ମୟୁରଭଞ୍ଜ,(ବି.ବି.ନୁ୍ୟଜ୍):ଜଙ୍ଗଲକୁ ଯାଇଥିବା ଜଣେ ଯୁବକଙ୍କୁ ବାଡେଇ ବାଡେଇ ବନ କର୍ମଚାରୀ ମାରି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଟ୍ ହାଉସ ସମ୍ମୁଖରେ ହୋଇଯାଇଛି ତୁମୁଳକାଣ୍ଡ । ପରିବାର ଲୋକେ କ୍ଷତିପୂରଣ ଦାବିରେ ବିଟ୍ ହାଉସ ସମ୍ମୁଖରେ ଶବ ରଖି ରାତି ୧୨ ଟାରୁ ସକାଳ ୧୨ ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ପୋଡାଡିହା ଫରେଷ୍ଟ ବିଟ୍ କାର୍ଯ୍ୟାଳୟ ସମ୍ମୁଖରେ ।
ଖବର ଅନୁସାରେ, କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାଏକ ନିଜର ଅନ୍ୟ ଦୁଇ ଜଣ ସାଥୀଙ୍କ ସହିତ ଗତ ୯ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଶାଳପତ୍ର ତୋଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ତିନି ଦିନ ଧରି ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ପତ୍ତା ପାଇ ନଥିଲେ । ପରେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବନ ବିଭାଗ କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ଫୋନ୍ରେ ଜଣାଇଥିଲେ । ଏହା ପରେ ପରିବାର ଲୋକେ ବାରିପଦାରେ ପହଂଚିବା ପରେ ସେଠାରେ ଗଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଗତକାଲି କଟକରେ ଗଜେନ୍ଦ୍ରଙ୍କର ମୃତୁ୍ୟ ହୋଇଥିଲା । ଏହା ପରେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଗଜେନ୍ଦ୍ରଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବା ବେଳେ ପରିବାର ଲୋକେ ଏବଂ ଗ୍ରାମବାସୀ ମୃତଦେହକୁ ଘରକୁ ନେଇ ପୋଡାଡିହା ବିଟ୍ ହାଉସ୍ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ବନବିଭାଗ କର୍ମଚାରୀଙ୍କ ମାଡରେ ଗଜେନ୍ଦ୍ରଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ ହୋଇ କ୍ଷତିପୂରଣ ଦାବିରେ ବିଟ୍ ହାଉସ ସମ୍ମୁଖରେ ଆନେ୍ଦାଳନ କରିଥିଲେ । ଗ୍ରାମର ଶତାଧିକ ମହିଳା ପୁରୁଷ ଏହି ଆନେ୍ଦାଳନରେ ସାମିଲ ହୋଇ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଶିମିଳିପାଳ ଜଙ୍ଗଲ ମଧ୍ୟରେ ଗଜେନ୍ଦ୍ରଙ୍କୁ ବନବିଭାଗ କର୍ମଚାରୀମାନେ ଶିକାରୀ ଭାବି ବାଡେଇ ବାଡେଇ ଗୁରୁତର କରିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେତେବେଳେ ବନବିଭାଗ ଗଜେନ୍ଦ୍ରଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପାଇଥିଲେ ସେବେ ତାଙ୍କ ପରିବାର ଲୋକଙ୍କୁ ଖବର ନ ଦେଇ କ’ଣ ପାଇଁ ସେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ବୋଲି କହିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକେ । ବନବିଭାଗ ନିଜର ଭୁଲ୍ ଲୁଚାଇବାକୁ ଯାଇ ଏପରି କରିଥିବା ଅଭିଯୋଗ କରିଛନ୍ତି ଆନେ୍ଦାଳନକାରୀ । ତବେ ମଧ୍ୟରାତ୍ରି ଠାରୁ ଶବ ରଖି ପରିବାର ଲୋକେ ଏବଂ ଗ୍ରାମବାସୀ ଆନେ୍ଦାଳନ କରି ଆସିଥିବା ବେଳେ ଆଜି ଦିନ ୧୦ ଟା ସମୟରେ ପୋଡାଡିହା ବନବିଭାଗର ରେଞ୍ଜର ମାଧବମୋହନ ମହାନ୍ତ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନ ଥିଲା । ଅନ୍ୟପଟେ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଂଚି ମଧ୍ୟ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ନିଜ ଜିଦିରେ ଅଟଳ ରହିଥିଲେ । ଏହା ପରେ ଦିନ ପ୍ରାୟ ୧୨ ଟା ସମୟରେ ଉତ୍ତ୍ୟକ୍ତ ଲୋକେ ବିଟ ହାଉସ ଭିତରକୁ ପଶି ଚେୟାର ଟେବୁଲ ଭଙ୍ଗାରୁଜା କରିବା ସହିତ ଅଶାନ୍ତି ସୃଷ୍ଟି କରିଥିଲେ । ପୁଲିସ୍ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଥିଲା । ତେବେ ପରେ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ମୃତ ଗଜେନ୍ଦ୍ରଙ୍କ ଶବଦାହ ନିମନ୍ତେ ୧୦ ହଜାର ଟଙ୍କା ସହିତ ମୃତ ଗଜେନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନୀଙ୍କୁ ବିଭାଗର ଏକ ଅସ୍ଥାୟୀ ପଦବିରେ ଚାକିରି ଦେବାର ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଦୀର୍ଘ ୧୨ ଘଣ୍ଟା ପରେ ମୃତଦେହ ଉଠିଥିଲା । ହେଲେ ଏ ସବୁ ଭିତରେ ଗଜେନ୍ଦ୍ରଙ୍କ ମୃତୁ୍ୟ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ଏନେଇ ରେଞ୍ଜର ଶ୍ରୀ ମହାନ୍ତଙ୍କୁ ପଚାରିବାରୁ ଶିମିଳିପାଳ ଜଙ୍ଗଲର କୋର ଏରିଆରେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ପଡିଥିଲେ । ତାଙ୍କୁ କେହି ବନକର୍ମଚାରୀ ମାଡ ମାରିନଥିବା ପ୍ରକାଶ କରିଥିଲେ । ସବୁପରେ ଗଜେନ୍ଦ୍ର ବାସ୍ତବରେ ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିଲେ ନା ଶିକାର କରିବାକୁ ତାହା ଏବେ ବି ଅସ୍ପଷ୍ଟ ରହିଛି ।
Comments are closed, but trackbacks and pingbacks are open.