କୋଟାରୁ ରାଉରକେଲା ଆସୁଛନ୍ତି ଛାତ୍ରଛାତ୍ରୀ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଜସ୍ଥାନର କୋଟାରେ ପାଠ ପଢ଼ିବାକୁ ଯାଇଥିବା ରାଉରକେଲାର ଛାତ୍ରଛାତ୍ରୀ ଲକ୍ଡାଉନ୍ ଯୋଗୁ ସେଠାରେ ରହିଯାଇଥିଲେ । ତେବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ୪ଟି ବସ୍ରେ ୧୧୬ ଜଣ ଛାତ୍ରଛାତ୍ରୀ ଆଜି ସେଠାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । ୩୦ ଘଣ୍ଟା ପରେ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟାରେ ଏହି ୪ଟି ବସ୍ ରାଉରକେଲାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଫଳରେ ଅଭିଭାବକଙ୍କ ମୁହଁରେ ହସ ଫୁଟିଛି ।
ରାଉରକେଲାର ଛାତ୍ରଛାତ୍ରୀମାନେ ରାଜସ୍ଥାନର କୋଟାରେ ପାଠ ପଢ଼ୁଥିଲେ । ତେବେ କରୋନା ଯୋଗୁଁ ମାର୍ଚ୍ଚ ମାସ ୨୨ ତାରିଖରୁ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ୨୫ ତାରିଖରୁ କେନ୍ଦ୍ର ସରକାର ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ । ପରେ ଦେଶର ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ଲକ୍ଡାଉନ୍ ଅବଧିକୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଫଳରେ କୋଟାରେ ପାଠ ପଢ଼ୁଥିବା ରାଉରକେଲାର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଠାରୁ ନିଜ ନିଜ ପିଲାମାନଙ୍କୁ ଏଠାକୁ ଆଣିବା ଲାଗି ଅନେକ ଅଭିଭାବକ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ରାଜ୍ୟ ସରକାର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଲାଗି ରାଜସ୍ଥାନ ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ସେଠାକାର ସରକାର ବସ୍ ଯୋଗାଇ ଦେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ନିଜ ଖର୍ଚ୍ଚରେ ସେଠାରୁ ପିଲାମାନଙ୍କୁ ଆଣିବା ଲାଗି ରାଜି ହୋଇଥିଲେ । ଫଳରେ ଆଜି କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସ୍ରେ ୧୧୬ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ କିଛି ଅଭିଭାବକ ଏଠାକୁ ଆସୁଛନ୍ତି । ମିଳିଥିବା ସୂଚନାନୁସାରେ, ସେଠାରୁ ବସ୍ଗୁଡ଼ିକ ଛାଡ଼ିବା ପୂର୍ବରୁ ସେଗୁଡ଼ିକ ବିଶୋଧନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସ୍କ୍ରିନିଂ କରାଯାଇଥିଲା । ଏହି ବସ୍ଗୁଡ଼ିକ ସେଠାରୁ ବାହାରି ମଧ୍ୟ ପ୍ରଦେଶ, ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡ଼ା ହୋଇ ୩୦ ଘଣ୍ଟା ପରେ ରାଉରକେଲାରେ ପହଞ୍ଚିବ । ରାଉରକେଲାରେ ଛାତ୍ରଛାତ୍ରୀମାନେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ ହୋମ କ୍ୱାରେଣ୍ଟାଇନ୍ରେ ରଖାଯିବ । ହୋମ କ୍ୱାରେଣ୍ଟାଇନ୍ରେ ରହିବା ସମୟରେ ସେମାନଙ୍କ ଉପରେ ନଜର ରଖାଯିବ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି । କୋଟାରେ ଫସି ରହିଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଏଠାକୁ ଅଣାଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘରକୁ ଫେରୁଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଖୁସି ଅଛନ୍ତି । ଓଡ଼ିଶା ସରକାର, ରାଜସ୍ଥାନ ସରକାର, ଜିଲ୍ଲା ପ୍ରଶାସନକୁ ଅଭିଭାବକମାନେ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons