ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘କ୍ୟାର୍’ ପୂର୍ବ-କେନ୍ଦ୍ରୀୟ ସମୁଦ୍ର ଭିତରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ । ବର୍ତ୍ତମାନ ଏହା ମହାରାଷ୍ଟ୍ରର ରତ୍ନଗିରି ଠାରୁ ପଶ୍ଚିମରେ ୨୦୦ କିମି ତଥା ମୁମ୍ବାଇ ଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ୩୧୦ କି.ମି ଏବଂ ଓମାନର ସଲାଲହ ଠାରୁ ୧,୭୮୦ କିମି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ସମୁଦ୍ରରେ ଏହା ବଳ ଜୁଟାଇ ପଶ୍ଚିମ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୫ ଦିନ ଭିତରେ ଏହା ଓମାନ ଉପକୂଳ ଛୁଇଁବାର ଆଶଙ୍କା ରହିଛି ।
ଭାରତୀୟ ଉପକୂଳ ଅଞ୍ଚଳ ପ୍ରତି ସେଭଳି କୌଣସି ବିପଦ ନଥିଲେ ମଧ୍ୟ ବାତ୍ୟା ପ୍ରଭାବରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ତେଣୁ ତାର ମୁକାବିଲା କରିବା ଲାଗି ଭାରତୀୟ ତଟରକ୍ଷୀ ବାହିନୀ ସଜାଗ ହୋଇରହିଛି । କର୍ଣ୍ଣାଟକ ଠାରୁ ଗୋଆ ଉପକୂଳ ମଧ୍ୟରେ ତଟରକ୍ଷୀ ବାହିନୀର ୫ଟି ଜାହାଜ ସମୁଦ୍ର ପ୍ରହରି, ଅମଲ, ଅପୂର୍ବା, ଅମର୍ତ୍ତ୍ୟ ଓ ରାଜଦୂତକୁ ମୁତୟନ କରାଯାଇଛି । ଏଥିସହ ଏକ ଡୋର୍ନିଅର ବିମାନକୁ ମଧ୍ୟ ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତୁତ କରି ରଖାଯାଇଛି । ମାଛ ଧରିବାକୁ ଯାଇଥିବା କୌଣସି ବୋଟ ସମୁଦ୍ରରେ ଫଶି ରହିଛି କି ନାହିଁ ଡୋର୍ନିଅର ବିମାନ ତାହା ଉପରେ ନଜର ରଖିଛି । ଉପକୂଳ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ସହ ତଟରକ୍ଷୀ ବାହିନୀ ନିୟମିତ ଯୋଗାଯୋଗରେ ରହିଛି ।
କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରର ପ୍ରାୟ ୫୦୦ ମାଛଧରା ବୋଟ ଓ ସେଥିରେ ଥିବା ମତ୍ସ୍ୟଜୀବୀମାନେ କରୱାର ଠାରେ ଆଶ୍ରୟ ନେଇଛନ୍ତି । ସେହିଭଳି ଉଡୁପି ଓ ମେଙ୍ଗାଲୁରୁ ଠାରେ ୧୨୦ଟି ବୋଟ୍ ଓ ଏହାର କର୍ମଚାରୀ ଆଶ୍ରୟ ନେଇଥିବା ଜଣାପଡିଛି । ଗତକାଲି କରୱାର ଉପକୂଳରୁ ମାଛଧରା ବୋଟ ରାଜକିରନ ଓ ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀର ଜାହାଜ ଅମର୍ତ୍ତ୍ୟ ସହାୟତାରେ ଉଦ୍ଧାର କରାଯାଇଛି । ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛଧରି ନଯିବା ଲାଗି ମହାରାଷ୍ଟ୍ର-ଗୋଆ-କର୍ଣ୍ଣାଟକ ତଥା ଗୁଜରାଟର ଦକ୍ଷିଣ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Comments are closed, but trackbacks and pingbacks are open.