ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି । କିଛି ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘନଘନ ବୈଠକ କରାଯିବା ଏବଂ ଶୁକ୍ରବାର ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ତାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ଏକପ୍ରକାର ନିଶ୍ଚିତ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ପରାଜୟ ଏବଂ ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ପରିବର୍ତ୍ତନ ଏବେ ନିହାତି ଆବଶ୍ୟକ ହୋଇପଡିଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବାର ଦୁଇ ବର୍ଷ ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାକୁ ଯାଉଛି । ସଂଯୋଗବଶତଃ. ମୋଦି ସରକାରଙ୍କ ପ୍ରଥମ ପାଳିରେ ବି ଦୁଇ ବର୍ଷ ପରେ ହିଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଥିଲା ।
ସୂଚନା ମିଳିଛି କି, ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଗତ ୫ ଦିନ ଧରି ଲଗାତର ମୋଦିଙ୍କୁ ଭେଟୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ଅତି ବିସ୍ତୃତ ଭାବେ ଆଲୋଚନା କରାଯାଉଥିବାର ମନେ କରାଯାଉଛି । ଶୁକ୍ରବାର ସକାଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୋଦିଙ୍କୁ ଭେଟିଛନ୍ତି । ସେହିପରି, ଆଦିତ୍ୟନାଥ ମଧ୍ୟ ନଡ୍ଡା ଓ ଶାହଙ୍କୁ ସାକ୍ଷାତ କରିଛନ୍ତି । ଅପନା ଦଳର ନେତ୍ରୀ ଅନୁପ୍ରିୟା ପଟେଲ ଗୁରୁବାର ଶାହଙ୍କୁ ଭେଟିଥିଲେ ଏବଂ ୟୁପି କ୍ୟାବିନେଟରେ ତାଙ୍କ ଦଳକୁ ଅଧିକ ମନ୍ତ୍ରୀ ପଦ ଦେବାକୁ ନିବେଦନ କରିଥିଲେ । ତା’ ପୂର୍ବରୁ ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ମୋଦି ଓ ଶାହଙ୍କୁ ସାକ୍ଷାତ କରିଥିଲେ ।
ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ମଧ୍ୟ ଦଳ ଦଳ କରି କିଛି ମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଏହି କ୍ରମରେ ଶନିବାର ସେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଅନ୍ୟ କେତେକ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
କୁହାଯାଉଛି କି, ଯେଉଁ ମନ୍ତ୍ରଣାଳୟଗୁଡିକର କାର୍ଯ୍ୟ ସନ୍ତୋଷଜନକ ହୋଇନଥିବ ସେଗୁଡ଼ିକର ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କୁ ହଟାଯାଇପାରେ । ସେହିପରି କେତେ ଜଣ ମନ୍ତ୍ରୀ ଏକରୁ ଅଧିକ ମନ୍ତ୍ରଣାଳୟ ଓ ବିଭାଗ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କ ବୋଝ ହାଲୁକା କରାଯାଇପାରେ । ୟୁପି ନିର୍ବାଚନକୁ ଆଖି ଆଗରେ ରଖି ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ତା’ଛଡ଼ା କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିିନ୍ଧିଆଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବା ନେଇ ବହୁ ଆଗରୁ ଚର୍ଚ୍ଚା ହେଉଛି । ତେବେ କେଉଁ ଦିନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ଏବଂ କେତେ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ସେନେଇ ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ହେଲେ ଦଳୀୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି କି ୟୁପିରେ ବିଜେପି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ହିଁ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ । ରାଜ୍ୟରେ ଏବେ ନେତୃତ୍ୱ ପରିବର୍ତ୍ତନ କରାଯିବାର କୌଣସି ସମ୍ଭାବନା ନାହିଁ ।


Comments are closed, but trackbacks and pingbacks are open.