କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା:୨୪ ଘଣ୍ଟାରେ ୧୦ ରାଜ୍ୟରୁ ନୂଆ ମାମଲା ଶୂନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଇତିମଧ୍ୟରେ ଆଶ୍ୱସ୍ତିଜନକ ଖବର ମିଳିଛି । ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ହେଲେ ବି ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ । ସେହିପରି ବର୍ତ୍ତମାନ ସୁଦ୍ଧା ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଗୋଟିଏ ହେଲେ ବି କରୋନା ମାମଲା ଦେଖାଯାଇ ନାହିଁ । ସିକିମ, ନାଗାଲାଣ୍ଡ ଏବଂ ଲାକ୍ଷାଦ୍ୱୀପ ଆଦି ସ୍ଥାନରେ ଏଯାଏଁ ଜଣେ ହେଲେ ବି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର ଏବଂ ମିଜୋରାମରୁ ମଧ୍ୟ ସମାନ ଖବର ଆସିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି ।
ଡା. ହର୍ଷବର୍ଦ୍ଧନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ କରୋନା ସ୍ଥିତି ସମ୍ପର୍କିତ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ, କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଦେଶରେ ୪,୩୬୨ଟି କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି । ଏହି ସବୁ କୋଭିଡ କେୟାର ସେଣ୍ଟରରେ କମ୍ ଲକ୍ଷଣଯୁକ୍ତ ପାଖାପାଖି ସାଢେ଼ ୩ ଲକ୍ଷ କରୋନା ରୋଗୀଙ୍କର ଚିକିତ୍ସା କରାଯାଇ ପାରିବ । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ୭୨ ଲକ୍ଷ ଏନ୍-୯୫ ମାସ୍କ ଏବଂ ୩୬ ଲକ୍ଷ ପର୍ସନାଲ ପ୍ରୋଟେକ୍ଟିଭ ଇକୁ୍ୟପମେଣ୍ଟ୍ସ (ପିପିଇ) ପଠାଇଛନ୍ତି ବୋଲି ସେ କହିଛନ୍ତି ।
ଏହାବ୍ୟତୀତ କିଛି ଦିନ ମଧ୍ୟରେ ଅନେକ ସଂଖ୍ୟାରେ ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ମଧ୍ୟ ହର୍ଷବର୍ଦ୍ଧନ ଆଶାବ୍ୟକ୍ତ କରିଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ପୂର୍ବରୁ ଥିବା ନିୟମାବଳିରେ କେନ୍ଦ୍ର ସରକାର ଶନିବାର କେତେକ ପରିବର୍ତ୍ତନ ଆଣିଥିଲେ । ଫଳରେ ରୋଗୀ ଡିସଚାର୍ଜ ହେବାର ମାତ୍ରା ବୃଦ୍ଧି ହେବା ଅନୁମାନ କରାଯାଉଛି । ନୂଆ ନିୟମ ମୁତାବକ କମ୍ ତଥା ବିନା ଲକ୍ଷଣ ଯୁକ୍ତ କରୋନା ରୋଗୀଙ୍କୁ ଏଣିକି ୧୦ ଦିନରେ ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ । ସେମାନେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପୂର୍ବରୁ ତାଙ୍କର ଆର୍-ଟି ପିସିଆର୍ ଟେଷ୍ଟ ମଧ୍ୟ କରାଯିବ ନାହିଁ । ଡିସଚାର୍ଜ ହେବା ପରେ ତାଙ୍କୁ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିଦେ୍ର୍ଧଶ ଦିଆଯିବ । ପୂର୍ବରୁ ହୋମ୍ କ୍ୱାରେଣ୍ଟାଇନ ଅବଧି ୧୪ ଦିନ ଥିଲା । ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ହର୍ଷବର୍ଦ୍ଧନ ଶନିବାର କହିଥିଲେ କରୋନା ମୁକାବିଲା ପାଇଁ ସରକାର ଏବେ ଟେଷ୍ଟ ସଂଖ୍ୟା ଦିନକୁ ୯୫,୦୦୦ ଯାଏଁ ବଢ଼ାଇଛନ୍ତି । ଶନିବାର ସୁଦ୍ଧା ୩୩୨ ସରକାରୀ ଟେଷ୍ଟିଂ ସେଣ୍ଟର ଏବଂ ୧୨୧ ଘରୋଇ ଟେଷ୍ଟିଂ ସେଣ୍ଟରରେ ୧୫,୨୫,୬୩୧ଟି ଟେଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons