ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ‘କାଳିଆ’ ଯୋଜନାରେ ବ୍ୟାପକ ହେରଫେର । ଜାଲିଆତି କରି ଲକ୍ଷାଧିକ ନକଲି ହିତାଧିକାରୀ ନେଇଛନ୍ତି ‘କାଳିଆ’ ସହାୟତା ଟଙ୍କା । ଏହି ଜାଲିଆଙ୍କ ତାଲିକାରେ ସରକାରୀ ଚାକିରିଆ, ପେନସନ୍ ଭୋଗୀ ଏବଂ ନାବାଳକ ବି ଅଛନ୍ତି । ସବୁଠୁ ବଡ଼ କଥା ହେଲା, ମୋଟ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି । କାଳିଆ ସହାୟତା ବାବଦକୁ ୫ ହଜାର ଟଙ୍କା ହିସାବରେ ଏହି ଅଯୋଗ୍ୟ ହିତାଧିକାରୀମାନେ ରାଜ୍ୟ ରାଜକୋଷରୁ ପ୍ରାୟ ୧୭୦ କୋଟି ଟଙ୍କା ନେଇଥିବା ଆକଳନ କରାଯାଉଛି । ଯାଞ୍ଚ୍ବେଳେ ଏଭଳି ସାଂଘାତିକ ଘୋଟାଲା ଧରିଛନ୍ତି ସରକାର ।
କାଳିଆ ଯୋଜନାର ହିତାଧିକାରୀ ଯାଞ୍ଚ୍ବେଳେ ଯେଉଁଭଳି ତଥ୍ୟ ସାମ୍ନାକୁ ଆସିଛି, ସରକାରଙ୍କ ମୁଣ୍ଡ ଦୋହଲାଇ ଦେଇଛି । ସବୁଠୁ ମୁଣ୍ଡ ବିନ୍ଧାର କାରଣ ହେଲା, ପ୍ରାୟ ୨୦ ହଜାର ସରକାରୀ ଚାକିରିଆ ଓ ପେନସନ୍ ଭୋଗୀ ‘କାଳିଆ’ ଯୋଜନାରେ ନାଁ ଚଢ଼ାଇ ସହାୟତା ଟଙ୍କା ହାତେଇଛନ୍ତି । ଏବେ ସରକାର କଡ଼ା ଆଭିମୁଖ୍ୟ ନେଇ ଚରମବାଣୀ ଶୁଣାଇଛନ୍ତି, ସେମାନଙ୍କୁ ଏହି ଟଙ୍କା ଫେରାଇବାକୁ ପଡ଼ିବ । ନଚେତ୍ ସେମାନଙ୍କ ଦରମା ବା ପେନସନରୁ ଏହି ଟଙ୍କା ଭରଣା କରାଯିବ ।
ଜାଲିଆତି ଏତିକିରେ ସରିଯାଇନି । ପ୍ରାୟ ୧୨ ହଜାର ବଡ଼ ଚାଷୀ ‘କାଳିଆ’ ସହାୟତା ପାଇଛନ୍ତି । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି, ସେହି ଚାଷୀମାନଙ୍କୁ ସହାୟତା ଟଙ୍କା ଫେରାଇବା ପାଇଁ କୁହାଯିବ । କାରଣ ସେମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
ଖାଲି ସେତିକି ନୁହେଁ, ପ୍ରାୟ ୯ ହଜାର ନାବାଳିକ/ ନାବାଳିକା ‘କାଳିଆ’ ଯୋଜନାରେ ସହାୟତା ଟଙ୍କା ପାଇଛନ୍ତି । ଯେହେତୁ ସେମାନଙ୍କ ପରିବାର ମୁଖ୍ୟମାନେ ସହାୟତା ରାଶି ପାଇଛନ୍ତି, ସେହି ପରିବାରମାନଙ୍କୁ କିସ୍ତି ସହାୟତା ରାଶିରେ ବ୍ୟବସ୍ଥିତ କରାଯିବ ।
ପ୍ରାୟ ୩ ଲକ୍ଷ ହିତାଧିକାରୀ ଏମିତି ଅଛନ୍ତି, ଯେଉଁମାନଙ୍କ ପରିବାରରୁ ଏକାଧିକ ଲୋକେ ‘କାଳିଆ’ ତାଲିକାଭୁକ୍ତ ହୋଇ ସହାୟତା ରାଶି ପାଇଛନ୍ତି । ଏବେ ସେମାନଙ୍କ ପରିବାରରୁ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ରଖାଯିବ । ଅନ୍ୟମାନେ ପାଇଥିବା ଅର୍ଥକୁ ବ୍ୟବସ୍ଥିତ କରାଯିବ ।
କୃଷି ବିଭାଗର ତଥ୍ୟ କହୁଛି, ୨୦୧୮ ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେଲା । ୨୦୧୯ ମେ’ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର/ନାମମାତ୍ର/ ପ୍ରକୃତ ଚାଷୀ (ଭାଗ ଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଥିଲା । ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ଜଣ ଭୂମିହୀନ କୃଷି ପରିବାରକୁ ଚିହ୍ନଟ କରି ଅନଲାଇନ୍ ମାଧ୍ୟମରେ ୫ ହଜାର ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ମୋଟ ୫୧ ଲକ୍ଷ ୫ ହଜାର ୨୯୦ଜଣ ଚାଷୀ/ଭାଗ ଚାଷୀ/ଭୂମିହୀନ ଚାଷୀ ପରିବାର ଗତ ୨୯ ମେ’ ସୁଦ୍ଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଇଥିଲେ ।
ଗତ ଅଗଷ୍ଟ ୬ ତାରିଖରେ ହିତାଧିକାରୀଙ୍କ ତାଲିକା ପଞ୍ଚାୟତ ଅଫିସ୍ ଓ ୱେବ୍ ପୋର୍ଟାଲ୍ରେ ପ୍ରକାଶ କରାଯାଇଥିଲା । ହିତାଧିକାରୀଙ୍କ ପ୍ରକୃତ ଯୋଗ୍ୟତା ଓ ତଦାରଖ କରିବା ସହ ବାକି ଥିବା ୪୦ ଲକ୍ଷ ୨୧ ହଜାର ୧୧୩ଟି ଆବେଦନ ତଥ୍ୟ ଯାଞ୍ଚ୍ ପାଇଁ ୬ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଯାଞ୍ଚ୍ ପରେ ଯେଉଁଭଳି ତଥ୍ୟ ସାମ୍ନାକୁ ଆସିଛି, ତାହା ନକଲି ହିତାଧିକାରୀଙ୍କ ଗୁମର ଖୋଲିଛି ।
ସରକାର କହିଛନ୍ତି, କୌଣସି ହିତାଧିକାରୀ ସ୍ୱେଚ୍ଛାକୃତ ଭାବେ କାଳିଆ ସହାୟତା ରାଶି ଫେରସ୍ତ କରିବାକୁ ଚାହୁଁଥିଲେ କିମ୍ବା କୌଣସି ଅଯୋଗ୍ୟ ହିତାଧିକାରୀ ‘କାଳିଆ’ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଫେରାଇ ପାରିବେ । ଆକାଉଣ୍ଟର ନାମ ହେଉଛି ଙ୍ଖକ୍ଟକ୍ଷଙ୍କଦ୍ଭଗ୍ଧବrଚ୍ଚ rରଲଙ୍କଦ୍ଭୟ କ୍ଟଲ କଇଖଓଇ ବଗ୍ଦଗ୍ଦସଗ୍ଦଗ୍ଧବଦ୍ଭମର ( ଆକାଉଣ୍ଟ ନମ୍ବର ୩୮୪୭୪୫୦୦୭୬୨) । ଆଇଏଫଏସସି କୋଡ୍- ଏସ୍ବିଆଇଏନ୍ ୦୦୧୦୨୩୬ । ବ୍ୟାଙ୍କ ହେଉଛି ଭୁବନେଶ୍ୱରସ୍ଥିତ ଏସ୍ବିଆଇ, ଓଡ଼ିଶା ସଚିବାଳୟ ଶାଖା ।
ସରକାର ସ୍ପଷ୍ଟ କରିଛନ୍ତି, ଯଦି ଭୁଲ୍ କ୍ରମେ ଯୋଗ୍ୟ ବିଚେଚିତ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି, ତେବେ ସେମାନେ ସମସ୍ତ ଦସ୍ତାବିଜ୍ ସହ ୱେବସାଇଟ୍ ଳବକ୍ଷସବ.ମକ୍ଟ.ସଦ୍ଭ ମାଧ୍ୟମରେ ଆବେଦନ କରିପାରିବେ । ସେହି ଦରଖାସ୍ତଗୁଡ଼ିକ ଯାଞ୍ଚ୍ କରାଯାଇ ସେମାନଙ୍କୁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ । ସେପ୍ଟେମ୍ବର ୨୦୧୯ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖରିଫ ୨୦୧୯ ପାଇଁ କାଳିଆ ସହାୟତା ପାଇପାରିବେ ।
ସରକାର ଜଣାଇ ଦେଇଛନ୍ତି, କାଳିଆ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆଉ ଥରେ ଯାଞ୍ଚ୍ କରାଯିବ । ଆବଶ୍ୟକ ସ୍ଥଳେ ସେମାନଙ୍କୁ କାଳିଆ ସହାୟତା ଫେରସ୍ତ ପାଇଁ ପ୍ରବର୍ତ୍ତା ଯାଇ ବାଧ୍ୟ କରାଯିବ ।
ବାକି ଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଞ୍ଚ୍ ହୋଇସାରିଛି । ଏଥିମଧ୍ୟରୁ କେତେ ବାଦ୍ ପଡ଼ିବେ, ତା’ର ପ୍ରକ୍ରିୟା କ୍ଷେତ୍ରୀୟ ସ୍ତରରେ ଶେଷ ହୋଇଛି । ସମସ୍ତ ତଥ୍ୟ ପିଏମ୍ ଫସଲ ବୀମା ଯୋଜନା, ପି-ପାସ୍, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଏସ୍ଏଫ୍ଏସ୍ଏସ୍, ଏସ୍ଇସିସି, ଏଚ୍ଆର୍ଏମ୍ଏସ୍ରେ ଥିବା ଡାଟାବେସ ଆଧାରରେ ଯାଞ୍ଚ କରି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଯୋଗ୍ୟ ବିଚେଚିତ କରାଯାଇଛି । ଏହି ହିତାଧିକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଠିକ୍ ଅଛି । ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ମାସରେ କାଳିଆ ଟଙ୍କା ମିଳିବ । ଦରଖାସ୍ତ ଯାଞ୍ଚ ଚାଲିଛି । ତେଣୁ ଯେଉଁ ହିତାଧିକାରୀ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ମଧ୍ୟ ଏହି ବର୍ଷ କାଳିଆ ସହାୟତା ରାଶି ଦିଆଯିବ ।
Comments are closed, but trackbacks and pingbacks are open.