ଗୁଡାରୀ,(ବି.ବି.ନୁ୍ୟଜ୍): ଗଞ୍ଜେଇ ଚାଲାଣ ରୋକିବାରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପୁଲିସ୍କୁ ମିଳିଛି ବଡ଼ଧରଣର ସଫଳତା । ଛତିଶଗଡ଼ ଚାଲାଣ ପାଇଁ ଉଦ୍ୟମ ବେଳେ ଜବତ ହୋଇଛି କୋଟିଏ ଟଙ୍କାର ଗଞ୍ଜେଇ ସହ ୯ ବାଇକ । ଏହି କାରବାରରେ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୧୧ ଜଣ ଫେରାର ହୋଇଯାଇଛନ୍ତି । ରାୟଗଡା ଏସ୍ପି ଡ. ଶର୍ବଣା ବିବେକ ଏମ୍ ଗୁଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଗୁଡାରୀ ଥାନା ଖଇରାଗୁଡା ଗାଁ ନିକଟରେ ୧୩ଟି ପ୍ୟାକେଟ କରାଯାଇ ୧ ଟନ ୧୭୦ କେଜି ଗଞ୍ଜେଇ ଛତିଶଗଡ ଚାଲାଣ ଲାଗି ଯୋଜନା ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁଡାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ଗଞ୍ଜେଇ ସହ ୯ ବାଇକ୍ ଜବତ କରିଥିଲା । ଏହି କାରବାରରେ ସର୍ଗିଗୁଡା ଗାଁର ସମୀର ମାଝୀକୁ ଗିରଫ କରାଯାଇଥିଲା । ଅନ୍ୟ ୧୧ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଏବେ ଖୋଜା ଚାଲିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୨୦ ଲକ୍ଷ ହେବ ବୋଲି ଏସ୍ପି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ଦାସ, ଗୁଡାରୀ ଆଇଆଇସି ସୁଶାନ୍ତ କୁମାର ଗର୍ଡିଆ, ଗୁଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଚନ୍ଦ୍ରପୁର, ଗୁଡାରୀଠାରୁ ଆରମ୍ଭ କରି ପଦ୍ମପୁର ଓ ଗୁଣପୁର ବ୍ଲକର କିଛି ଅଞ୍ଚଳ ସମେତ ସୀମାନ୍ତ ଗଜପତି ଜିଲ୍ଲାର କେତେକ ବ୍ଲକରେ ପ୍ରବଳ ଗଞ୍ଜେଇ ଚାଷ ହେଉଛି । ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ଏହାପୂର୍ବରୁ ଗତ ଦୁଇମାସ ମଧ୍ୟରେ ଅବକାରୀ ବିଭାଗ ଓ ପଦ୍ମପୁର ପୁଲିସ ବହୁବାର ବିପୁଳ ଗଞ୍ଜେଇ ଜବତ କରିଛନ୍ତି ।
Comments are closed, but trackbacks and pingbacks are open.