କେରଳ, ଜମ୍ମୁ-କାଶ୍ମୀରରେ ସ୍କୁଲ ବନ୍ଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ମହାମାରୀ ଆଖ୍ୟା ଦେଇଛି । ଯଦି କୌଣସି ଭାଇରସ ମଣିଷର ଅସୁସ୍ଥତା କିମ୍ବା ମୃତୁ୍ୟର କାରଣ ହୁଏ, ସହଜରେ ଜଣକ ଦେହରୁ ଅନ୍ୟ ଜଣକ ପାଖକୁ ଡିଏଁ ଏବଂ ବିଶ୍ୱର ବିଭିନ୍ନ ଭାଗରେ କାୟା ବିସ୍ତାର କରେ, ତାହାହେଲେ ତା’କୁ ଏପରି ଆଖ୍ୟା ଦିଆଯାଇଥାଏ । ଆଜିର ଘୋଷଣା ପରେ ବିଶ୍ୱର ସମସ୍ତ ଦେଶଙ୍କୁ ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ପଡ଼ିବ । ନଚେତ ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯିବ ଏବଂ ଏହା କୋଟି କୋଟି ଲୋକଙ୍କ ମୃତୁ୍ୟର କାରଣ ପାଲଟିବ ।
ଭାରତରେ ଗତ ୩୬ ଘଣ୍ଟା ଭିତରେ ୨୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । କେରଳରେ ୮ ଜଣ, ମହାରାଷ୍ଟ୍ରରେ ୭ ଜଣ, କର୍ଣ୍ଣାଟକରେ ୪ ଜଣ ଏବଂ ଜମ୍ମୁ-କାଶ୍ମୀରରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏସବୁକୁ ମିଶାଇଲେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬୪ରେ ପହଞ୍ଚôଛି । ମହାରାଷ୍ଟ୍ରର ପୁନେରେ ଏକ ଦମ୍ପତି, ସେମାନଙ୍କର ଝିଅ ଓ ଜଣେ ସହଯାତ୍ରୀ ଏବଂ ସେମାନଙ୍କୁ ମୁମ୍ବାଇରୁ ପୁନେ ନେଇ କରି ଯାଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ନମୁନା ପଜିଟିଭ ବାହାରିଛି । ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ଲୋକଙ୍କ ଭିତରୁ ଦୁଇ ଜଣଙ୍କର ନମୁନା ପଜିଟିଭ୍ ବାହାରିଛି । କର୍ଣ୍ଣାଟକରେ ଡେଲ ଏବଂ ମାଇଣ୍ଡଟ୍ରି କଂପାନିର ଦୁଇ ଜଣ ସଫ୍ଟୱେର ଇଞ୍ଜନିୟର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ନିକଟରେ ବିଦେଶ ଗସ୍ତ କରିଥିଲେ । ଡେଲ କଂପାନିର ଯେଉଁ ଇଞ୍ଜିନିୟର ଜଣକ ଏଥିରେ ସଂକ୍ରମିତ ହୋଇଛନ୍ତି, ତାଙ୍କର ପତ୍ନୀ ଏବଂ ୧୩ ବର୍ଷର ଝିଅ ବି ଏଥିରେ ଆକ୍ରାନ୍ତ ହୋଇଛନ୍ତି । କର୍ଣ୍ଣାଟକରେ ଜଣେ ୭୬ ବର୍ଷୀୟ ଇମାମଙ୍କର କରୋନା ଯୋଗୁ ମୃତୁ୍ୟ ହୋଇଥିବାର ସନେ୍ଦହ କରାଯାଉଛି ।
କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ବ୍ୟାପକ ପଦକ୍ଷେପ ନେଉଛନ୍ତି । ଜମ୍ମୁ-କାଶ୍ମୀର ପ୍ରଶାସନ ଜମ୍ମୁ ଡିଭିଜନ ଅଧୀନରେ ଆସୁଥିବା ୫ଟି ଜିଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛି । ସେହିପରି ସମଗ୍ର ଜମ୍ମୁ-କାଶ୍ମୀରରେ ସିନେମା ହଲଗୁଡିକୁ ବି ବନ୍ଦ ରଖାଯିବ ବୋଳି ଘୋଷଣା କରାଯାଇଛି । କେରଳ ସରକାର ମଧ୍ୟ ସମସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିନେମା ହଲକୁ ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ଶେଷ ଯାଏଁ ବିବାହ କାର୍ଯ୍ୟକ୍ରମ ବି ସ୍ଥଗିତ ରଖିବାକୁ ସରକାର ଅପିଲ କରିଛନ୍ତି । କରୋନା ସଂକ୍ରମଣ ଯୋଗୁ ଇଣ୍ଡିଆନ ଓପନ ଗଲଫ ଚାମ୍ପିୟନସିପକୁ ସ୍ଥଗିତ ରଖାଯାଇଛି । ନିକଟରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପକୁ ରୁଦ୍ଧଦ୍ୱାର ମଧ୍ୟରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ ଭାରତରେ ଥିବା ନିଜର ଏକ କେନ୍ଦ୍ରକୁ ସାଇ (ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ)ବନ୍ଦ କରିଦେଇଛି । କ୍ରିକେଟ ଖେଳାଳିମାନଙ୍କୁ ଟିମ୍ ପରିବେଶ ବାହାରେ ଅନ୍ୟ କାହାର ସଂସ୍ପର୍ଶରେ ନଆସିବାକୁ ବିସିସିଆଇ ତରଫରୁ ପରାମର୍ଶ ଦିଆଯାଇଛି । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ନାଥ ଷÂୀ ଯାତ୍ରାକୁ ସ୍ଥଗିତ କରି ଦିଆଯାଇଛି ।
କେନ୍ଦ୍ର ସରକାର ଆଜି ନିଦେ୍ର୍ଧଶ ଜାରି କରିଛନ୍ତି ଯେ ଦେଶର ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ପାଇଁ ଫ୍ଲୁ କରନର( ସ୍ୱତନ୍ତ୍ର ଡେସ୍କ ଅଥବା ୱାର୍ଡ) ଖୋଲାଯିବ । ଗତ ମାସ ୨୦ ତାରିଖରୁ କୌଣସି କ୍ରୁଜ୍ ସିପ କିମ୍ବା ତାହାର ଯାତ୍ରୀ ଓ କର୍ମଚାରୀ ଭାରତ ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି । ସେହିପରି କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ଯେପରିକି ଇଟାଲୀ, ଇରାନ, ଫ୍ରାନ୍ସ ଏବଂ ଚୀନ୍ର ସମସ୍ତ ନାଗରିକଙ୍କ ଉପରେ ଭିସା କଟକଣା ଲଗାଯାଇଛି । ସରକାର ମଧ୍ୟ କେବଳ ବିଦେଶୀ କୂଟନୀତିଜ୍ଞ ଏବଂ ଜାତିସଂଘ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଭାରତ ଦ୍ୱାରା ଜାରି କରାଯାଇଥିବା ଭିସାକୁ ଆସନ୍ତା ମାସ ୧୫ ତାରିଖ ଯାଏଁ ନିଲମ୍ବିତ କରିଦେଇଛନ୍ତି । କେନ୍ଦ୍ର ସରକାର ଆଜି ସଂସଦରେ ସୂଚନା ଦେଇଛନ୍ତି କି କରୋନା ପ୍ରଭାବିତ ଦେଶଗୁଡ଼ିକରୁ ୯୪୮ ଜଣ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । ସେମାନଙ୍କ ଭିତରୁ ୯୦୦ ଜଣ ହେଉଛନ୍ତି ଭାରତର ନାଗରିକ । ଦେଶରେ କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ୫୨ଟି ଲାବ୍ ପ୍ରତିÂା କରାଯାଇଛି । ଇଟାଲୀରୁ ଏୟାର ଇଣ୍ଡିଆର ଏକ ବିମାନ ଯୋଗେ ଅଣାଯାଇଥିବା ୮୩ ଜଣ ନାଗରିକଙ୍କୁ ମାନେସାର ସ୍ଥିତ ସେନାର ସ୍ୱତନ୍ତ୍ର କ୍ୟାମ୍ପରେ ୧୪ ଦିନ ପାଇଁ ଅଲଗା ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ୟୁପିର ସୋନଭଦ୍ର ଜିଲାରେ ଚଳିତ ମାସ ୧୫ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରପତିଙ୍କ ଏକ କାର୍ଯ୍ୟକ୍ରମକୁ ରଦ୍ଧ କରି ଦିଆଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆନ ମେଡିକାଲ କାଉନସିଲ କିନ୍ତୁ ଅଭିଯୋଗ କରିଛି ଯେ ସରକାର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରତିଦିନ ଅପଡେଟେଡ୍ ସୂଚନା ଜାରି କରୁଥିବାରୁ ଏହାଯୋଗୁ ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ଅଧିକାଂଶ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେ ମଧ୍ୟ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ହରିଆଣା, ପଞ୍ଜାବ, ଦିଲ୍ଲୀ, ତାମିଲନାଡୁ ଏବଂ ୟୁପିର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଅନ୍ୟପଟରେ, କରୋନା ଭାଇରସ ଏବେ ବିଶ୍ୱର ୧୨୦ଟି ଦେଶକୁ ବ୍ୟାପିଗଲାଣି । କିଛି ସପ୍ତାହ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ବ୍ୟକ୍ତ କରିଥିଲା ଯେ ଏହା ଏକ ମହାମାରୀର ରୂପ ନେଇପାରେ । ଏବେ ଏହି ଆଶଙ୍କା ସତ ହେବାକୁ ଯାଉଛି ବୋଲି ମନେ ହେଉଛି । ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁ ୪,୩୮୩ ଜଣ ପ୍ରାଣ ହରାଇ ସାରିଥିଲାବେଳେ ୧,୨୧, ୫୦୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଚୀନ୍ରେ ୩୧୫୮ ଜଣ ପ୍ରାଣ ହରାଇଥିଲାବେଳେ ୮୦,୭୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଚୀନରୁ ପ୍ରଥମେ ଏହି ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲେ ହେଁ ଏବେ ସେଠାରେ ଏପରି ମାମଲା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୩୪ଟି ନୂଆ ମାମଲା ସାମ୍ନାକୁ ଆସିଥିଲାବେଳେ ୨୨ ଜଣ ପ୍ରାଣ ହରାଇଛନ୍ତି । ଚୀନ୍ ପରେ ୟୁରୋପୀୟ ଦେଶ ଇଟାଲୀରେ କରୋନା ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଇଟାଲୀରେ ଏପର୍ଯ୍ୟନ୍ତ ୧୦, ୧୪୯ ଜଣ ଏଥିରେ ଆକ୍ରାନ୍ତ ହୋଇଥିଲାବେଳେ ୬୩୧ ଜଣ ପ୍ରାଣ ହରାଇଛନ୍ତି । ଗତ ୨୪ ଘର୍ଟା ମଧ୍ୟରେ ୧୬୮ ଜଣ ପ୍ରାଣ ହରାଇଛନ୍ତି । ଇରାନରେ ଗୋଟିଏ ଦିନରେ ୬୩ ଜଣ ପ୍ରାଣ ହରାଇବା ପରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୫୪କୁ ବୃଦ୍ଧି ପାଇଛି । ଇରାନରେ ଏପର୍ଯ୍ୟନ୍ତ ୯୦୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣ କୋରିଆରେ ୭୭୫୫ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୬୧ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ ୧୦୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଥିଲାବେଳେ ଫ୍ରାନ୍ସରେ ୧୭୮୪ ଜଣ, ସ୍ପେନରେ ୨୧୨୪, ଜର୍ମାନୀରେ ୧୬୨୨ ଏବଂ ବ୍ରିଟେନରେ ୩୮୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଭାଇରସ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ୨୫ଟି ଦେଶରେ ସ୍କୁଲକୁ ବନ୍ଦ କରାଯାଇଛି । ଏହାଯୋଗୁ ୩୦୦ ନିୟୁତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହୋଇଛି । ସେହିପରି ଅନେକ ଦେଶ ପରସ୍ପର ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇଛନ୍ତି । ଏହାଯୋଗୁ ଆନ୍ତର୍ଜାତିକ ସ୍ତରରେ ବିମାନ ସେବା ଏବଂ ବ୍ୟବସାୟ ବି ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons