ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚୌହଦୀରୁ ୭୫ ମିଟର ଚଉଡ଼ାରେ ସବୁ ନିର୍ମାଣ ହଟାଇ ଦିଆଯିବ । ବୈଧ ହେଉ କି ବେଆଇନ ଜବରଦଖଲ ନିର୍ମାଣ, ସବୁ ଭଙ୍ଗାଯିବ । ମେଘନାଦ ପାଚେରୀ ପାଖରୁ ୭୫ ମିଟର ସହରଦ ଭିତରେ ଥିବା ଦୋକାନ ବଜାର, ଘରଦ୍ୱାର ସବୁ ଭଙ୍ଗି ସଫା କରିଦିଆଯିବ । ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍ ବିପି ଦାସ କମିଶନଙ୍କ ଅନ୍ତରୀଣ ରିପୋର୍ଟର ସୁପାରିସକ୍ରମେ ଆଜି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଏଥି ସହିତ ଗତ ବିଧାନସଭା ଅଧିବେଶନର ସତ୍ତ୍ରାବସାନ, ମାରିଟାଇମ୍ ବୋର୍ଡ ଗଠନ ଏବଂ ଓଏସ୍ଆର୍ଟିସି ପୁନରୁଦ୍ଧାର ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ବସିଥିଲା କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୬ଟି ପ୍ରସ୍ତାବରେ ମୋହର ବାଜିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ବାବଦରେ ସୂଚନା ଦେଇଥିଲେ । ଶ୍ରୀମନ୍ଦିରର ନିରାପତ୍ତା ଓ ସୁରକ୍ଷା ନେଇ ଜଷ୍ଟିସ ଦାସ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କେତେକ ସୁପାରିସକୁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନର କେତେକ ପ୍ରସ୍ତାବ ଦେଇଛନ୍ତି । ଭକ୍ତମାନେ ଯେପରି ଆରାମରେ ଚଳପ୍ରଚଳ କରିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାଗାକୁ ଖାଲି କରାଯିବ । କୌଣସି ପ୍ରକାର ନିର୍ମାଣ ସେଠାରେ ରହିବ ନାହିଁ ।
ଏଥିପାଇଁ ସର୍ଭେ ଓ ଜାଗା ଚିହ୍ନଟ କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯିବ । ଏହି ଜାଗା ଭିତରେ ଯେଉଁ ସବୁ ସମ୍ପତ୍ତି ବା ଜାଗାବାଡ଼ି ରହିଛି, ତାହାର ମୂଲ୍ୟାଙ୍କନ କରାଯିବ । ଏଥିପାଇଁ ଜମି ଓ ସମ୍ପତ୍ତି ହରାଉଥିବା ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବ । ଏହି ପ୍ରକ୍ରିୟା ପାଇଁ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀଙ୍କୁ ମଧ୍ୟ ଥଇଥାନ କରାଯିବ । ଜିଲ୍ଲାପାଳ ଏ ବାବଦରେ ସର୍ଭେ ଓ କ୍ଷୟକ୍ଷତି ଆକଳନ କରିବା ପରେ ଏ ପ୍ରକ୍ରିୟା ଆଗେଇବ । ପୁରୀରେ ‘ଅବଢ଼ା’ ଯୋଜନାରେ ରାସ୍ତା ଚଉଡ଼ା କରିବା ସହ ପାର୍କିଂ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବର୍ତ୍ତମାନ ପୁରୀରେ ଏସବୁ ବିକାଶମୂଳକ କାର୍ଯ୍ୟକ୍ରମକୁ ବି ‘ଅବଢ଼ା’ ଯୋଜନାରେ ସାମିଲ କରାଯିବ । ସେହିପରି କମିଶନଙ୍କ ସୁପାରିସ ମୁତାବକ ମନ୍ଦିର ଭିତରେ ପୁଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା ସହ ମନ୍ଦିର ନିକଟରୁ ଜୋତା ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ୱାଚ୍ ଟାୱାର ନିର୍ମାଣ ପ୍ରସ୍ତାବ ଉପରେ କାମ ଚାଲିଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଉନ୍ନତ ପ୍ରଶାସନ ଓ ପରିଚାଳନା ପାଇଁ ରାଜ୍ୟ ସରକାର ୨୦୧୬ ଜୁଲାଇ ୨୩ରେ ଉପରୋକ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ ଦାସଙ୍କ କମିଶନ ୨୦୧୭ରେ ଦୁଇଟି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା ।
ସେହିପରି ଓଡ଼ିଶା ସମୁଦ୍ରୀୟ ପରିଷଦ (ଓଡ଼ିଶା ମାରିଟାଇମ୍ ବୋର୍ଡ) ଗଠନ ବିଲ୍କୁ ମଧ୍ୟ ଆଜି କ୍ୟାବିନେଟ୍ ମୋହର ମାରିଛି । ଏହି ବୋର୍ଡ ସିଙ୍ଗଲ୍ ୱିଣ୍ଡୋ ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ରାଜ୍ୟରେ ସାମୁଦ୍ରିକ ପ୍ରକଳ୍ପର ଉନ୍ନୟନ ପାଇଁ କାର୍ଯ୍ୟ କରିବ । ଏହା ବନ୍ଦର ଓ ଜଳପଥର ସମନ୍ୱିତ ବିକାଶ ପାଇଁ ନୀତି ନିର୍ଦ୍ଧାରଣ, ମାର୍ଗଦର୍ଶନ ଓ ନିର୍ଦ୍ଦେଶ ପ୍ରଦାନ କରିବ । ଏହା ସହିତ ବନ୍ଦର କ୍ଷେତ୍ରରେ ପୁଞ୍ଜି ଲଗାଣକୁ ଉତ୍ସାହିତ କରିବା ପାଇଁ ସର୍ଭେ ଓ ଯାନ୍ତ୍ରିକ ତଥା ଆର୍ଥିକ ସମ୍ଭାବନା ଉପରେ ଅନୁଧ୍ୟାନ ଓ ଅଧ୍ୟୟନ କରି ରିପୋର୍ଟ ପ୍ରସ୍ତୁତ କରିବ । ଏହି ବୋର୍ଡର ମୁଖ୍ୟ କାମ ହେଲା-ରାଜ୍ୟରେ ପିପିପି ମୋଡ୍ରେ ଅଣବୃହତ ବନ୍ଦରଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା । ଏହାର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । ୧୨ଜଣ ସଦସ୍ୟ ଏଥିରେ ରହିବେ । ଗୋପାଳପୁର ଓ ଧାମରା ବନ୍ଦରରୁ ରାଜ୍ୟ କୋଷାଗାରକୁ ଯାଉଥିବା ରାଜସ୍ୱ ଏଣିକି ଏହି ବୋର୍ଡକୁ ଯିବ । ବିଧାନସଭାରେ ଅନୁମୋଦନ ମିଳିବା ପରେ ଏହି ବୋର୍ଡ ଗଠନ ହେବ । ଷଷ୍ଠ ରାଜ୍ୟ ଭାବେ ଓଡ଼ିଶାରେ ଏହି ବୋର୍ଡ କାମ କରିବ । ସୂଚନାଯୋଗ୍ୟ, ୨୦୧୧ ମସିହାରେ ଏହି ବିଲ୍ ପ୍ରଥମେ ପାସ୍ ହୋଇଥିଲା । ମାତ୍ର ସେଥିରେ ଅଧିକ ବିଷୟବସ୍ତୁ ଯୋଡ଼ିବା ପାଇଁ ସେହି ବିଲ୍ଟିକୁ ପ୍ରତ୍ୟାହାର କରି ନିଆଯାଇଥିଲା ।
କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି କ୍ରମେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ସେବା (ଓଏସଆରଟିସି) ନୂଆ ରୂପ ନେବ । ୧୯୭୪ ମସିହାରେ ଗଠନ ହୋଇଥିବା ଏହି ନିଗମ କ୍ଷତିରେ ଚାଲୁଥିବାବେଳେ ଏହାର ପୁନରୁଦ୍ଧାର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଓଏସଆରଟିସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବହୁ ପୁରୁଣା ଦେୟ ଅସମାହିତ ହୋଇ ପଡ଼ିରହିଛି । ରାଜ୍ୟ ସରକାରଙ୍କ ୭୨ କୋଟି ଟଙ୍କାର ପୁରୁଣା ବକେୟା ଇକ୍ୟୁଇଟିକୁ ରୂପାନ୍ତରିତ ହୋଇଛି । ମୋଟ ଇକ୍ୟୁଇଟି ପୁଞ୍ଜି ୨୫୪ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ନିଗମର ରାଜ୍ୟ ସରକାରଙ୍କ ଉପରେ ଥିବା ୭୭.୭୪ କୋଟି ଟଙ୍କା ଛାଡ଼ କରିବା ପାଇଁ ପ୍ରସ୍ତାବ ରହିଛି । ଓଏସଆରଟିସିର ୧୭୦ କୋଟି ଟଙ୍କାର ଏକକୀକୃତ କ୍ଷତି ଅଂଶଧନ ବାବଦକୁ ପର୍ଯ୍ୟାୟ କ୍ରମେ ରୂପାନ୍ତରିତ ହେବ । ଥରେ ଏହି କ୍ଷତି ଭରଣା ହେଲେ ଓଏସଆରଟିସି ରୂପରେଖ ବଦଳିବ ।
ଓଡ଼ିଶା ପୁଲିସ ସର୍ଭିସ୍ ରୁଲ୍ସ ୨୦୧୩ର ରୁଲ୍-୬(୪)ରେ ଥିବା ବ୍ୟବସ୍ଥାର ସଂଶୋଧନ ପାଇଁ ବର୍ତ୍ତମାନ ଥିବା ପ୍ରତିବନ୍ଧକ ଦୂର ହେବ । ଓପିଏସ୍ (ଏସ୍ଏଜି) ପାହ୍ୟାରେ ଥିବା ପଦବୀଗୁଡ଼ିକୁ ଯୋଗ୍ୟ ଓପିଏସ୍ ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ । ଏଥିପାଇଁ ୧୮ ବର୍ଷ କାମ କରିଥିବା ବାଧ୍ୟତାମୂଳକ ସର୍ତ୍ତାବଳୀକୁ ହଟାଇ ଦିଆଯିବା ଉପରେ କ୍ୟାବିନେଟ ବିଚାର କରିଛି ।
ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଉପରେ ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି କ୍ୟାବିନେଟରେ । ୧୯୬୩ରୁ ପ୍ରତିଷ୍ଠିତ ଏହି କଲେଜର ନିଜସ୍ୱ ଜମି ଓ କୋଠାବାଡ଼ି ନାହିଁ । ୧୯୭୮ରୁ ଏହା ଆଠଗଡ଼ର ପୂର୍ବତନ ରାଜ ପରିବାରର ବୀରକିଶୋରପୁର ଗାଁରେ ଥିବା ୧୧.୫୬ ଏକର ଜମିରେ ଅବସ୍ଥିତ କୋଠାରେ ଚାଲୁ ଅଛି । ସର୍ବସାଧାରଣ ସ୍ୱାର୍ଥ ଦୃଷ୍ଟିରୁଏ କଲେଜ ସପକ୍ଷରେ ବର୍ଣ୍ଣିତ ଜମି ଓ କୋଠାବାଡ଼ିର ଦାନପତ୍ର କବଲା ପାଇଁ ଆବଶ୍ୟକ ପଡ଼ୁଥିବା ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି’ ସରକାର ଛାଡ଼ କରିଛନ୍ତି ।
Comments are closed, but trackbacks and pingbacks are open.