରହିଛି ।
Comments are closed, but trackbacks and pingbacks are open.