କ୍ୟାଫେ କଫି ଡେ’ ପ୍ରତିଷ୍ଠାତା ସିଦ୍ଧାର୍ଥ ମୃତ

Get real time updates directly on you device, subscribe now.

ମାଙ୍ଗାଲୁରୁ: ଆଶଙ୍କା ସତ ହେଲା । ମାନସିକ ବିଷାଦ ମଧ୍ୟରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦେଶର ସର୍ବବୃହତ୍ କ୍ୟାଫେ ଚେନ୍ କ୍ୟାଫେ କଫି ଡେ’(ସିସିଡି) ପ୍ରତିଷ୍ଠାତା ଭି. ଜି. ସିଦ୍ଧାର୍ଥ । ବୁଧବାର ସକାଳେ ନେତ୍ରାବତି ନଦୀରୁ ତାଙ୍କ ମରଶରୀରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସୋମବାର ସନ୍ଧ୍ୟାରୁ ନଦୀ ପୋଲରୁ ନିଖୋଜ୍ ହୋଇ ଯାଇଥିବା ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ଦିନ ରାତି ଏକ୍ କରିଦେଇଥିଲା ପ୍ରଶାସନ । ସେ ଆତ୍ମହତ୍ୟା କରିଛନ୍ତି ନା କେଉଁ ଆଡ଼େ ଚାଲି ଯାଇଛନ୍ତି ତାହାକୁ ନେଇ ଅନେକ ପ୍ରକାର କଳ୍ପନା ଜଳ୍ପନା କରାଯାଉଥିଲା । ବର୍ତ୍ତମାନ ସବୁର ଅନ୍ତ ଘଟିଛି । ଦେଶର କଫି ସମ୍ରାଟ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍. ଏମ୍. କ୍ରିଷ୍ଣାଙ୍କ ଜ୍ୱାଇଁ ସିଦ୍ଧାର୍ଥ ଆଉ ନାହାନ୍ତି । ଋଣ ବୋଝ, ଆୟକର ଚଢ଼ଉ ମଧ୍ୟରେ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି କଫି କିଙ୍ଗ୍ । ବ୍ୟବସାୟ ଜଗତର ଅନ୍ଧାର ମଧ୍ୟରେ ସେ ହଜିଗଲେ । କଫି ସମ୍ରାଟ ଏବେ ମୃତ ।
ବୁଧବାର ସକାଳ ପାଖାପାଖି ୬ ଟାରେ ତାଙ୍କ ମରଶରୀରକୁ ନେତ୍ରାବତି ନଦୀରୁ ଉଦ୍ଧାର କରିଛନ୍ତି ହୋଗ୍ ବଜାରର ୩ ଜଣ ମତ୍ସ୍ୟଜୀବୀ । ନଦୀ କୂଳରୁ ୫୦୦ ମିଟର ଦୂରରେ ତାଙ୍କ ଶବ ଭାସୁଥିବାବେଳେ ମତ୍ସ୍ୟଜୀବୀ ଏହାକୁ ଦେଖିଥିଲେ । କୂଳକୁ ଆଣିବା ପରେ ସେମାନେ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । ପୁଲିସ କମିସନର(ମାଙ୍ଗାଲୁରୁ) ସନ୍ଦୀପ ପାଟିଲ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ ଲାଗି ଏହାକୁ ୱେନ୍ଲକ୍ ହସ୍ପିଟାଲକୁ ପଠାଇଥିଲେ । ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ବୁଧବାର ସନ୍ଧ୍ୟାରେ ନିଜ ପୈତୃକ ଗ୍ରାମ ଚେଥାନାହଲିସ୍ଥିତ ପାରିବାରିକ ଇଷ୍ଟେଟ୍ରେ ହୋଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ, ସିଦ୍ଧାର୍ଥ ସୋମବାର ସନ୍ଧ୍ୟାରୁ ମାଙ୍ଗାଲୁରୁ ନିକଟ ନେତ୍ରାବତି ନଦୀ ପୋଲରୁ ନିଖୋଜ୍ ହୋଇଯାଇଥିଲେ । ସେ ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ଯାଉଥିବାବେଳେ ନେତ୍ରାବତି ନଦୀ ପୋଲ ଉପରେ ନିଜ ଇନୋଭା ଗାଡ଼ିରୁ ଓହ୍ଲାଇଲେ । ସେଠାରେ କିଛି ସମୟ ବୁଲିବାକୁ ଚାହୁଁଛନ୍ତି ବୋଲି ଡ୍ରାଇଭରକୁ କହି ଚାଲିଯାଇଥିଲେ । ତାଙ୍କ କହିବାଅନୁସାରେ ଡ୍ରାଇଭର ଗାଡ଼ି ଆଗରେ ପାର୍କ କରି ଅପେକ୍ଷା କରିଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଯେତେବେଳେ ସିଦ୍ଧାର୍ଥ ଫେରିଲେ ନାହିଁ ଅସ୍ତବ୍ୟସ୍ତ ହୋଇ ଡ୍ରାଇଭର ଜଣକ ଚାରିଆଡ଼େ ଖୋଜିଚାଲିଲେ । କିନ୍ତୁ ସିଦ୍ଧାର୍ଥଙ୍କୁ ପାଇଲେ ନାହିଁ । ଏହା ପରେ ସେ ସିଦ୍ଧାର୍ଥଙ୍କ ପରିବାର ବର୍ଗଙ୍କୁ ଏ ନେଇ ସୂଚିତ କରାଇଥିଲେ । ମଙ୍ଗଳବାର ସନ୍ଧ୍ୟାରୁ ତଲାସି ଅଭିଯାନ ଜୋରସୋର ଚାଲିଥିଲା ।
ପ୍ରକାଶଯୋଗ୍ୟ, ୫୮ ବର୍ଷୀୟ ସିଦ୍ଧାର୍ଥ ଏକ ସୁଇସାଇଡ୍ ଲେଟର ଛାଡ଼ିଥିଲେ, ଯେଉଁଥିରେ ସେ ଅତ୍ୟନ୍ତ ଚାପରେ ଥିବା ଦର୍ଶାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons