କ୍ୱାର୍ଟର୍ସ ସମ୍ମୁଖରେ ପୋଷା କୁକୁର କାମୁଡ଼ା କାମୁଡ଼ି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୋଷା କୁକୁର ପାଇଁ କଳି । ଖାଲି କଥା କଟାକଟି ନୁହେଁ, ମାଡ଼ ଖାଇ ରକ୍ତାକ୍ତ ହୋଇଛନ୍ତି ଜଣେ କୁକୁର ମାଲିକ । ମାଡ଼ ମାରିଛନ୍ତି ଆଇଏଏସ୍ ଅଫିସ୍ର ଓ ତାଙ୍କ ପତ୍ନୀ । କଥାଟା ଶୁଣିବାକୁ ଅଡ଼ୁଆ ଲାଗିଲେ ବି ସତ୍ୟ । ଏମିତି ଘଟଣା ଘଟିଛି ସହିଦ୍ନଗର ଥାନା ୟୁନିଟ୍-୯ ଅଞ୍ଚଳରେ । ଏନେଇ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି । ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ୟୁନିଟ୍-୯ କ୍ୱାର୍ଟର୍ସ ନମ୍ବର ୨ଆର୍ଏଏଫ୍-୪୦/୪ରେ ରହୁଛନ୍ତି ଜନସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର କର୍ମଚାରୀ କାଳୁଚରଣ ପରିଡ଼ା । କିଛି ଦୂରରେ ଥିବା କ୍ୱାର୍ଟର୍ସ ୪/୭ରେ ରହୁଛନ୍ତି ଯୋଗାଣ ବିଭାଗର ଆଇଏଏସ୍ ଅଫିସ୍ର ଭି.ଭି ଯାଦବ ଓ ତାଙ୍କ ପତ୍ନୀ ସ୍ୱାତୀ । ପ୍ରତ୍ୟେକ ଦିନ କାଳୁ ତାଙ୍କ ପୋଷା କୁକୁର ନେଇ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି । ଆଇଏଏସ୍ ଦମ୍ପତ୍ତି ମଧ୍ୟ ସେହି ସମୟରେ ମର୍ଣ୍ଣିଂ ୱାକ୍ କରନ୍ତି । ହେଲେ କାଳୁ ତାଙ୍କ କୁକୁରକୁ ଖୋଲା ଛାଡ଼ି ଦିଅନ୍ତି । ବୁଧବାର ସକାଳେ କାଳୁ ମର୍ଣ୍ଣିଂ ୱାକ୍ ଯିବା ସମୟରେ କୁକୁର ନେଇ ଯାଉଥିଲେ । ଏହି ସମୟରେ ଶ୍ରୀ ଯାଦବଙ୍କ ଗେଟ୍ ଭିତରେ ଥିଲା ତାଙ୍କ କୁକୁର । ଦୁଇ କୁକୁର ଭୁକା ଭୁକି ହେଲେ । ଗେଟ୍ ଖୋଲି କାଳୁଙ୍କ କୁକୁରକୁ ଗୋଡ଼ାଇବା ପାଇଁ ବାହାରିଥିଲେ ଆଇଏଏସ୍ଙ୍କ ସୁରକ୍ଷାକର୍ମୀ । ଗେଟ୍ ଖୋଲିବା ମାତ୍ରେ ଦୁଇ କୁକୁର କାମୁଡ଼ା କାକୁଡ଼ି ହେଲେ । ଏହାକୁ ନେଇ ପ୍ରଥମେ କାଳୁଚରଣଙ୍କ ସହ ଆଇଏଏସ୍ ଅଫିସରଙ୍କ କଥା କଟାକଟି ଚାଲିଲା । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏମିତିକି ଠେଲାପେଲା ଓ ମାର୍ପିଟ୍ ବି ହେଲା । ସେମାନେ କାଳୁଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦେଲେ ବୋଲି କାଳୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।
ଘଟଣାସ୍ଥଳରେ କାଳୁଙ୍କ ପୁଅ ପହଞ୍ଚି ପୁଲିସ୍କୁ ଫୋନ୍ କରି ଡାକିଥିଲେ । ପୁଲିସ୍ ପହଞ୍ଚିଲା ବେଳକୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏନେଇ କାଳୁଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି, ଆଇଏଏସ୍ ଦମ୍ପତ୍ତି ଓ ତାଙ୍କ ସୁରକ୍ଷାକର୍ମୀ ବାପାକୁ ନିସ୍ତୁକ ମାଡ଼ ମାରିଛନ୍ତି । ସେପଟେ ଆଇଏଏସ୍ ଶ୍ରୀ ଯାଦବଙ୍କ ପକ୍ଷରୁ ମଧ୍ୟ ଥାନାରେ ଆଉ ଏକ ଏତଲା ଦିଆଯାଇଛି ।
ଏହି ଘଟଣା ପରେ ଶ୍ରୀ ଯାଦବ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି । ପାଲିସ ତଦନ୍ତ କରୁ । ପୁଲିସ୍କୁ ମୁଁ ତଦନ୍ତରେ ସହଯୋଗ କରିବି । ପ୍ରକୃତ ସତ୍ୟ ସାମ୍ନାଙ୍କୁ ଆସୁ । କିଏ କ’ଣ ଅଭିଯୋଗ କଲେ ସେସବୁ ପୁଲିସ୍ ତଦନ୍ତରୁ ସ୍ପଷ୍ଟ ହେବ । ଘଟଣାକୁ ନେଇ ଡିସିପି ଉମାଶଙ୍କର ଦାଶ କରିଛନ୍ତି, ଏଭଳି ଏକ ଅଭିଯୋଗ ଆସିଛି । ସହିଦନଗର ଥାନା ପକ୍ଷରୁ ତଦନ୍ତ କରାଯାଉଛି । ଘଟଣା କ’ଣ ହୋଇଛି, ଘଟଣା ପଛର କାରଣ କ’ଣ ସେସବୁ ନେଇ ତଦନ୍ତ ଚାଲିଛି ।
ସେପଟେ ସହିଦନଗର ଥାନା ପୁଲିସ୍ କେସ୍ ନମ୍ବର ୧୭୭, ୧୭୮ ରେ ଦୁଇଟି ମାମଲା ରୁଜୁ କରିଛି । ପୁଲିସ କହିଛି, ଦୁଇ ପରିବାର ମଧ୍ୟରେ ମାର୍ପିଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଚାଲିଛି । ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁÂାନ ନିଆଯିବ । ତେବେ ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି, କାଳୁଙ୍କ ପୋଷା କୁକୁର ଯୋଗୁଁ ଉକ୍ତ ଲେନ୍ର ଏକାଧିକ ବାସିନ୍ଦା ଅସନ୍ତୁଷ୍ଟ ଥିଲେ । ସେ ବିନା ଫିତାରେ କୁକୁରକୁ ଖୋଲାରେ ବୁଲାଉ ଥିବାରୁ କଲୋନିବାସିନ୍ଦା ଭୟ କରୁଥିଲେ । ଆଇଏଏସ୍ ଦମ୍ପତ୍ତି ମଧ୍ୟ ତାଙ୍କୁ ଅନେକ ଥର କହିଥିଲେ, କୁକୁରକୁ ଫିତାରେ ବାନ୍ଧି ବୁଲାଇବା ପାଇଁ । ହେଲେ କାଳୁ କିଛି ଶୁଣୁ ନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons