ମେଲବୋର୍ଣ୍ଣ: ବଲ୍ ଟ୍ରାକିଂ, ସ୍ନିକୋ ମିଟର, ହଟ୍ ସ୍ପଟ୍ ଓ ଜିଙ୍ଗ୍ ବେଲ୍ର ସଫଳ ପ୍ରୟୋଗ ପରେ ଖୁବ୍ ଶୀଘ୍ର ଆଉ ଏକ ନୂତନ ଟେକ୍ନୋଲୋଜି କ୍ରିକେଟ୍ ସହ ସାମିଲ ହେବାକୁ ଯାଉଛି । ଅଷ୍ଟ୍ରେଲିଆର ଅଗ୍ରଣୀ କ୍ରୀଡ଼ା ଉପକରଣ ଓ କ୍ରିକେଟ୍ ବଲ୍ ପ୍ରସ୍ତୁତ କାରୀ କମ୍ପାନୀ ‘କୋକାବୁରା’ ଏବେ ସ୍ମାର୍ଟ୍ ବଲ୍ ନିର୍ମାଣ କରିଛି ।
ବହୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ଏହି ସ୍ମାର୍ଟ୍ ବଲ୍କୁ ସବୁଜ ସଂକେତ ଦେଇଛନ୍ତି । କୋକାବୁରା ପ୍ରସ୍ତୁତ କରିଥିବା ‘ସ୍ମାଟର୍୍ ବଲ୍’ରେ ରହିଛି ଏକ ମାଇକ୍ରୋ ଚିପ୍ । ଏହି ସ୍ମାଟର୍୍ ବଲ୍ ଖୁବ୍ ଶୀଘ୍ର ଅଷ୍ଟ୍ରେଲିଆର ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ୍ରେ ବ୍ୟବହୃତ ହେବ ।
ସ୍ମାର୍ଟ ବଲ୍ର କେନ୍ଦ୍ର ସ୍ଥଳରେ ମାଇକ୍ରୋ ଚିପ୍ ରହିବ । ଏହା ବଲ୍ର ସ୍ପିଡ୍, ବାଉନ୍ସ ଓ ସୁଇଂକୁ ମାପି ପାରିବ । ଏବେ ମଧ୍ୟ ବଲ୍ର ସ୍ପିଡ୍ ମାପିବା ପାଇଁ ସ୍ପିଡୋ ମିଟର ବ୍ୟବହାର କରାଯାଉଛି । ହେଲେ ସ୍ମାର୍ଟ ବଲ୍ରେ ଲାଗିଥିବା ଚିପ୍ର ମାପ ପାରମ୍ପରିକ ସ୍ପିଡୋ ମିଟର ଅପେକ୍ଷା ଅଧିକ ସଠିକ୍ ରହିବ । କୌଣସି ବୋଲର ହାତରୁ ବଲ୍ ଖସିବା ମାତ୍ରେ ବଲ୍ର ବେଗ ମାପି ହୋଇଯିବ । ଠିକ୍ ସେହିପରି ଏଲ୍ବିଡବ୍ଲ୍ୟୁ ନିଷ୍ପତ୍ତିରେ ସ୍ମାର୍ଟ ବଲ୍ର ଚିପ୍ ବେଶ୍ ସହାୟତା କରିବ । ବଲ୍ ପିଚ୍ରେ ପଡ଼ିବା ପରେ କେତେ ପରିମାଣର ସୁଇଂ ଓ ବାଉନ୍ସ ହେଉଛି, ତାହା ସ୍ମାର୍ଟ ଚିପ୍ ନିଖୁଣ ଭାବେ ମାପି ପାରିବ । ଫଳରେ ଡିଆରଏସ୍ ପାଇଁ ସ୍ମାର୍ଟ ବଲ୍ ବେଶ୍ ସହାୟକ ହୋଇପାରିବ । ୱିକେଟ୍ କିପର କିମ୍ବା ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ ଅପିଲ୍ ସମୟରେ ମଧ୍ୟ ସ୍ମାଟର୍୍ ବଲ୍ରୁ ସଠିକ୍ ଉତ୍ତର ମିଳି ପାରିବ । ଏପରିକି ସ୍ଲିପ୍ ଅଞ୍ଚଳରେ କ୍ୟାଚ୍ ଧରିବା ସମୟରେ ବଲ୍ ଘାସ ଛୁଇଁଛି କା ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେବ ।
ସ୍ମାର୍ଟ ବଲ୍କୁ ନେଇ ଅନ୍ତର୍ଜାତୀୟ ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କିଛି ଖେଳାଳି ଇନ୍ଡୋର ନେଟ୍ସରେ ଏହି ବଲ୍ ପକାଇଥିଲେ । ମାଇକ୍ରୋ ଚିପ୍ ସଙ୍ଗେ ସଙ୍ଗେ ବଲ୍ର ଗତି, ସୁଇଂ ଓ ବାଉନ୍ସ ବିଷୟରେ ଜଣାଇ ଦେଇଥିଲା । ସ୍ମାର୍ଟ ବଲ୍ ଟେଷ୍ଟ କ୍ରିକେଟ୍ରେ ବେଶ୍ ଆଦୃତ ହେବ ବୋଲି ଅନେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି ।


Comments are closed, but trackbacks and pingbacks are open.