କେନ୍ଦ୍ରର ‘ବୁଲ୍ବୁଲ୍’ ପ୍ୟାକେଜ୍:ଓଡ଼ିଶାକୁ ମିଳିଲା ୫୫୨ କୋଟି

Get real time updates directly on you device, subscribe now.

ମୋଦି, ଶାହଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲ: ବାତ୍ୟା ‘ବୁଲ୍ବୁଲ୍’ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ସହାୟତା ଭାବେ ୪୧୪.୯୦ କୋଟି ଟଙ୍କା ମିଳିଛି । କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
ସେପଟେ ବୁଲ୍ବୁଲ୍ କ୍ଷତି ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ସହାୟତା ଯୋଗାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି । କେନ୍ଦ୍ରର ଏହି ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ବୁଲ୍ବୁଲ୍ ସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରିବାରେ ସହାୟକ ହେବ । ଏଥିସହ ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜୀବନଜୀବିକାର ପୁନରୁଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ଉପଯୋଗ ହୋଇପାରିବ ।
ଲୋକସଭାରେ ସୂଚନା ଦେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି, ବାତ୍ୟା ବୁଲ୍ବୁଲ୍ ଯୋଗୁ ପଶ୍ଚିମବଙ୍ଗରେ ୧୧ ଲୋକଙ୍କ ମୃତୁ୍ୟ ହେବା ସହିତ ୩୫.୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ଜଣାଇଥିଲେ । ସେହିଭଳି ଓଡ଼ିଶାରେ ମୋଟ ୩୮.୦୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟ ମିଳିଥିଲା । ତାହାକୁ ଦୃଷ୍ଟିରେ ରଖି ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବାତ୍ୟା ଯୋଗୁ ଦୁଇ ରାଜ୍ୟରେ ସଡ଼କ, ପୋଲ, ବାସଗୃହ ଆଦି କ୍ଷତିଗ୍ରସ୍ତ ହୋଇଥିଲା । ଅନେକ ଲୋକ ବାସହରା ହୋଇଥିବା ରିପୋର୍ଟ ମିଳିଥିଲା ।
କେନ୍ଦ୍ରମନ୍ତ୍ରୀ ରେଡ୍ଡୀ ଆହୁରି କହିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ଅଧୀନରେ ଚଳିତବର୍ଷ ଏପ୍ରିଲ ପହିଲା ସୁଦ୍ଧା ଓଡ଼ିଶାକୁ ୪୪୭.୫୨ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗକୁ ୨୬୪.୭୦ କୋଟି ଟଙ୍କା ଉପଲବ୍ଧ ହୋଇଥିଲା । ୨୦୧୯-୨୦ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏସଡିଆରଏଫରେ ଓଡ଼ିଶାକୁ ୫୫୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିଭଳି ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଟଙ୍କା ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ) ଅଧୀନରେ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବାତ୍ୟା ବୁଲ୍ବୁଲ୍ ପରେ କେନ୍ଦ୍ର ସରକାର ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ (ଆଇଏମସିଟି) ଗଠନ କରିଥିଲେ । ଏହି ଟିମ୍ଦ୍ୱୟ ଉଭୟ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ । ଏନଡିଆରଏଫରୁ ଅତିରିକ୍ତ ସହାୟତା ପାଇବା ଲାଗି ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଲିଖିତ ଦାବି ଉପସ୍ଥାପନ କରାଯାଇ ନାହିଁ ।
ତା’ଛଡ଼ା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ନିମନ୍ତେ ପ୍ରଥମେ ରାଜ୍ୟ ସରକାର କାର୍ଯ୍ୟ କରିଥାନ୍ତି । ବିପର୍ଯ୍ୟୟ ପରିଚାଳନା ଲାଗି ରାଜ୍ୟ ପ୍ରାଥମିକ ପଦକ୍ଷେପ ନେଇଥାଏ । କିନ୍ତୁ କେନ୍ଦ୍ର ସରକାର ଏବେ ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ପରିବହନ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଫଳରେ ସେମାନେ ଫଳପ୍ରଦ ଭାବେ ଦୁର୍ବିପାକର ମୁକାବିଲା କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୯ରେ ବାତ୍ୟା ବୁଲ୍ବୁଲ୍ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳକୁ ମାଡ଼ କରିଥିଲା । ଏହାପରେ ବାତ୍ୟା ବାଂଲାଦେଶ ଆଡେ଼ ମୁହାଁଇଥିଲା । ଏହାଦ୍ୱାରା ଉଭୟ ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ପଶ୍ଚିମବଙ୍ଗରେ ୧୧ ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ରାଜ୍ୟକୁ ୨୩,୦୦୦ କୋଟି ଟଙ୍କା କ୍ଷତି ଘଟିଥିବା ଆକଳନ କରାଯାଇଥିଲା । ଓଡ଼ିଶାରେ ପାଖାପାଖି ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିଲା । ୨.୩ ଲକ୍ଷ ହେକ୍ଟରରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଏହାବ୍ୟତୀତ ୧୬ ଲକ୍ଷ ବିଦୁ୍ୟତ୍ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ୫,୫୦୦ ଘର ଭାଙ୍ଗିଥିବା ପ୍ରାକ୍ ଆକଳନରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons