ମୋହନା,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ରୁ ଫେରିଲେ । କିନ୍ତୁ ଗ୍ରାମବାସୀ ଗାଁରେ ପୁରାଇ ଦେଲେନି । ଫଳରେ ବାଧ୍ୟ ହୋଇ ଜଙ୍ଗଳରେ ଆଶ୍ରୟ ନେଲେ ୭ ପ୍ରବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଖାରିପଦା ଗାଁରେ । ଗାଁର ୭ ଜଣ ଯୁବକ ଗୁଜରାଟ ସୁରଟରୁ କାମ କରିବାକୁ ଯାଇଥିଲେ । ଲକ୍ଡାଉନ୍ ଯୋଗୁ ସେଠାରେ କାମଧନ୍ଦା ବନ୍ଦ ହୋଇଯିବାରୁ ସେଠାରୁ ସେମାନେ ବସ୍ ଭଡ଼ା କରି ଗଜପତି ଆର. ଉଦୟଗିରିକୁ ଫେରି ଆସିଥିଲେ । ଏଠାରେ ପହଞ୍ଚିବା ପରେସେମାନେ ସରକାରଙ୍କ ନିୟମ ଅନୁଯାୟୀ ଆର. ଉଦୟଗିରି ବ୍ଲକ କେଏମ୍ ଭଲିଆସାହି କ୍ୱାରେଣ୍ଟାଇନ୍ରେ ୧୪ ଦିନ ରହିଲେ । କ୍ୱାରେଣ୍ଟାଇନ୍ରେ ୧୪ ଦିନ ରହିବା ଅବଶିଷ୍ଟ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ଗାଁକୁ ଯାଇଥିଲେ । ସେଠାରେ ଏକ ସ୍କୁଲ ଘରେ ଗୋଟିଏ ରାତି ରହିବା ପରେ ସ୍କୁଲ ଶିକ୍ଷକ ସେମାନଙ୍କୁ ରହିବାକୁ ଅନୁମତି ଦେଇନଥିଲେ । ଏପରିକି ଘରେ ସଂଗରୋଧରେ ରହିବାକୁ ଯିବାରୁ ଗ୍ରାମବାସୀ ବୈଠକ ବସାଇ ସେମାନଙ୍କୁ ଗାଁରେ ପୁରାଇ ଦେଲେନି । ଶେଷରେ ବାଧ୍ୟ ହୋଇ ଯୁବକମାନେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇ ଜଙ୍ଗଲରେ ପଲିଥିନ ଟାଣି ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି । ସେମାନଙ୍କ ନିକଟକୁ କୌଣସି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହାନ୍ତି ବା କେହି ଗ୍ରାମବାସୀଙ୍କୁ ବୁଝାସୁଝା କରିନାହାନ୍ତି ।
Comments are closed, but trackbacks and pingbacks are open.