
କୋଣାର୍କ, (ବି.ବି.ନୁ୍ୟଜ): କରୋନାର ଦ୍ୱିତୀୟ ଲହରୀ କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ବନ୍ଦ ରଖିବା ଲାଗି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ନିଦେ୍ର୍ଧଶ ମୁତାବକ ଶୁକ୍ରବାର ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା । ହେଲେ ଆଇଓଏଫର ବ୍ୟାଖ୍ୟାନ କେନ୍ଦ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥିବାବେଳେ ପର୍ଯ୍ୟଟକ ମାନେ ସେଠାରେ ବୁଲାବୁଲି କରିଥିଲେ ।
କରୋନା ପ୍ରଭାବରେ ପର୍ଯ୍ୟଟନସ୍ତଳୀ କୋଣାର୍କ ଖାଁଖାଁ । ସୂର୍ଯ୍ୟମନ୍ଦିର ସମ୍ମୁଖ, ଚନ୍ଦ୍ରଭାଗା ବଜାର ଓ ରାମଚଣ୍ଡୀ ପୀଠ ଜନଶୂନ୍ୟ ହୋଇଯାଇଛି । ଶୁକ୍ରବାର ସକାଳୁ କେତେକ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ୱାର ବନ୍ଦ ରହିଥିବା ଦେଖି ନିରାଶ ହୋଇ ଫେରିଥିଲେ । ଦେଶ ବିଦେଶର ପର୍ଯ୍ୟଟକଙ୍କ ଗହଳିଚହଳି ଦେଖିବାକୁ ମିଳିନଥିଲା । ସୂର୍ଯ୍ୟମନ୍ଦିର ବନ୍ଦ ଯୋଗୁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ପ୍ରଭାବିତ ହୋଇଛି । ମନ୍ଦିର ବନ୍ଦ ରହିବା ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଫଟୋଗ୍ରାଫର, ଗାଇଡ୍, ହୋଟେଲ, ଲଜ୍, ହସ୍ତଶୀଳ୍ପ ଓ ଅନ୍ୟ ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଛି । ଜୀବନ ଏକପ୍ରକାର ଦୁର୍ବିସହ ହୋଇପଡିଛି । ସେହିଭଳି କୋଣାର୍କ ବସଷ୍ଟାଣ୍ଡ, ମେଡିକାଲ ଛକ, ରିଂରୋଡ, ଥାନାଛକ, ମାଧିପୁର ଛକ ଓ ଜୁଣେଇ ବଜାରରେ ସକାଳ ଓ ସନ୍ଧ୍ୟାରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳୁଛି । ସାମାଜିକ ଦୂରତା ରକ୍ଷା ନକରି ଏହି ସବୁ ଛକ ଯାଗାରେ ଲୋକମାନେ ନିର୍ଭୟରେ ଚଳପ୍ରଚଳ କରୁଛନ୍ତି । ଗୋଟିଏ ମିଟର ଦୂରତା ରକ୍ଷା କରି କିଣାକିଣି କରିବା ନିୟମ ଜାରି ହୋଇଥିଲେ ବି ସବୁ ଦୋକାନରେ ସାମାଜିକ ଦୂରତା ନିୟମକୁ ବେଖାତିର କରୁଛନ୍ତି ଗ୍ରାହକମାନେ । ସୂଚନା ଥାଉକି କରୋନା କଟକଣା ଯୋଗୁ ପ୍ରଥମ ଥର ଗତ ବର୍ଷ ମାର୍ଚ୍ଚ ୧୫ତାରିଖରୁ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା । ପରେ ସେପ୍ଟେମ୍ବର ୧ତାରିଖରେ ସୂର୍ଯ୍ୟମନ୍ଦିର ଖୋଲିବାରୁ ପର୍ଯ୍ୟଟକ ଓ ବ୍ୟବସାୟୀମାନେ ଆଶ୍ୱସ୍ତିଲାଭ କରିଥିଲେ ।
Comments are closed, but trackbacks and pingbacks are open.