ଶ୍ରୀନଗର:ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ କୌଣସି ପ୍ରକାର ବିଶୃଙ୍ଖଳା ଆଶଙ୍କାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଠାରେ ଦୋକାନ ବଜାର ସବୁ ବନ୍ଦ କରିଦିଆ ଯାଇଥିଲା । ଏଥିପାଇଁ ସେଠାକାର ବ୍ୟବସାୟୀମାନେ ୧୦,୦୦୦ କୋଟିରୁ ଊଦ୍ଧ୍ୱର୍ ଆର୍ଥିକ କ୍ଷତି ସହିଥିବା କାଶ୍ମୀର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି(କେସିସିଆଇ) ଅଭିଯୋଗ କରିଛି । ଏହି କ୍ଷତି ପାଇଁ ସଂଘ ସରକାରଙ୍କ ବିରୋଧରେ ମକଦ୍ଧମା ଲଢ଼ିବ ବୋଲି ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ଚଳିତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ ଏବଂ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କଲେ । ଏହି ନିଷ୍ପତ୍ତି ଦ୍ୱାରା ଏଠାରେ ଉଗ୍ରବାଦ ଉପରେ ଲଗାମ ଲାଗିବ ଏବଂ କାଶ୍ମୀର ବିକାଶ ପଥରେ ବଢ଼ିବ ବୋଲି ସରକାର ଦାବି କରିଥିଲେ । କିନ୍ତୁ କାଶ୍ମୀର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଏହି ନାରା ଭ୍ରାନ୍ତିଜନକ । ଧାରା ୩୭୦ ଉଚ୍ଛେଦ ପରେ ଦୋକାନ ବଜାର ବନ୍ଦ ରହିବା ଯୋଗୁ ସେପ୍ଟେମ୍ବର ସୁଦ୍ଧା ବ୍ୟବସାୟୀମାନଙ୍କୁ ୧୦,୦୦୦ କୋଟି ଟଙ୍କା(୧୪୦ କୋଟି ଡଲାର) କ୍ଷତି ସହିବାକୁ ପଡିଛି । ବର୍ତ୍ତମାନ ଏହି ମାତ୍ରା ଆହୁରି ଅଧିକ ହୋଇପାରେ ବୋଲି ସଂଘର ବରିÂ ଉପ-ସଭାପତି ନାସିର ଖାନ ପ୍ରକାଶ କରିଛନ୍ତି ।
କ୍ଷତି ଆକଳନ କରିବା ପାଇଁ ଏକ ବାହ୍ୟ ଏଜେନ୍ସିକୁ ନିଯୁକ୍ତି ଦେବା ପାଇଁ ସଂଘ କୋର୍ଟଙ୍କ ନିକଟରେ ଦାବି ରଖିବ । କାରଣ କ୍ଷତି ୧୦,୦୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ଖାନ୍ କହିଛନ୍ତି ।
କାଶ୍ମୀରରେ ଅନେକ ସ୍ଥାନରେ ଏବେ ବି ଟେଲିକମ୍ ସେବା ବନ୍ଦ ରହିଛି । ତେଣୁ ବ୍ୟବସାୟୀମାନଙ୍କଠାରୁ ଫୋନ୍ ଯୋଗେ କ୍ଷତି ବାବଦ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉନାହିଁ । ସେଥିପାଇଁ କ୍ଷତି ପରିମାଣକୁ ସଠିକ୍ ଭାବେ ଆକଳନ କରାଯାଇପାରୁନାହିଁ । ଏହା ୧୦,୦୦୦ କୋଟିରୁ ଅଧିକ ହୋଇଥାଇପାରେ । ତଥ୍ୟ ଏକତ୍ର କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ସଂଘର ବରିÂ ଉପ-ସଭାପତି କହିଛନ୍ତି ।
ବନ୍ଦ ଯୋଗୁ କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ର ବୃହତ୍ ଭାବେ ପ୍ରଭାବିତ ହୋଇଛି । ତା’ସହିତ କୃଷି, ଉଦ୍ୟାନ କୃଷି ଏବଂ ହସ୍ତଶିଳ୍ପ ବଜାର ମଧ୍ୟ ବାଧାପ୍ରାପ୍ତ ହୋଇଛି । କାଶ୍ମୀର ଅର୍ଥନୀତିରେ ଏ ସବୁ କ୍ଷେତ୍ରର ସିଂହଭାଗ ଅବଦାନ ରହିଥିବାରୁ କ୍ଷତି ଆକଳନ ବୃହତ୍ ହୋଇଥାଇପାରେ ବୋଲି ଶ୍ରୀନଗରରେ ଏକ ହୋଟେଲ ଚଳାଉଥିବା ବିବେକ ୱାଜିର ପ୍ରକାଶ କରିଛନ୍ତି ।
ଅକ୍ଟୋବରରେ କାଶ୍ମୀରରେ ହେବାକୁ ଥିବା ନିବେଶକ ସମ୍ମିଳନୀକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଖାନ୍ଙ୍କ କହିବାନୁଯାୟୀ, ହୁଏତ ନିବେଶକମାନେ ଏଠାକୁ ଆସିବାକୁ ଆଗ୍ରହ ଦେଖାଇ ନ ଥିବେ । ସରକାର ବଡ ବଡ କଥା ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.