କୋଟିଆରେ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ରର ଉଦ୍ୟମ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋଟିଆ ପଞ୍ଚାୟତରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆନ୍ଧ୍ର ରାଜସ୍ୱ ଅଧିକାରୀ ପି.ଗୁମ୍ଫେଶ୍ୱର ରାଓ, ଆନ୍ଧ୍ର ଶିକ୍ଷୟିତ୍ରୀ ସୁଗୁଣା କୁମାରୀ ପ୍ରମୁଖଙ୍କ ସହ ଏକ ଟିମ୍ ଏପ୍ରିଲ ପହିଲାରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଶିଶମାନଙ୍କୁ ଶିକ୍ଷା ଉପକରଣ ପ୍ରଦାନ ନିମନ୍ତେ ଗାଁ ଗାଁ ବୁଲୁଛନ୍ତି । ଏପରି କି ଅଭିଭାବକଙ୍କ ଅନଲାଇନ୍ ପଞ୍ଜୀକରଣ କାମ ମଧ୍ୟ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।
ଆନ୍ଧ୍ର ଟିମ୍ ତଳସେମ୍ବୀ, ଉପରସେମ୍ବୀ, ନେରେଡ଼ିବାଲସା, ତାଡ଼ିବାଲସା ଓ ଧୂଳିପଦର ଗାଁରେ ଅଭିଭାବକଙ୍କ ଅନଲାଇନ୍ କାର୍ଯ୍ୟ ଶେଷ କରିଛନ୍ତି । ଅନଲାଇନରେ ମା’ଙ୍କ ନାମ ପଞ୍ଜୀକରଣ ପରେ ସେମାନଙ୍କ ଶିଶୁମାନଙ୍କୁ ମାଗଣାରେ ପୋଷାକ, ବହି, ଜୋତା, ମୋଜା, ଟାଇ ସହ ମା’ଙ୍କ ବ୍ୟାଙ୍କଖାତାକୁ ଟଙ୍କା ପ୍ରଦାନ କରାଯିବ ବୋଲି ଟିମ୍ ଲିଡ଼ର ରାଜସ୍ୱ ଅଧିକାରୀ ପି.ଗୁମ୍ଫେଶ୍ୱର ରାଓ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଥାଉକି ଉପରସେମ୍ବୀରେ ଆନ୍ଧ୍ର ପକ୍ଷରୁ ଗତ ୭ବର୍ଷ ତଳେ ଏକ ସ୍କୁଲଗୃହ କାମ ଆରମ୍ଭ ହୋଇଥିଲା । ତାହା ଏବେ ସୁଦ୍ଧା ସରିନାହିଁ । କେବଳ ଏହାର ଛାତ ପଡ଼ିଥିବା ବେଳେ କବାଟ ଝରକା ମଧ୍ୟ ଲଗାଯାଇ ନାହିଁ । ଗୃହଟି ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତେବେ ଆନ୍ଧ୍ର ପକ୍ଷରୁ ଉପରସେମ୍ବୀ ଗାଁର ଶିଶୁଙ୍କ ନାଁ ସ୍କୁଲରେ ଲେଖାଯାଇଛି । ଏଥିପାଇଁ ୨ଜଣ ଶିକ୍ଷକଙ୍କୁ ଆନ୍ଧ୍ର ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଶିଶୁମାନଙ୍କୁ କରୋନା କଟକଣାରେ ମଧ୍ୟ ଗାଁ ପିଣ୍ଡାରେ ବସାଇ ଶିକ୍ଷକ ତେଲୁଗୁ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନ ପରେ ଶିଶୁମାନଙ୍କୁ ନେଇ ଆନ୍ଧ୍ର ତୋନାମ ଆବାସିକ ବିଦ୍ୟାଳୟରେ ରଖି ପାଠ ପଢ଼ାଯାଉଥିବା ଆନ୍ଧ୍ର ଶିକ୍ଷକ କହିଛନ୍ତି । ବିଶେଷକରି ଉପରସେମ୍ବୀ ସହିତ କୋଟିଆର ବିଭିନ୍ନ ଗାଁରେ ଓଡ଼ିଶା ବିଦ୍ୟାଳୟ ରହିଛି । କିନ୍ତୁ କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିଛି । ଶିକ୍ଷକମାନେ ବିଦ୍ୟାଳୟ ଯାଉ ନଥିବାରୁ ଏହାର ସୁଯୋଗ ଆନ୍ଧ୍ର ନେଇଛି । ଶିକ୍ଷକ ପଠାଇ ଏହି ଅଞ୍ଚଳରେ ଶିଶୁମାନଙ୍କୁ ଆନ୍ଧ୍ର ସ୍କୁଲରେ ନାମ ଲେଖାଇ ସେମାନଙ୍କୁ ଶିକ୍ଷାଉପକରଣ ପ୍ରଦାନ ପାଇଁ ଅଭିଭାବକଙ୍କ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱି୍ୱିତ କରାଯାଉଛି । କୋଟିଆ ଅଞ୍ଚଳରେ ଜିଲ୍ଲା ପ୍ରଶାସନର କରୋନା କଟକଣା ରହିଥିଲେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ଅଞ୍ଚଳରେ ଅନୁପ୍ରବେଶ କରି ଗାଁକୁ ଗାଁ ବୁଲୁଛନ୍ତି । ଓଡ଼ିଶା ପକ୍ଷରୁ ଗତବର୍ଷ ଠାରୁ ବିଦ୍ୟାଳୟ ବନ୍ଦ ଥିବା ବେଳେ ଆନ୍ଧ୍ର ଶିକ୍ଷକ ଗାଁକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତେଣୁ ଏସବୁ ଉପରେ ପ୍ରଶାସନ କଡ଼ା ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଆମ କୋଟିଆ ସଙ୍ଗଠନ ଆବାହାକ ଗଦାଧର ପରିଡ଼ା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons