କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୫-ଟି ସଚିବ, ଉନ୍ନୟନ କମିଶନର

Get real time updates directly on you device, subscribe now.

ଜୟପୁର/ମାଲକାନଗିରି/ନବରଙ୍ଗପୁର,(ବି.ବି.ନୁ୍ୟଜ୍): ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆଜି କୋରାପୁଟ, ନବରଙ୍ଗପୁର ଓ ମାଲାକନଗିରି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଜିଲ୍ଲାରେ କରୋନାର ସ୍ଥିତି, ହସ୍ପିଟାଲରେ ରୋଗୀସେବା ସମ୍ପର୍କରେ ଉଭୟ ସଚିବ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଶ୍ରୀ ପାଣ୍ଡିଆନ ଏବଂ ଶ୍ରୀ ମହାପାତ୍ର ଆଜି ସକାଳ ୯ଟାରେ ଜୟପୁର ଏୟାରଷ୍ଟ୍ରିପ୍ରେ ପହଞ୍ଚିଥିଲେ । ସେଠାରୁ ସିଧା ପହଞ୍ଚିଥିଲେ ଏଠାରେ ଖୋଲାଯାଇଥିବା କୋଭିଡ-୧୯ ହସପିଟାଲରେ । ସାଙ୍ଗରେ ଥିଲେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ କେ. ଏସ୍ପି ମୁକେଶ କୁମାର ଭାମୁ, ସିଡିଏମଓ ଡାକ୍ତର ମକରନ୍ଦ ବେଉରା ପ୍ରମୁଖ । ସଚିବମାନେ ଡାକ୍ତରଖାନାର ଶଯ୍ୟା, ସ୍ୱତନ୍ତ୍ର କ୍ୟାବିନ୍, ଆଇସିୟୁ, ଭେଣ୍ଟିଲେଟର ବୁଲି ଦେଖିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରାୟ ୧୫ ମିନିଟ ଧରି ସ୍ଥିତି ଅନୁଧ୍ୟାନ କରିବା ପରେ ଡାକ୍ତରଖାନାରୁ ପଦାକୁ ଆସିଥିଲେ । ଏହି ଗସ୍ତ ସମୟରେ ପିଡି ଡିଆରଡିଏ, ଏଡିଏମ୍, ଜୟପୁର ଉପଜିଲ୍ଲାପାଳ, ଜିଲ୍ଲା ମେଡିକାଲ ଅଧିକାରୀ, କୋଭିଡ-୧୯ ଜିଲ୍ଲା ନୋଡାଲ ଅଫିସର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପରେ ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ର ମାଲକାନଗିରି ଗସ୍ତ କରି ଜିଲ୍ଲା କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ । ହସ୍ପିଟାଲ ପରିଦର୍ଶନ କରିବା ସହ କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି ପରଖିଥିଲେ । ସୂଚନା ଥାଉକି, ପୁରୁଣା ହସ୍ପିଟାଲରେ କୋଭିଡ୍-୧୯ ହସ୍ପିଟାଲ ପ୍ରତିÂା କରାଯାଇଥିଲା । ଏହାକୁ ଗତ ୧୩ତାରିଖରେ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ଏହି ହସ୍ପିଟାଲରେ ରୋଗୀଙ୍କୁ କିଭଳି ସୁବିଧା ମିଳିବ, କୋଭିଡ ଡାକ୍ତରୀ ଟିମ୍ କିଭଳି ପ୍ରସ୍ତୁତ ରହିଛନ୍ତି, ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ସହ ଭିତ୍ତିଭୂମି କିପରି ରହିଛି ସେନେଇ ସମୀକ୍ଷା କରିଥିଲେ ୫-ଟି ସଚିବ ଓ ଉନ୍ନୟନ କମିଶନର ।
ପରେ ଉଭୟ ଶ୍ରୀ ପାଣ୍ଡିଆନ ଏବଂ ଶ୍ରୀ ମହାପାତ୍ର ନବରଙ୍ଗପୁର ଜିଲ୍ଲା ଗସ୍ତ କରି ନବରଙ୍ଗପୁର ବିଇଡି କଲେଜ୍ରେ ନିର୍ମାଣ ହୋଇଥିବା ଅସ୍ଥାୟୀ କୋଭିଡ୍ ହସ୍ପିଟାଲକୁ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ଏହି ଅବସରରେ ହସ୍ପିଟାଲ କର୍ତ୍ତୃପକ୍ଷ ଡା. ସନ୍ତୋଷକୁମାର ନାଗ, ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ । କରୋନା ମୁକାବିଲା ପାଇଁ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । କୋଭିଡ୍ ହସ୍ପିଟାଲ୍ର ଆଇସୋଲେସନ୍ ଓ ହାଇଡିପେଣ୍ଡନ୍ସି ୟୁନିଟଗୁଡ଼ିକୁ ଅଧିକାରୀମାନେ ବୁଲି ଦେଖିଥିଲେ । ଗସ୍ତ ସମୟରେ ନବରଙ୍ଗପୁର ଜିଲ୍ଲା ଏସପି , ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons