କେନ୍ଦ୍ରର ଦୁର୍ନୀତି ନିରୋଧୀ ଅଭିଯାନ:ଆଉ ୨୨ ଅଧିକାରୀଙ୍କୁ ପ୍ରହାର

Get real time updates directly on you device, subscribe now.

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦୁର୍ନୀତି ନିରୋଧୀ ଅଭିଯାନରେ ବଳିପଡ଼ିଛନ୍ତି ଆଉ ୨୨ ବରିଷ୍ଠ ଅଧିକାରୀ । ଏହି ଟିକସ ପଦାଧିକାରୀମାନଙ୍କୁ ଅବସର ପୂର୍ବରୁ ବହିଷ୍କାର କରାଯାଇଛି । ଏମାନଙ୍କ ବିରୋଧରେ ଦୁର୍ନୀତି ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି ।ମୋଦି ସରକାରଙ୍କ ନିଷ୍ପତ୍ତିକ୍ରମେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବହିଃଶୁଳ୍କ ବୋର୍ଡ (ସିବିଆଇସି) ଏହି ଦୁର୍ନୀତିଖୋର ଅଧିକାରୀମାନଙ୍କୁ ବିଦା କରିଛି । ଏହି ୨୨ ଟିକସ ଅଧିକାରୀ ସୁପରିଣ୍ଟେଣ୍ଡେଣ୍ଟ ର‌୍ୟାଙ୍କ୍ର ଥିଲେ । ମୌଳିକ ନିୟମ ୫୬ (ଜେ) ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୁନ୍ ପରଠାରୁ ସରକାରଙ୍କ ଏହି ଅଭିଯାନ ଜାରି ରହିଛି ।ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମୋଦି ସରକାର ମୋଟ ୨୭ ବରିଷ୍ଠ ପଦାଧିକାରୀଙ୍କୁ ବିଦା କରିଥିଲେ । ଏମାନେ ସମସ୍ତେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଥିଲେ । ଏମାନଙ୍କ ମଧ୍ୟରୁ ୧୨ ଜଣ ପ୍ରତ୍ୟକ୍ଷ ଟିକସ ସଂସ୍ଥା ସିବିଡିଟି ଅଧୀନରେ କାର୍ଯ୍ୟ କରୁଥିଲେ । ଜୁନ୍ରେ ସରକାର ୧୫ କମିଶନର ସ୍ତରୀୟ ଟିକସ ଅଧିକାରୀଙ୍କୁ ବାହାର କରିଥିଲା ବେଳେ ଏହା ପୂର୍ବରୁ ୧୨ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ ଆଗୁଆ ଅବସର ଦିଆଯାଇଥିଲା । ଅର୍ଥାତ୍ ଏହି ୩ଟି ପର୍ଯ୍ୟାୟରେ ମୋଟ ୪୯ ଜଣଙ୍କୁ ବାହାର କରାଗଲାଣି ।ସଦ୍ୟ ଘଟଣାରେ ସିବିଆଇସି ମୋଟ ୧୨ଟି ଜୋନ୍ର ଲାଞ୍ଚୁଆ ତଥା ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଜୋନ୍ଗୁଡ଼ିକ ମଧ୍ୟରେ ନାଗପୁର, ଭୋପାଳ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଜୟପୁର, କୋଲକାତା, ମୀରଟ, ମୁମ୍ବାଇ, ବେଙ୍ଗାଲୁରୁ କଷ୍ଟମ୍ସ, ମୁମ୍ବାଇ କଷ୍ଟମ୍ସ ଜୋନ୍-୨ ଏବଂ ଚଣ୍ଡିଗଡ଼ ରହିଛି ।ବହିଷ୍କୃତ ଅଧିକାରୀଙ୍କ ମଧ୍ୟରେ ଭୋପାଳରୁ ସର୍ବାଧିକ ରହିଛନ୍ତି । ଏମାନେ ହେଲେ କେ କେ ଉଇକେ, ଏସ୍ ଆର ପରାତେ, କୈଳାସ ବର୍ମା, କେ ସି ମଣ୍ଡଳ, ଏମ୍ ଏସ୍ ଦାମୋର, ଆର୍ ଏସ୍ ଗୋଗିୟା, କିଶୋର ପଟେଲ, ଜେ ସି ସୋଲାଙ୍କି, ଏସ୍ କେ ମଣ୍ଡଳ, ଗୋବିନ୍ଦ ରାମ ମାଲବୀୟ, ଏ ୟୁ ଛପରାଗଡ଼େ । ସେହିଭଳି ଚେନ୍ନାଇରୁ ଏସ୍ ଅଶୋକରାଜ, ବେଙ୍ଗାଲୁରୁରୁ ଦୀପକ ଏମ୍ ଗଣେୟାନ୍, ଦିଲ୍ଲୀର ପ୍ରମୋଦ କୁମାର, ଜୟପୁରର ନବନୀତ ଗୋୟଲ, କୋଲ୍କାତାର ଅଚିନ୍ତ୍ୟ କୁମାର ପ୍ରାମାଣିକ, ମୀରଟ୍ର ଭି କେ ସିଂହ, ମୁମ୍ବାଇର ଡି ଆର ଚତୁର୍ବେଦୀ, ବେଙ୍ଗାଲୁରୁର ଡି ଅଶୋକ, ମୁମ୍ବାଇ କଷ୍ଟମ୍ସ ଜୋନ୍ ୨ର ଲୀଲା ମୋହନ ସିଂହ ଏବଂ ଚଣ୍ଡିଗଡ଼ର ଭି ପି ସିଂହ ରହିଛନ୍ତି ।୫୬(ଜେ) ନିୟମ ଅନୁସାରେ କୌଣସି ଅଧିକାରୀ ୩୦ ବର୍ଷ ସେବା ପୂରଣ କରିଥିଲେ ବା ତାଙ୍କ ବୟସ ୫୦ ଅଥବା ୫୫ ବର୍ଷ ହୋଇଥିଲେ, ସେମାନଙ୍କ ବାଧ୍ୟତାମୂଳକ ଅବସର କଥା ଚିନ୍ତା କରାଯାଇଥାଏ । ଜନତାଙ୍କ ହିତ ଦୃଷ୍ଟିରୁ ଏମାନଙ୍କୁ ହଟାଯାଇ ନୂଆ ନିଯୁକ୍ତି ଦିଆଯାଏ । ଏହି ପଦକ୍ଷେପ ନିଆଯିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ଅପରାଧ ରେକର୍ଡକୁ ଭଲ ଭାବେ ସମୀକ୍ଷା କରାଯାଇଥାଏ । ଏହି ନିୟମକୁ ଦୀର୍ଘଦିନ ଧରି ବ୍ୟବହାର କରାଯାଉନଥିଲା । କିନ୍ତୁ ୨୦୧୪ ମେ ମାସରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାର ଉପଯୋଗ କରିଥିଲେ । ଦୁର୍ନୀତି, ବେଆଇନ ତଥା ଆୟବହିର୍ଭୂତ ସମ୍ପତ୍ତି ଠୁଳ, ପେସାଗତ ଅନିୟମିତତା ଭଳି ମାମଲାରେ ଅଭିଯୁକ୍ତ ଥିବା ଅଧିକାରୀଙ୍କୁ ଏଥିରେ ଟାର୍ଗେଟ୍ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons