ଖଣି ସମୃଦ୍ଧ କେନ୍ଦୁଝରକୁ ଛୁଇଁଲା କରୋନା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ବୁଧବାର ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାକୁ ମହାମାରୀ କରୋନା ସ୍ପର୍ଶ କରିଛି । ଏହି ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲି ପଞ୍ଚାୟତର ନୂଆଗାଁ ଗାଁରେ ଜଣେ ୬୦ ବର୍ଷର ବୃଦ୍ଧଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଉକ୍ତ ବ୍ୟକ୍ତିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ୍ ପରେ ଉକ୍ତ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଏବଂ ଆଖପାଖ ୭ଟି ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଯୋଗୁଁ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ୍ କରାଯାଇ ସଙ୍ଗରୋଧରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନୂଆଗାଁର ଉକ୍ତ ବ୍ୟକ୍ତି ଜଣଙ୍କ କୋଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ କାମ କରୁଥିଲେ । ପଶ୍ଚିମବଙ୍ଗରେ କରୋନା ବ୍ୟାପିବା ପରେ ସେ ଭୟଭୀତ ହୋଇ ଲକ୍ଡାଉନ୍ ସମୟରେ ୭ଜଣ ଶ୍ରମିକ ଏକ ଗାଡ଼ି ଭଡ଼ା କରି ଗତ ମାର୍ଚ୍ଚ ୨୯ ତାରିଖରେ ଘରକୁ ଫେରି ଆସିଥିଲେ । ପଶ୍ଚିମବଙ୍ଗରୁ ଆସିବା ପରେ ସଙ୍ଗରୋଧ ଭାବେ ପ୍ରଶାସନ ପକ୍ଷରୁ ତାଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ସେଠାରେ ସେ ୧୪ ଦିନ ରହିଥିଲେ । କିନ୍ତୁ ତାଙ୍କ ନିକଟରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା । ଫଳରେ ସ୍ୱାସ୍ଥ୍ୟବିଭାଗ ତାଙ୍କୁ ଘରକୁ ଛାଡ଼ି ଦେଇଥିଲା । ଘରକୁ ଫେରିବା ପରେ ସେ ଗାଁର ଅନେକ ଲୋକଙ୍କ ସହ ମିଳାମିଶା କରିଛନ୍ତି । ହାଟ, ବଜାର ଏପରିକି ରିହାତି ଚାଉଳ ଦୋକାନକୁ ମଧ୍ୟ ଯାଇଥିବା ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗ ରେଡ୍ ଆଲର୍ଟ ଅଞ୍ଚଳ ହୋଇଥିବାରୁ ରାଜ୍ୟ ସରକାର ମାର୍ଚ୍ଚ ଶେଷ ସପ୍ତାହରେ ଫେରିଥିବା ସମସ୍ତ ଲୋକଙ୍କ ଉପରେ ନଜର ରଖିଥିଲା । ପଶ୍ଚିମବଙ୍ଗରୁ ୩୭୦ ଜଣ କେନ୍ଦୁଝର ଜିଲ୍ଲାକୁ ଫେରିଥିବା ନିକଟରେ ହୋଇଥିବା ସର୍ଭେରୁ ପ୍ରଶାସନ ଜାଣିବାକୁ ପାଇଥିଲା । ତେଣୁ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସ୍ୱାବ୍ ପରୀକ୍ଷା ପାଇଁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଥିଲେ । ସେଥିମଧ୍ୟରୁ ୨୮ ଦିନ ଅତିକ୍ରମ କରିଥିବା ବ୍ୟକ୍ତିଙ୍କୁ ଛାଡ଼ି ସ୍ୱାସ୍ଥ୍ୟବିଭାଗ ୨୧୯ ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଇଥିଲା । ସେଥିରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି ।
ଏ ସମ୍ପର୍କରେ ସିଡିଏମ୍ଓ ଡାକ୍ତର ଅଶୋକ ଦାସଙ୍କ କହିବା ଅନୁଯାୟୀ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ମଧ୍ୟରୁ ୫/୬ଟି ରିପୋର୍ଟ ପହଞ୍ଚି ନାହିଁ । ଗୋଟିଏ ପଜିଟିଭ୍ ଓ ଅନ୍ୟସବୁ ରିପୋର୍ଟ ନେଗେଟିଭ୍ ଆସିଛି । ଉକ୍ତ ବ୍ୟକ୍ତି ଜଣଙ୍କ ସଙ୍ଗରୋଧରେ ଥିବା ସମୟରେ ରିପୋର୍ଟ ନେଗେଟିଭ୍ ବାହାରିଥିଲା । ତେଣୁ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ଛାଡ଼ି ଦିଆଯାଇଥିଲା । ୨୭ ତାରିଖ ତାଙ୍କର ସ୍ୱାବ୍ ସଂଗ୍ରହ କରି ପଠା ଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରମାଣ ମିଳିଛି । ତେଣୁ ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କୁ କଟକ ପଠାଯାଇଛି । ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ୍ ହେବା ପରେ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଜିଲ୍ଲାପାଳ ଆଶିଷ ଠାକ୍ରେ ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି, ଲୋକେ ଭୟଭୀତ ନହୋଇ କରୋନାକୁ ମୁକାବିଲା କରିବାକୁ ପ୍ରଶାସନକୁ ସହଯୋଗ କରନ୍ତୁ । ସରକାରଙ୍କ ନିଦେ୍ର୍ଧଶକୁ ପାଳନ କଲେ କରୋନା ଭୂତାଣୁକୁ ରୋକିବାରେ ସଫଳ ହେବା । ଆକ୍ରାନ୍ତ ଲୋକ ପରିବାରର ୯ ଜଣଙ୍କ ସହିତ ମିଳାମିଶା କରିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହାବ୍ୟତିତ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ୍ ପାଇଁ ଅଧିକାରୀଙ୍କୁ ପଠାଯାଇଛି ବୋଲି କହିଛନ୍ତି ।
କରୋନା ପଜିଟିଭ୍ ସମ୍ପର୍କରେ ସୂଚନା ପାଇ ପରିସ୍ଥିତିର ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ଆନନ୍ଦପୁର ଏସ୍ଡିପିଓ ବିଦୁ୍ୟତ୍ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ବାଗ ପୁଲିସ ଫୋର୍ସ ସହ ଗାଁରେ ପହଞ୍ଚିଛନ୍ତି । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ୱର ସେଠୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଜିଲାପାଳଙ୍କ ସହିତ ଆଲୋଚନା ପରେ କଣ୍ଟେନ୍ମେଣ୍ଟ୍ ସ୍ଥାନଗୁଡ଼ିକ ଚିହ୍ନଟ କରିଥିବା ଜଣାପଡ଼ିଛି । ପଞ୍ଚୁପଲି ପଞ୍ଚାୟତକୁ ସମ୍ପୂର୍ଣ୍ଣ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଏହାବାଦ୍ ସଂଲଗ୍ନ ପାଇକ ଚାଟରା, ମଙ୍ଗଳପୁର, ଟୋଲଙ୍କପଡ଼ା, ବେଲବାହାଳି(ଆଂଶିକ), ବନିକା, ଗୁହାଳିଆ, ଟୁକୁଣା(ଆଂଶିକ) କଣ୍ଟେନ୍ମେଣ୍ଟ୍ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons