କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ସରକାର ଦେଶର ୧୭ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିଶ୍ୱସ୍ତରୀୟ କରିବାକୁ କେନ୍ଦ୍ର ବଜେଟରେ ବ୍ୟବସ୍ଥା ହୋଇଛି । ଏ ତାଲିକାରେ ଓଡ଼ିଶାର ଗୋଟିଏ ହେଲେ ପର୍ଯ୍ୟଟନସ୍ଥଳୀ କିମ୍ବା ଐତିହ୍ୟ ସ୍ଥାନିତ ହୋଇନଥିବାରୁ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏ ସଂପର୍କରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ ଅତିକମ୍ରେ ଓଡ଼ିଶାର ଦୁଇଟି ପର୍ଯ୍ୟଟନସ୍ଥଳୀକୁ ଏ ତାଲିକାରେ ସ୍ଥାନ ମିଳୁ । ଏହାର ବିକାଶ ପାଇଁ କେନ୍ଦ୍ର ସହଯୋଗ କରୁ ।
ନବୀନ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାରେ ପ୍ରାଚୀନ ଐତିହ୍ୟସ୍ଥଳୀରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟଟନ ପୀଠ ଏବଂ ପ୍ରକୃତିର ଅପାର ସମ୍ଭାର ରହିଛି । ଏଥିରୁ କିଛି ପର୍ଯ୍ୟଟନସ୍ଥଳୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଚିଠିରେ ସୂଚନା ମଧ୍ୟ ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, କୋଣାର୍କର ସୂର୍ଯ୍ୟମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ୧୯୮୪ରେ ମାନ୍ୟତା ପାଇଛି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଉଦ୍ୟମ ସତ୍ତେ୍ୱ ଏ ପ୍ରାଚୀନ ଐତିହ୍ୟ ବହୁ ସଂକଟର ସମ୍ମୁଖୀନ ହୋଇଛି । ଏହି ସୂର୍ଯ୍ୟମନ୍ଦିର ନିକଟରେ ଥିବା ଚନ୍ଦ୍ରଭାଗା ବେଳାଭୂମି ବ୍ଲୁ ଫ୍ଲାଗ ବିଚ୍ ଭାବେ ତାଲିକାଭୁକ୍ତ ହୋଇଛି । ପର୍ଯ୍ୟଟକମାନଙ୍କ ପାଇଁ ଏହା ଆକର୍ଷଣୀୟ ସ୍ଥଳ ଭାବେ ପରିଗଣିତ ।
ସେହିଭଳି ଚିଲିକା ହ୍ରଦ ହେଉଛି ଦ୍ୱିତୀୟ ବୃହତ୍ତମ ରାମସାର ସାଇଟ୍ । ଏସିଆ ମହାଦେଶର ସର୍ବବୃହତ୍ ଲୁଣିହ୍ରଦ ଭାବେ ପରିଚିତ ଚିଲିକାରେ ଶୀତ ଆସିଲେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଏଠାରେ ମଧ୍ୟ ବିରଳ ଇରୱାଡି ଡଲଫିନ୍ ବାସ କରୁଛନ୍ତି । ଭିତରକନିକା ଜାତୀୟ ପାର୍କ ମଧ୍ୟ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ବିଶ୍ୱର ସବୁଠାରୁ ଲମ୍ବା କୁମ୍ଭୀର (୨୩ ଫୁଟ) ବାସସ୍ଥଳୀ ଭାବେ ଏ ସ୍ଥାନ ଗିନିଜ୍ ବୁକ୍ ଅଫ ରେକର୍ଡସରେ ସ୍ଥାନିତ ହୋଇଥିଲା । ଏହା ରାମସାର ସାଇଟର ମାନ୍ୟତା ମଧ୍ୟ ପାଇଛି । ଏଠାରେ ଅଲିଭ ରିଡଲେ କଇଁଛ ଦେଖାଯାଆନ୍ତି ।
ଶିମିଳିପାଳ ଅଭୟାରଣ୍ୟ କେବଳ ବ୍ୟାଘ୍ର ନୁହେଁ ହାତୀଙ୍କ ବାସସ୍ଥଳୀ ଭାବେ ପରିଚିତ । ଏଠାରେ ୭୫ଧ ବାଘ ରହୁଥିଲା ବେଳେ ରାଜ୍ୟର ୨୫ଧ ହାତୀ ମଧ୍ୟ ବାସ କରୁଛନ୍ତି । ଦୀର୍ଘସ୍ଥାୟୀ ଇକୋ ଟ୍ୟୁରିଜିମରେ ଏହା ନୂଆ ମଡେଲ ସୃଷ୍ଟି କରିଛି । ସେହିଭଳି ରତ୍ନଗିରି-ଲଳିତଗିରି-ଉଦୟଗିରି ବୌଦ୍ଧ ସର୍କିଟ୍ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ସହ ଅନ୍ୟ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି । ଏଠାକୁ ହୁଏନ୍ସାଂ ମଧ୍ୟ ଆସିଥିଲେ ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ଜିଡିପିକୁ ପର୍ଯ୍ୟଟନ କ୍ଷେତ୍ରର ୧୩ଧ ଅବଦାନ ରହିଛି । ତେଣୁ ଏହାର ବିକାଶ ହେଲେ ରାଜ୍ୟ ମଧ୍ୟ ବିକାଶ କରିବ । ତେଣୁ ଉପରୋକ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକରୁ ଦୁଇଟିକୁ କେନ୍ଦ୍ର ସରକାର ଚିହ୍ନଟ କରି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ଦେଇ ବିଶ୍ୱସ୍ତରୀୟ କରନ୍ତୁ ବୋଲି ନବୀନ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟର ଦ୍ୱିତୀୟ ବୃହତ୍ତମ ପର୍ବତ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ‘ରାମାୟଣ ସର୍କିଟ୍’ରେ ଅନ୍ତର୍ଭୁକ୍ତ କରି ସ୍ୱଦେଶ ଦର୍ଶନରେ ବିକାଶ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons