ଖଲିକୋଟରେ ଘୁଞ୍ଚୁନି ଦାଦନ ଦୁଃଖ:ଦୁବାଇରେ ଓଡ଼ିଆ ଶ୍ରମିକ ମୃତ

Get real time updates directly on you device, subscribe now.

ଖଲିକୋଟ,(ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ ୧୮ ଜଣ ଦାଦନ ଖଟିବାକୁ ଦୁବାଇ ଯାଇଥିଲେ । ସେଠାରେ ସେମାନଙ୍କୁ କମ୍ପାନୀ ନିର୍ଯାତନା ଦେବାରୁ ସେମାନେ ବଣ ଜଙ୍ଗଲରେ ବୁଲୁଥିଲେ ଏବଂ ରାସ୍ତାକଡ଼ରେ ଜୀବନ ଯାପନ କରୁଥିଲେ । ‘ବିଶ୍ୱବିଜୟୀ’ରେ ପ୍ରଥମେ ପ୍ରକାଶ ହେବା ପରେ ସରକାର ତତ୍ପର ହୋଇ ଉଠିଥିଲେ । ସେମାନଙ୍କୁ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରିବା ସହିତ ଆଉ ୧୨ ଜଣ ସେଠାରେ ବହୁ ଅସୁବିଧାରେ ଜୀବନ ଯାପନ କରୁଥିବା ଖବର ମିଳିଛି । ଏବେ ଦାଦନ ଶ୍ରମିକଙ୍କ ଦୁଃଖ ସୀମା ଟପିଛି । ସେହିପରି ଦାଦନ ଖଟିବାକୁ ଯାଇ ଖଲିକୋଟ ବ୍ଲକ୍ ପଥରା ଗ୍ରାମର ବସନ୍ତ ସାଧବ (୪୫)ଙ୍କ ଆବୁଧାବିରେ ମୃତ୍ୟୁ ଅଭିଯୋଗ ହୋଇଛି । ଶୁକ୍ରବାର ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖଲିକୋଟ ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଦୁଃଖର କାହାଣୀ ଦୃଷ୍ଟିକୁ ଆସିଛି । ଗତ କିଛି ଦିନ ତଳେ ୧୨ ଜଣ ନିର୍ଯାତିତ ଶ୍ରମିକ ଦୁବାଇରୁ ଫେରିଥିଲେ । ଦାଦନ ଖଟିବାକୁ ଯାଇ ନିର୍ଯାତନା, ନିଖୋଜ, ବିକଳାଙ୍ଗ ଓ ମୃତ୍ୟୁ ହେବା ଭଳି ଖବର ପହଞ୍ଚୁଛି ।ଏହି ଅଞ୍ଚଳରେ କାମଧନ୍ଦା କରିବାକୁ କୌଣସି ସୁଯୋଗ ମିଳୁନଥିବା ବେଳେ ଦାଦନ ଦଲାଲ୍ ସକ୍ରିୟ ହୋଇଛନ୍ତି । ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଯୁବକଙ୍କୁ ରାଜ୍ୟ ଓ ଦେଶ ବାହାରକୁ ଚାଲାଣ କରୁଛନ୍ତି । ଏନେଇ ସରକାରଙ୍କ କୌଣସି କଟକଣା ଥିବା ଭଳି ମନେ ହୋଇନାହିଁ ।
ମିଳିଥିବା ସୂଚନା ଅନୁସାରେ ଖଲିକୋଟ ବ୍ଲକ୍ ପଥରା ଗ୍ରାମର ବସନ୍ତ ସାଧବ ୨ ବର୍ଷ ତଳେ ଦୁବାଇର ଆବୁଧାବି ଯାଇଥିଲେ । ସେଠାରେ ଅଲ୍ ମସ୍ଚୁର୍ ଏଣ୍ଟରପ୍ରାଇଜର୍ସ ନାମକ ଏକ କମ୍ପାନିରେ କାମ କରୁଥିଲେ । ଗତକାଲି ସକାଳେ ସେ କମ୍ପାନିକୁ ଯିବା ପୂର୍ବରୁ ଘରକୁ ଫୋନ୍ କରି ସ୍ତ୍ରୀ ଓ ପିଲାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହାପରେ କମ୍ପାନିକୁ ଯିବା ନିମନ୍ତେ ବାହାରୁ ଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିଲେ । କେତେକ ସାଙ୍ଗ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ଖବର ପହଞ୍ଚିବା ପରେ ସ୍ତ୍ରୀ ପରାଜିତା ସାଧବ, ପୁଅ ଅଭିଜିତ୍ ଓ ଓ ଝିଅ ଶ୍ରାବଣୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସ୍ତବ୍ଧ ହୋଇପଡ଼ିଛି ପୂରା ପରିବାର । ପତ୍ନୀ ପରାଜିତାଙ୍କ ପାଦ ତଳୁ ମାଟି ଖସିଯିବା ଭଳି ଅନୁଭବ କରିଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମଙ୍କୁ ହରାଇ ବାପା ସନିଆ ଓ ମାଆ ପୁନିଆ କାନ୍ଦି କାନ୍ଦି ଲୋଟିଛନ୍ତି । ପୁଅର ମୃତ୍ୟୁକୁ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ଦୁଇ ଦିନ ହେଲା ଘରେ ଚୁଲି ଜଳିନି । ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରକ୍ତଦାନ ଶିବିର ଉଦ୍ଘାଟନ କରିବାକୁ ଆସିଥିବା ସମୟରେ ପୀଡ଼ିତ ପରିବାର ସଦସ୍ୟ ଓ ଗ୍ରାମବାସୀ ସାକ୍ଷାତ କରିଛନ୍ତି । ବସନ୍ତଙ୍କ ମୃତ ଶରୀର ଦୁବାଇରୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଶ୍ରମ ଅଧିକାରୀଙ୍କୁ ଫୋନ୍ ଯୋଗେ କଥା ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଶ୍ରମ ନିରୀକ୍ଷକ ବି. ହୃଷୀକେଶ ରାଓ ପଥରା ଗ୍ରାମରେ ପହଞ୍ଚି ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଶବ ଗାଁରେ ପହଞ୍ଚାଇବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons