କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି:୧୭ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଜଗନ୍ନାଥ ମନ୍ଦିର, ସୂର୍ଯ୍ୟମନ୍ଦିର ସାମିଲ କର
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୧୯-୨୦ ଆର୍ଥିକ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ କଳା, ଭାସ୍କର୍ଯ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନର ଧାରା ପରିସ୍ଫୁଟ । ବିଶେଷକରି ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଭଳି ପବିତ୍ର ସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ । ଶ୍ରୀ ପ୍ରଧାନ କହିଛନ୍ତି, କୋଣାର୍କର ଓଡ଼ିଶାର କଳାକୃତିର ପରିଚୟ ଦିଏ ଏବଂ ଏହା ବିଶ୍ୱସ୍ତରୀୟ ମାନ୍ୟତା ପାଇଛି । ଓଡ଼ିଶାର ସ୍ୱର୍ଣ୍ଣ ତ୍ରିଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଓ ଓଡ଼ିଆ ସମାଜ, ସଂସ୍କୃତିର ପରିଚୟ ଦିଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବା ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଟେଲଙ୍କୁ ଅନୁରୋଧ କରିଛନ୍ତି ।


Comments are closed, but trackbacks and pingbacks are open.