ମୁମ୍ବାଇ: ଦ୍ୱାଦଶତମ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ବିଶ୍ୱ ଟାଇଟଲ ଦାବିଦାର ଥିଲା । ଲିଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟେବୁଲ ଟପ୍ପର ହୋଇଥିଲା । ତେଣୁ ନ୍ୟୁଜିଲାଣ୍ଡ ସହ ଦଳ ସେମି ଫାଇନାଲ ଖେଳିଥିଲା । ମାତ୍ର ସେମିରେ ଭାରତୀୟ ଦଳ ସବୁ ବିଭାଗରେ ବିଫଳ ହୋଇଥିଲା । ବିଶେଷ କରି ଦଳ ଚୟନ, ବ୍ୟାଟିଂକ୍ରମ ଏବଂ ରଣନୀତିରେ ତ୍ରୁଟି ଯୋଗୁ ଦଳ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା । ଯାହାକୁ ନେଇ ଦଳକୁ ତୀବ୍ର ସମାଲୋଚନା କରାଯାଉଛି । ଦଳ ବିଫଳତାର କାରଣ କ’ଣ ସେ ବିଷୟରେ ସମୀକ୍ଷା କରିବା ନେଇ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । କେଉଁଠି ଦଳର ତ୍ରୁଟି ରହିଲା ସେ ସଂପର୍କରେ ସମୀକ୍ଷା କରିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) । ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିବ ସିଓଏ ।
ଆଲୋଚନା ବିଭିନ୍ନ ପ୍ରସଙ୍ଗକୁ ନେଇ ହେବ ବୋଲି ଜଣାପଡ଼ିଛି । ପ୍ରସଙ୍ଗ ମଧ୍ୟରେ ୩ଟି କଥାକୁ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରଥମଟି ଅମ୍ବାତି ରାୟୁଡୁଙ୍କ ଅପ୍ରତ୍ୟାଶିତ ଅବସର, ଦ୍ୱିତୀୟଟି ବିଶ୍ୱକପ୍ ଦଳରେ ଦିନେଶ କାର୍ତ୍ତିକଙ୍କୁ ନେଇ ୩ ୱିକେଟ୍କିପର ଏବଂ ତୃତୀୟଟି ସେମି ଫାଇନାଲ୍ରେ ମହେନ୍ଦ୍ର ସିଂ ଧୋନିଙ୍କୁ ୭ ନଂ ସ୍ଥାନରେ ବ୍ୟାଟିଂ କରାଇବା । ସିଓଏ ଅଧ୍ୟକ୍ଷ ବିନୋଦ ରାଏ, ସଦସ୍ୟ ଡାଏନା ଏଡୁଜୀ ଓ ରବି ଥୋଡଗେ ବୈଠକରେ ଉପସ୍ଥିତ ରହି ସମୀକ୍ଷା କରିବେ ।
ରାୟୁଡୁଙ୍କ ଅବସର: ବହୁ ପୂର୍ବରୁ ଭାରତୀୟ ଦଳରେ ୪ ନଂ ବ୍ୟାଟିଂକୁ ନେଇ ସମସ୍ୟା ଥିଲା । ସେ ସମସ୍ୟା ବିଶ୍ୱକପ୍ରେ ମଧ୍ୟ ବଜାୟ ରହିଥିଲା । ପୂର୍ବରୁ ରାୟୁଡୁ ଭଲ ଫର୍ମରେ ଥିଲେ ବି ତାଙ୍କୁ ଦଳରେ ସୁଯୋଗ ଦେଇ ଷ୍ଟାଣ୍ଡ୍ବାଇ ରଖା ଯାଇଥିଲା । ଯଦି ଜଣେ ଆହତ ହେଲେ ତାଙ୍କ ସ୍ଥାନରେ ରାୟୁଡୁଙ୍କୁ କାହିଁକି ବଦଳ ଖେଳାଳି ଭାବେ ନିଆଗଲା ନାହିଁ । ଯାହା କି ତାଙ୍କୁ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ବାଧ୍ୟ କରିଥିଲା ।
୩ ଜଣ ୱିକେଟ୍କିପର: ବିଶ୍ୱକପ୍ ଦଳରେ ୩ ଜଣ ୱିକେଟ୍କିପର ସାମିଲ ହୋଇଥିଲେ । ବିଶେଷ କରି କାର୍ତ୍ତିକଙ୍କୁ ନେଇ ପ୍ରଶ୍ନ ଉଠିଛି । ଦୀର୍ଘ ଦିନ ଧରି ସେ ଦିନିକିଆରେ ଭଲ ପ୍ରଦର୍ଶନ କରି ପାରୁନଥିଲେ ଏବଂ ଆଇପିଏଲ୍ରେ ମଧ୍ୟ ସେମିତି ଆକର୍ଷଣୀୟ ପ୍ରଦର୍ଶନ କରି ପାରି ନଥିଲେ । ତେଣୁ ତାଙ୍କୁ କାହିଁକି ଦଳରେ ସାମିଲ କରାଗଲା । ଗୋଟିଏ ମ୍ୟାଚ୍ରେ ୩ ଜଣ ୱିକେଟ୍କିପରଙ୍କୁ ଖେଳାଯାଇଥିଲା । ଯେମିତି ଭେଟେରାନ ଧୋନି, ଯୁବତାରକା ରିଷଭ ପନ୍ତ ଏବଂ କାର୍ତ୍ତିକ ।
ଧୋନିଙ୍କୁ ୭ ନଂରେ ପଠାଇବା: ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଭାରତୀୟ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇଥିଲା । ରୋହିତ, କୋହଲି ଆଉଟ୍ ହେବା ପରେ ଚତୁର୍ଥ ସ୍ଥାନରେ ପନ୍ତ, ପଞ୍ଚମ ସ୍ଥାନରେ କାର୍ତ୍ତିକ ଓ ଷଷ୍ଠ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ । ଏହାପରେ ସପ୍ତମ ସ୍ଥାନରେ ଧୋନିଙ୍କୁ ବ୍ୟାଟିଂ କରିବାକୁ ଛଡ଼ା ଯାଇଥିଲା । ସେତେବେଳକୁ ସ୍ଥିତି ଅତି ସଙ୍ଗୀନ ହୋଇଯାଇଥିଲା । ତଥାପି ସେ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଦଳକୁ ବିଜୟ ଆଶା ଦେଇଥିଲେ । ଯଦିଓ ଦୁର୍ଭାଗ୍ୟକୁ ଧୋନି ରନ୍ ଆଉଟ୍ ହୋଇଯାଇଥିଲେ । ସେମିରେ ଧୋନିଙ୍କୁ ସପ୍ତମ ସ୍ଥାନରେ ବ୍ୟାଟିଂ କରାଇବା ଗୁରୁତର ତ୍ରୁଟି ଥିଲା ବୋଲି ପୂର୍ବତନ କ୍ରିକେଟରମାନେ କହିଥିଲେ ।
Comments are closed, but trackbacks and pingbacks are open.