କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହେଉଛି । ଏ ନେଇ ଆପତ୍ତି ଦେଖାଇଛି ରାଜ୍ୟ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଶାର ବିଜେପି ସାଂସଦମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଘର ବଣ୍ଟନ ମାମଲାରେ ଅନିୟମିତତା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି । ଏ ନେଇ କେନ୍ଦ୍ର ବିଚାର କରି ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ ଅନୁସାରେ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦେବା ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉ ଘର ବଣ୍ଟନ କରୁଛନ୍ତି ଏହାର ନାମ ନ ବଦଳାଇବାକୁ ଦାବି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବିଜେପି ସାଂସଦମାନେ ଶ୍ରୀ ତୋମାରଙ୍କୁ ଭେଟି ଅଭିଯୋଗ କରିଛନ୍ତି, ପିଏମଏୱାଇର ନାମ ବଦଳାଇ ଓଡ଼ିଶା ସରକାର ଘର ବାଣ୍ଟୁଛନ୍ତି । ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯେଉଁ ଘର ବଣ୍ଟନ ସହ ଅର୍ଥ ଯୋଗାଇଦିଆଯାଇଛି ତାର ତଦନ୍ତ କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇବାକୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି । ମାତ୍ର ଏହି ଯୋଜନାରେ ଘର ଯୋଗାଇବା ତଥା ମୋଦି ସରକାରଙ୍କ ଅର୍ଥ ମାମଲାରେ ରାଜ୍ୟରେ ଅନିୟମିତା ହେଉଛି । ତୃଣମୂଳସ୍ତରରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁକୁ ଉଲ୍ଲେଖ କରାଯାଉନାହିଁ ।
ଦାବିପତ୍ରରେ ବିଜେପି ଦର୍ଶାଇଛି, ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୧୯ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ଏହି ୧୯ ଲକ୍ଷ ପକ୍କା ଘର ଭିତରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭ ଲକ୍ଷ ଘର ନିର୍ମାଣ କରାଯାଇଛି । ମୋଦି ସରକାର ପିଏମଏୱାଇରେ ୨୦୧୭-୧୮ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୪୮୨୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ମାତ୍ର ଅନ୍ୟପଟେ ଗତ ତିନୋଟି ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଉଧ୍ୱର୍ ଟଙ୍କା ଓଡିଶାକୁ ଦିଆଯାଇଛି । ‘ଫୋନି’ବାତ୍ୟା ସମୟରେ ମଧ୍ୟ କେନ୍ଦ୍ର ସରକାର ଭାଙ୍ଗିଥିବା ୩.୮୯ ଲକ୍ଷ ଘର ପାଇଁ ୩ ହଜାର ୩୩୮ କୋଟି ରିଲିଫ ସହାୟତା ପାଇଁ ମଞ୍ଜୁରି ପ୍ରଦାନ କରଛନ୍ତି । ପିଏମ୍ ଆବାସ ଯୋଜନାର ଅନିୟମିତତା ତଥା ଏହି ମାମଲାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ବାବଦକୁ ଅର୍ଥ ମିଳିବା ଘଟଣାରେ ଉପଯୁକ୍ତ ତଦନ୍ତ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଜେପିର ସାଂସଦମାନେ ଶ୍ରୀ ତୋମାରଙ୍କ ଦୃଷ୍ଟି ଆକର୍ଷଣ କରି ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ନାଁରେ ଘର ବଣ୍ଟନ କରିବାକୁ ବିଜେପି ଟିମ୍ ଦାବି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons