ନନ୍ଦପୁର,(ବି.ବି.ନୁ୍ୟଜ): ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ଛୋଟ ପାହାଡ ଓ ନଦୀ ପାରି କରି ପ୍ରାୟ ଦେଢ କିମି ରାସ୍ତା ବୋହିବା ପରେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଯାଇଥିଲା । ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଦେବଷଣ୍ଡଗୁଡା ଗାଁରେ ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଗୁରୁବାର ପ୍ରଶାନ୍ତ ଖରାଙ୍କ ସ୍ତ୍ରୀ କତେ ଖରା(୨୦)ଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗାଁର ଆଶାଦିଦିଙ୍କୁ ଖବର ଦେବା ପରେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ଆମ୍ବୁଲାନ୍ସ ମଧ୍ୟ ଗାଁ ନିକଟକୁ ଆସିଥିଲା । ରାସ୍ତା ଖରାପ ଥିବାରୁ ପ୍ରାୟ ଦେଢ କିମି ଦୂରରେ ପାହାଡ ଉପରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା । ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀଙ୍କୁ ଆଣିବାକୁ ସେଠାରୁ ଖବର ଦିଆଯାଇଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀଙ୍କୁ ଏକ ଖଟିଆରେ ପ୍ରଥମେ ବାସ୍କି ନଦୀ ପାରି କରି ଛୋଟ ପାହାଡ ଉପରକୁ ଆଣିଥିଲେ । ଅପେକ୍ଷା କରିଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ସେଠାରୁ ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ କତେଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି । ଗ୍ରାମବାସୀ କହିଛନ୍ତି, ଭୋଟ ପରେ ଭୋଟ ହେଉଛି । ସାଂସଦ, ବିଧାୟକ, ସରପଞ୍ଚ ସମସ୍ତଙ୍କୁ ବିଜୟୀ କରାଯାଉଛି । ହେଲେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଆଜିପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ କରାଯାଇ ନାହିଁ । ପ୍ରଶାସନିକ ବାବୁମାନେ ମଧ୍ୟ ଚୁପ୍ ହୋଇ ବସିରହିଛନ୍ତି । ଏଭଳି ଅବସ୍ଥାରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଅଣାଯାଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଆସୁଛି । ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଲୋକପ୍ରତିନିଧି ଥରୁଟିଏ ମଧ୍ୟ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରୁ ନାହାନ୍ତି । ଏଭଳି ଶାସନ ଥିଲେ କେତେ ନଥିଲେ କେତେ ବୋଲି କ୍ଷୋଭର ସହ ସେମାନେ କହିଛନ୍ତି ।
Comments are closed, but trackbacks and pingbacks are open.