ରାଉରକେଲା,(ବି.ବି.ନୁ୍ୟଜ୍): କ୍ୱାଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ମହତାବ ରୋଡ଼ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବା ବେଳେ ମୁଖ୍ୟ ରାସ୍ତାକୁ ଆଜି ସକାଳେ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତେକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୋଲିସ ଉପରକୁ ଟେକା , ପଥର ମାଡ଼ କରିବାକୁ ପଛାଇ ନାହାନ୍ତି । ଏହି ଘଟଣାରେ ୧୫ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିବା ଜଣାଯାଇଛି । ସୂଚନାମୁତାବକ, କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର ଜୋନ୍ ଓ କ୍ୱାଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଗତ ରାତିରେ ପାୱାର ହାଉସ୍ ରୋଡ଼ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ହୋଇଥିବା ବଫର ଜୋନକୁ ପ୍ରତ୍ୟାହାର କରାଯାଇଥିଲା । ସେହିପରି ମଦୁସୂଦନ ମାର୍ଗରୁ ଆନନ୍ଦ ଭବନ ଲେନ୍ ପର୍ଯ୍ୟନ୍ତ ଅଞ୍ଚଳକୁ ମଧ୍ୟ ବଫର ଜୋନ୍ରୁ ବାଦ୍ ଦିଆଯାଇଥିଲା । ଏହାପରେ ନିଜ ଅଞ୍ଚଳରୁ ମଧ୍ୟ କ୍ୱାଣ୍ଟେନମେଣ୍ଟ କଟକଣା ଉଠାଇ ଦେବାକୁ ଜିଦ୍ ଧରି ବସିଥିଲେ ମହତାବ ରୋଡ୍ ଓ ସ୍ଥାନୀୟ ଅଞ୍ଚଳବାସୀ । ଏପରିକି ସେମାନେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପୋତା ଯାଇଥିବା ବାଉଁଶକୁ ବାହରା କରିଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପ୍ଲାଣ୍ଟସାଇଟ୍ ଥାନା ଆଗରେ ରୁଣ୍ଡ ହୋଇ ବିକ୍ଷୋଭ କରିଥିଲେ । ଖବର ପାଇ ଡିଆଇଜି ଜଲାନ୍, ଏସ୍ପି , ଡିଏସ୍ପି ପ୍ରମୁଖ ଫୋର୍ସ ସହ ପହଞ୍ଚି ଉତ୍ତେକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ସଫଳ ହୋଇ ପାରୁ ନଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଅଧିକ ଫୋର୍ସ ମଗାଯାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.