କେନ୍ଦ୍ରାପଡ଼ା ଏସ୍ପିଙ୍କ ପାଇଁ ଗୃହ ହୁଲସ୍ତୁଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିବା ତଥା ମାଡ଼ ମାରିବା ଘଟଣାକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି । ବିରୋଧୀ ଦଳ ସଦସ୍ୟମାନେ ଜୋରଦାର ହଙ୍ଗାମା କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିବାରୁ ପ୍ରଶ୍ନକାଳ ପରେ କୌଣସି କାର୍ଯ୍ୟ ଚାଲିପାରିନାହିଁ । ବାଚସ୍ପତି ବାଧ୍ୟହୋଇ ଗୃହକୁ ବାରମ୍ବାର ମୁଲତବି କରିଥିଲେ ସୁଦ୍ଧା ସ୍ୱାଭାବିକ ନ ହେବାରୁ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବି ରହିଛି । ଅପରାହ୍ଣରେ ମଧ୍ୟ ହଙ୍ଗାମା ଥମିନଥିଲା । ଏସ୍ପିଙ୍କ ଗିରଫ ଦାବିରେ କଂଗ୍ରେସ ଗୃହରେ ଧରଣାରେ ବସିଥିଲାବେଳେ ବିଜେପି ଗୃହ ବର୍ଜନ କରିଛି ।
ଆଜି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍ପିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଗତକାଲି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିଲା । ଏହି ସମୟରେ କିଛି ସାମ୍ବାଦିକ ସେଠି ଉପସ୍ଥିତ ଥିଲେ । ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍ପି ନୀତିଶେଖର ମାଡ଼ ମାରିଥିଲେ । ପୂର୍ବରୁ ପୁରୀରେ ମଧ୍ୟ ସାମ୍ବାଦିକଙ୍କୁ ପୁଲିସ ମାଡ଼ ମାରିଥିଲା । ଅଧିକାଂଶ ଜିଲ୍ଲାରେ ଜିଲ୍ଲାପାଳମାନେ ବିଜେଡିର ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । ଏହା ଏକ ଗୁରୁତର ଘଟଣା । ଚତୁର୍ଥ ସ୍ତମ୍ଭ ଉପରେ ହୋଇଥିବା ଏ ଆକ୍ରମଣର ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ତାଙ୍କୁ ଗିରଫ କରାଯାଉ ।
ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, କେନ୍ଦ୍ରାପଡ଼ା ଏସ୍ପି ଯେଉଁଭଳି ଭାବରେ ବ୍ୟବହାର କରିଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୁଁ ବୁଝିପାରୁନାହିଁ, ଏଠି ଗଣତନ୍ତ୍ର ଶାସନ ଚାଲିଛି ନା ରାଜତନ୍ତ୍ର ଅଥବା ନବୀନତନ୍ତ୍ର ଚାଲିଛି । କସ୍ମିନ୍କାଳେ ଏହା ବରାଦାସ୍ତ କରାଯିବ ନାହିଁ । ମହାରାଷ୍ଟ୍ରରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଆଇନ ଆଣିଛନ୍ତି । ଏଠି ସରକାର ସାମ୍ବାଦିକମାନଙ୍କୁ ସୁରକ୍ଷା ଦିଅନ୍ତୁ । ଘଟଣାର ତଦନ୍ତ କରାଯାଉ ଏବଂ ଏସ୍ପିଙ୍କୁ ଗିରଫ କରାଯାଉ ବୋଲି ତାରା କହିଥିଲେ । ଏ ପ୍ରସଙ୍ଗରେ ସେ ବାଚସ୍ପତିଙ୍କ ନିର୍ଦ୍ଦିଷ୍ଟ ରୁଲିଂ ଦାବି କରିଥିଲେ ।
ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏହି ପ୍ରସଙ୍ଗରେ କହିଥିଲେ, ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡି ପଡିଛି ବୋଲି ଆମେ ସ୍ୱର ଉଠାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲୁ । ଡେରିରେ ହେଲେ ମଧ୍ୟ ସେ ବିବୃତି ରଖିଲେ । କିନ୍ତୁ ଫଳ କ’ଣ ହେଲା? ଜଣେ ଏସ୍ପି ଗୁଣ୍ଡାଙ୍କ ଭଳି କାମ କରୁଛନ୍ତି । ସେ କହିଥିଲେ, ପୁରୀରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମରାହେଲା । କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନି । କିଟ୍ ବିଶ୍ୱବିଦ୍ୟାଳୟରେ ଗୁଣ୍ଡା ଲଗାଇ କର୍ତ୍ତୃପକ୍ଷ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ପରେ ବିଜେଡି ତାଙ୍କୁ ପୁରସ୍କାର ଦେଲା । ନିଜ ଦଳ ତରଫରୁ ତାଙ୍କୁ ସାଂସଦ କରାଗଲା । ସରକାର ଜାଣିଶୁଣି ସାମ୍ବାଦିକମାନଙ୍କ ମର୍ଯ୍ୟାଦା ହାନି କରୁଛି ।
ବାଚସ୍ପତି ଏଥିରେ କୌଣସି ରୁଲିଂ ନ ଦେବାରୁ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ମାଡ଼ିଯାଇ ଜୋରଦାର ନାରାବାଜି କରିଥିଲେ । ଏପଟେ କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ଆସନରେ ଠିଆ ହୋଇ ସ୍ଳୋଗାନ ଦେଉଥିଲେ । ଗୃହର ପରିସ୍ଥିତି ବାଚସ୍ପତିଙ୍କ ଆୟତ୍ତରେ ନ ଥିଲା । ବାଧ୍ୟ ହୋଇ ସେ ପନ୍ଦର ମିନିଟ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ । ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ଏକା ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତି ଯେତେ ବୁଝାସୁଝା କଲେ ମଧ୍ୟ କିଛି ପ୍ରଭାବ ପଡ଼ି ନ ଥିଲା । ବାଚସ୍ପତି କହିଥିଲେ, କେନ୍ଦ୍ରାପଡ଼ା ଏସ୍ପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏଣୁ ଏହା ଉପରେ ଆଉ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ନାହିଁ । କିନ୍ତୁ ବିରୋଧୀ ଦଳ ବାଚସ୍ପତିଙ୍କର ଏ କଥାକୁ ଗ୍ରହଣ କରି ନ ଥିଲେ । ଫଳରେ ବାଚସ୍ପତି ୧୦ ମିନିଟ୍, ୧୫ ମିନିଟ୍, ୫ ମିନିଟ୍ ଏଭଳି ୫/୬ ଥର ଗୃହ ମୁଲତବି କରିଥିଲେ । ଶେଷ ବେଳକୁ ବିଜେପି ସଦସ୍ୟମାନେ ଟିକେ ନରମି ଯାଇ ନିଜ ଆସନକୁ ଫେରି ଆସିଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଅଧିକ ଉଗ୍ର ହୋଇ ଉଠିଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ମହମ୍ମଦ ମୋକିମ୍ ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ୍ ଆଗରେ ଚେୟାର ଉପରେ ଛିଡ଼ା ହୋଇ ନାରାବାଜି କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ କିଏ କ’ଣ କହୁଛି, କିଛି ଶୁଭି ନ ଥିଲା । ବାଧ୍ୟହୋଇ ବାଚସ୍ପତି ୧୨ଟା ୫୬ ମିନିଟ୍ରେ ଗୃହକୁ ଅପରାହ୍ଣ ୩ଟା ଯାଏଁ ମୁଲତବି ଘୋଷଣା କଲେ ।
ଅପରାହ୍ଣରେ ମଧ୍ୟ ପରିସ୍ଥିତି କିଛି ସୁଧୁରି ନଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ନିରସିଂହ ମିଶ୍ର ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଜଣେ ଜେଇ ନିମ୍ନ ମାନର କାମ କରିଥିଲେ ବୋଲି ପାଟଣାଗଡ଼ ବିଧାୟକ ତାଙ୍କୁ ରାସ୍ତାରେ ଉଠବସ୍ କରାଇଥିଲେ । ପରେ ସେ ତାଙ୍କ କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ତାଙ୍କୁ କ୍ଷମା ମିଳିଲା ନାହିଁ । ସେ ଜେଲ୍ ଗଲେ ଏବଂ ଏବେ ଜାମିନ୍ରେ ଆସିଛନ୍ତି । କିନ୍ତୁ ଜଣେ ଏସ୍ପି ମାଡ଼ ମାରିଲେ ଏବଂ ଦୁଃଖ ପ୍ରକାଶ କରିଦେଲେ, କଣ ତାଙ୍କୁ ଛାଡ଼ ମିଳିଯିବ । ନରସିଂହ ବାଚସ୍ପତିଙ୍କୁ ପଚାରିଥିଲେ, ପ୍ରୋଟୋକଲ ଅନୁସାରେ ବଡ଼ କିଏ ? ଏସ୍ପି ନା ବିଧାୟକ । ଯଦି ବିଧାୟକ ଜେଲ ଗଲେ, ଏସ୍ପିଙ୍କ ପାଇଁ ଏତେ ଦରଦ କାହିଁକି? କେନ୍ଦ୍ରାପଡ଼ାରେ ନିର୍ବାଚନ ଚାଲିଛି । ଏସ୍ପି ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଠିକ୍ କି? ଆମେ ବାଚସ୍ପତିଙ୍କଠାରୁ ନିର୍ଦ୍ଧିଷ୍ଟ ରୁଲିଂ ଆଶା କରୁଥିଲୁ । ବାଚସ୍ପତି କହିଲେ, ସେ ଦୁଃଖ ପ୍ରକାଶ କରିସାରିଛନ୍ତି, ତେଣୁ ଆଲୋଚନା ନ ହେବା ଉଚିତ୍ । ଏଇଟା କ’ଣ ବାଚସ୍ପତିଙ୍କ ରୁଲିଂ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଏହା ରୁଲିଂ ନୁହେଁ । ମୁଁ ଟିଭିରେ ଦେଖିଥିଲି ତ, ସେ କଥା ଗୃହରେ କହିଦେଲି । ସେ ଦୁଃଖ ପ୍ରକାଶ କରିଛନ୍ତି ।
ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏହି ପ୍ରସଙ୍ଗ ପୁଣି ଉଠାଇ କହିଥିଲେ, ବାଚସ୍ପତି ଯଦି ରୁଲିଂ ନ ଦେଇଛନ୍ତି, ତା’ ହେଲେ ଏବେ ଦିଅନ୍ତୁ । ସରକାରୀ ଅଫିସର ଯେଉଁମାନେ କି ଦୋଷୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ବାଚସ୍ପତିଙ୍କ ରୁଲିଂ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଡି଼ ବସିଥିଲା । ବିଜେପି ସଦସ୍ୟମାନେ ତାଙ୍କ ଆସନରେ ଠିଆ ହୋଇ ହୋ ହଲ୍ଲା କରୁଥିଲା ବେଳେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଡକୁ ମାଡି଼ ଯାଇଥିଲେ । ବାଚସ୍ପତି ଏହାକୁ ଏଡାଇ ଯାଇ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରିବାକୁ ଡାକିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ଯଦି ବାଚସ୍ପତି ଆମ କଥା ଶୁଣିବାକୁ ନାରାଜ । ତା’ ହେଲେ ଆମେ ଗୃହରେ ରହିବୁ କାହିଁକି? ଆମେ ଏହାର ପ୍ରତିବାଦରେ କକ୍ଷ ତ୍ୟାଗ କରୁଛୁ ବୋଲି କହି ଚାଲିଯାଇଥିଲେ । ଏପଟେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ । କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ ଆମର ଦାବି… ବାଚସ୍ପତି ହାଏ ହାଏ… ବାଚସ୍ପତିଙ୍କ ମନମୁଖୀ ଶାସନ ଚଳିବ ନାହିଁ… ଚଳିବ ନାହିଁ… ସ୍ଲୋଗାନରେ ଗୃହ କମ୍ପିଲା । ବାଧ୍ୟ ହୋଇ ୩ଟା ୪୦ ମିନିଟ୍ରେ ବାଚସ୍ପତି ଗୃହକୁ ମୁଲତବି କରି ସର୍ବଦଳୀୟ ବୈଠକ ଡକାଇଥିଲେ । ହେଲେ ବିଜେପି ସଦସ୍ୟମାନେ ଆଉ ଲେଉଟି ନଥିଲେ । କଂଗ୍ରେସ ସଦସ୍ୟମାନଙ୍କୁ ଶାନ୍ତ କରାଇ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବାକୁ ରାଜି କରାଇବାରେ ସଫଳ ହୋଇଥିଲେ ବାଚସ୍ପତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons