କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍ରୁମ୍

Get real time updates directly on you device, subscribe now.

ପାଟକୁରା,(ବି.ବି.ନ୍ୟୁଜ୍): ପାଟକୁରା ଆସନ ଲାଗି ଗତକାଲି ଭୋଟ୍ ଗ୍ରହଣ ସରିବା ପରେ ଇଭିଏମ୍ ଓ ଭିଭିପାଟ୍କୁ ନେଇ ସନ୍ଦେହ ପ୍ରକାଶ କରିଥିଲେ କିଛି ରାଜନୈତିକ ଦଳର କର୍ମୀ । ଏପରିକି ଇଭିଏମ୍ ଅଦଳବଦଳ, ମୁକୁଳା ଭିଭିପାଟ୍କୁ ନେଇ ଆପତ୍ତି ଉଠାଇଥିଲେ କେତେକ କର୍ମୀ । ପରିସ୍ଥିତି ଏପରି ହୋଇଥିଲା ଯେ, ଷ୍ଟ୍ରଙ୍ଗ୍ରୁମ୍ ହୋଇଥିବା କେନ୍ଦ୍ରାପଡ଼ା କଲେଜ ପରିସରରେ ଦୁଇ ପକ୍ଷ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲେ । ୨ ଜଣ ପୋଲିଂ ଅଧିକାରୀ ଚିତ୍ତରଞ୍ଜନ ସାହୁ ଓ ବିଚିତ୍ର କୁମାର ଦାସଙ୍କୁ ନିସ୍ତୁକ ମାଡ଼ କରାଯାଇଥିଲା । ବିଳମ୍ୱିତ ରାତି ଯାଏ ଚାଲିଥିଲା ଛକାପଞ୍ଝା । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପହଞ୍ଚି ଦୁଇ ଅଧିକାରୀଙ୍କୁ ଉଦ୍ଧାର କରିଥିଲା ।
ହେଲେ ସେଇଠି ଥମିନଥିଲା ବିବାଦ ଓ ଉତ୍ତେଜନା । ରାତି ବଢ଼ିବା ସହ କଲେଜ ପରିସରରେ ଉତ୍ତେଜନା ବି ବଢ଼ିଥିଲା । ଅଭିଯୋଗ ସମାଧାନ କରିବାରେ ପ୍ରଶାସନର ବିଫଳତା କର୍ମୀଙ୍କୁ ତତାଇ ଦେଇଥିଲା । ଅଧିକ ଉତ୍ତେଜନା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ ଷ୍ଟ୍ରଙ୍ଗରୁମ୍କୁ କଡ଼ା ସୁରକ୍ଷାରେ ରଖାଯାଇଥିଲା । ଆଜି ଇଭିଏମ୍, ଭିଭିପାଟ୍ ଥିବା କେନ୍ଦ୍ରାପଡ଼ା କଲେଜକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇ ଚାରିଆଡୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଇଭିଏମ୍ ଓ ଭିଭିପାଟ୍କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ନିଜେ ଆଜି ଷ୍ଟ୍ରଙ୍ଗ୍ ରୁମ୍ ପରିସର ବୁଲି ଦେଖିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହିତ ଷ୍ଟ୍ରଙ୍ଗ୍ ରୁମ୍ର ନିରାପତ୍ତା ଉପରେ ଆଲୋଚନା କରିଥିଲେ । ତେବେ ଇଭିଏମ୍ ଆଉ ଭିଭିପାଟ୍ ଠିକ୍ଠାକ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ହାରିବା ଆଶଙ୍କାରେ ବିଜେପି ଏଭଳି ବାହାନା କରୁଛି, ଜାଣିଶୁଣି ଦ୍ୱନ୍ଦ୍ୱ ଉପୁଜାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଆସନ୍ତା ୨୪ ତାରିଖରେ ଭୋଟ୍ ଗଣତି ହେବାକୁ ଥିବାରୁ ଇଭିଏମ୍ ଓ ଭିଭିପାଟ୍ ଥିବା ଷ୍ଟ୍ରଙ୍ଗରୁମ୍ ପରିସରରେ ୨ ପ୍ଲାଟୁନ୍ ଓଏସ୍ଏପି, ଗୋଟେ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ, ୪ ସେକ୍ସନ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିବା କହିଛନ୍ତି ଟାଉନ୍ ଆଇଆଇସି ଦେବାଶିଷ ମିଶ୍ର । ପୁଣି ତିନିମୁହାଣି କଲେଜ ଛକ୍, ପୁରୁଣା ବସ୍ଷ୍ଟାଣ୍ଡ୍ଠାରେ ୨ ସେକ୍ସନ୍ ଲେଖାଏଁ ମୋଟ ୪ ସେକ୍ସନ୍ ପୁଲିସ ଫୋର୍ସ ରହିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ଗତକାଲିର ଘଟଣା ପରେ ଆଜି ବିଭିନ୍ନ ରାଜୈନତିକ ଦଳର ପ୍ରାର୍ଥୀ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ୍ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ତଥା ପାଟକୁରା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର, ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ, ଅଧିକାରୀଙ୍କୁ ନେଇ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଇଭିଏମ୍ରେ ମତଦାନ, ମତଦାନ ପରେ ସିଲ୍, ଭିଭିପାଟ୍ ବ୍ୟବହାରର ସାମଗ୍ରିକ ତାତ୍ପର୍ଯ୍ୟ, ମତଦାନ ପରେ ଭିଭିପାଟ୍ ସୁରକ୍ଷା ଆଦି ବିଭିନ୍ନି ପ୍ରସଂଗରେ ଆଲୋଚନା ହୋଇଥିଲା । ଇଭିଏମ୍ରୁ ବ୍ୟାଟେରି କାଢ଼ିବା ଅଭିଯୋଗ, ମୁକୁଳା ଭିଭିପାଟ୍ ନେଇ ରାଜନୈତିକ ଦଳର କର୍ମକର୍ତ୍ତା ଅବା ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରାଯିବାକୁ ଉଦ୍ୟମ ହୋଇଥିଲା । ଏ ସଂକ୍ରାନ୍ତରେ ସମସ୍ତ ସନ୍ଦେହ ଓ ଦ୍ୱନ୍ଦ୍ୱ ଦୂର କରାଯାଇଥିବା କହିଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର । ଏବେ ମନରେ କୌଣସି ସନ୍ଦେହ ନାହିଁ । ସେମାନେ ସମସ୍ତେ ଏ ବାବଦରେ ବୁଝି ସାରିଥିବା କହିଛନ୍ତି ଶ୍ରୀ ମହାପାତ୍ର ।
ଗତକାଲି ଭୋଟ ସରିବା ପରେ ପ୍ରଥମେ ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତର ୨୯୪ ବୁଥ୍ ଇଭିଏମ୍ରୁ ପୋଲିଂ ଅଧିକାରୀ ଅନ୍ଧାରରେ ବସି ବ୍ୟାଟେରି କାଢ଼ୁଥିବାର ଅଭିଯୋଗ ଆଣିଥିଲେ କେତେକ ଦଳୀୟ କର୍ମୀ ଓ ସମର୍ଥକ । ମେସିନ ତ’ ବୁଥ୍କୁ ଆସିଥିଲା ସିଲ୍ ହୋଇ, ପୁଣି କେଉଁଥି ଲାଗି ମେସିନରୁ ବ୍ୟାଟେରି ଖୋଲାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ ସେମାନେ । କିନ୍ତୁ ତାହାର ସନ୍ତୋଷଜନକ ଉତ୍ତର ରଖିନପାରିବାରୁ ପୋଲିଂ ଅଧିକାରୀ ହଟହଟା ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସେହିପରି ପରେ ଡାହଳପୁର ୨୨୦ ନଂ ବୁଥ୍ର ଭିପିପାଟ୍ ମୁକୁଳା ଥିବା ଅଭିଯୋଗ ଆଣିଥିଲେ କର୍ମୀମାନେ । କେଉଁ ପରିସ୍ଥିତିରେ ଭିଭିପାଟ୍ ମୁକୁଳା ରହିଲା ବୋଲି ପଚାରିବାରୁ କେହି ବି ସଠିକ୍ ଡଙ୍ଗରେ ସେମାନଙ୍କୁ ବୁଝାଇ ପାରିନଥିଲେ । ଲାଗି ରହିଥିଲା ଅଶାନ୍ତି । ପୋଲିଂ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ଧସ୍ତାଧସ୍ତି କରିବା ସହ ମାଡ଼ ମାରିଥିଲେ କିଛି କର୍ମୀ । ପରେ ସ୍ଥିତି ସମ୍ଭାଳି ନିଆଯାଇଥିଲା । ରାତି ସୁଦ୍ଧା ସମସ୍ତ ୩୦୯ଟି ବୁଥ୍ର ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଗ୍ରହଣ କରାଯାଇ ଷ୍ଟ୍ରଙ୍ଗରୁମ୍ ମଧ୍ୟରେ ରଖି ତାଲା ପକାଯାଇଥିଲା । ନିର୍ବାଚନରେ ଭାଗ ନେଇଥିବା ସବୁ ରାଜନୈତିକ ଦଳ ଅବା ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରତିନିଧି ସେଠାରେ ଉପସ୍ଥିତ ଥିବା ବେଳେ ପ୍ରଶାସନ ସମସ୍ତଙ୍କ ମନରୁ ସନ୍ଦେହ, ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons