ଆଳି,(ବି.ବି.ନ୍ୟୁଜ୍): ଏକ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୫ ଛାତ୍ରଛାତ୍ରୀଙ୍କ ସହ ୧୦ ଜଣ ଯାତ୍ରୀ । ଆଳି ଥାନା ଅନ୍ତର୍ଗତ ମଧୁବନରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଆଜି ସକାଳେ ଖରସ୍ରୋତା କୂଳରେ ବୁଡ଼ି ଯାଇଥିଲା । ତେବେ ଅଘଟଣ ନଦୀକୂଳଠୁ ଅଳ୍ପ ଦୂର ପାଣିରେ ଘଟିଥିବାରୁ ଡଙ୍ଗାରେ ଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ଡେଇଁ, ପହଁରି ଉପରକୁ ପଳାଇ ଆସିଥିଲେ । ପାଣି ପିଇଦେବା ଯୋଗୁଁ ୨ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ । ଘଟଣାସ୍ଥଳରେ ସେମାନଙ୍କ ଛାତି ଚିପି ପାଣି ବାହାର କରାଯାଇଥିଲା । ଏକ ବଡ଼ ଦୁର୍ଘଟଣାରୁ କୁନିକୁନି ଛାତ୍ରଛାତ୍ରୀଙ୍କ ସମେତ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯିବା ପରେ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଆଳି ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ତହସିଲଦାର ଜୟନ୍ତ ପୃଷ୍ଟି ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ଆଳି ବ୍ଲକ ଅନ୍ତର୍ଗତ ଡିମିରିପାଳ ପଞ୍ଚାୟତରେ ୩ରୁ ୪ ହଜାର ଲୋକ ବାସ କରନ୍ତି । ଯାତାୟାତରେ ବାଧକ ସାଜିଛି ଏଠାକାର ଭୌଗୋଳିକ ସ୍ଥିତି । ପଞ୍ଚାୟତ ମଝିରେ ନଦୀ । ଭଲମନ୍ଦ କିଛି ହେଲେ ପଡ଼ୋଶୀ ନଦୀ ଆରପାଖ ଯାଜପୁର ଉପରେ ନିର୍ଭର କରିବାକୁ ପଡ଼େ ଅଞ୍ଚଳବାସୀଙ୍କୁ । ଆଳିର ଡିମିରିପାଳ ପଞ୍ଚାୟତରେ ଏକ ହାଇସ୍କୁଲ ଥିଲେ ହେଁ ମଧୁବନ ଗ୍ରାମର ଛାତ୍ରାଛାତ୍ରୀମାନେ ଯାଜପୁରର ବାଙ୍ଗରା ଛନ୍ଦା ଜରି (ବିସିଜେ) ହାଇସ୍କୁଲରେ ପାଠ ପଢ଼ୁଛନ୍ତି । ଅରଗଳ ପୋଲ ଦେଇ ସ୍କୁଲକୁ ଯିବା ଲାଗି ୫ କିଲୋମିଟର ବାଟ ପଡୁଥିବାରୁ ଛାତ୍ରଛାତ୍ରୀମାନେ ଡଙ୍ଗାରେ ନଦୀ ପାର ହୋଇ ସ୍କୁଲକୁ ଯା’ଆସ କରିଥାନ୍ତି । ସବୁଦିନ ପରି ଆଜି ସକାଳ ପ୍ରାୟ ୯ ଟା ୪୦ ମିନିଟ୍ରେ ମଧୁବନ ପଟରୁ ଏକ ଡଙ୍ଗା ଯାଜପୁରର ଜରିକୁ ବାହାରିଥିଲା ୨୫ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଯାତ୍ରୀଙ୍କୁ ଧରି । ନଦୀ ପାର ହେଉଥିବା ବେଳେ ଡଙ୍ଗାଟି କିଛିବାଟ ଅତିକ୍ରମ କରିବା ପରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କାରଣରୁ ଟଳମଳ ହୋଇଥିଲା । ଏହି ସମୟରେ ଡଙ୍ଗାରେ ପାଣି ପଶିଯିବାରୁ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗା ବୁଡ଼ି ବେଳେ ନଦୀ କୂଳରେ ଥିବା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ମଲିକ, ଅକ୍ଷୟ ବିଶ୍ୱାଳ, ରାଜକିଶୋର ରାଉତ, ଭିକାରୀ ସାମଲ, ମଣିରାମ ମଲିକଙ୍କ ସମେତ କିଛି ଲୋକ ପହଁରି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଯାତ୍ରୀମାନେ ପହଁରି ପହଁରି କୂଳକୁ ଆସିଥିଲେ । ମଧୁବନ ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ନଥିବାରୁ ଗ୍ରାମର ପିଲାମାନେ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ନଦୀପାର ହୋଇ ଜରି ସ୍କୁଲକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେବେ ମହାକାଳପଡ଼ାର ନିପାଣିଆ ଡଙ୍ଗାବୁଡ଼ିକୁ ୭ ମାସ ପୂରିନଥିବା ଥିବାବେଳେ ଆଳିରେ ପୁଣି ଏକ ଡଙ୍ଗାବୁଡ଼ି ଘଟଣା ପ୍ରଶାସନର ଦାୟିତ୍ୱବୋଧ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କାହା ଅନୁମତିରେ ଡଙ୍ଗାରେ ଏତେ ଯାତ୍ରୀ ଯାଉଥିଲେ ଓ ଭଙ୍ଗା ଦଦରା ଡଙ୍ଗାକୁ ଚଳାଇବାକୁ କେଉଁ ଅଧିକାରୀ ଅନୁମତି ଦେଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.