କଟକ,(ବି.ବି.ବୁ୍ୟରୋ): ବାଦାମବାଡ଼ି ଅଞ୍ଚଳରେ ଟ୍ରାଫିକ ହ୍ରାସ ଓ ବସ୍ ଚଳାଚଳରେ ସୁବିଧା ପାଇଁ ପ୍ରଥାମିକ ଅବସ୍ଥାରେ ଖାନନଗରକୁ ବସ୍ଷ୍ଟାଣ୍ଡ ସ୍ଥାନାନ୍ତର କରାଯିବ । ଫଳରେ ବାଦାମବାଡ଼ି ଅଞ୍ଚଳରେ ଅଧିକ ଭିଡ଼ ଜମିବ ନାହିଁ । ଲୋକଙ୍କ ଚଳପ୍ରଚଳରେ ଯେମିତି ଅସୁବିଧା ନ ଉପୁଜିବ ସେଥିପ୍ରତି ବ୍ୟବସ୍ଥା କରାଯିବ । ଐତିହାସିକ କଟକ ସହରର ଆଧୁନିକରଣ ଓ ସହରକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ ରୂପରେଖ ଦେବା ପାଇଁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ସେହି କ୍ରମରେ ଆଜି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଶୁକ୍ରବାର ଖାନନଗରସ୍ଥିତ ପ୍ରସ୍ତାବିତ ବସ୍ଷ୍ଟାଣ୍ଡ ସ୍ଥାନ ପରିଦର୍ଶନ କରିଥିଲେ । ଆର୍ଡିସି ଜମିଜମା ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ୍ ଶୀଘ୍ର ସର୍ଭେ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରସ୍ତାବିତ ବସ୍ଷ୍ଟାଣ୍ଡ ସ୍ଥାନରେ ଏବେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ସହିତ ଏକ ବାଳିକା ଉଚ୍ଚ ବିଦ୍ୟାଳୟ, ସିଏମ୍ସିର ନର୍ସରୀ ସହିତ ଏକ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ ରହିଛି । ଏସବୁକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ପାଖାପାଖି ୧୩ ଏକର ଜମି ବାହାର କରାଯିବ । ବସ୍ ଟର୍ମିନାଲ ପାଇଁ ୧୫ଏକର ଜମିର ଆବଶ୍ୟକତା ରହିଛି । ବାକି ୨ ଏକର ଜମିକୁ ଘରୋଇ ବ୍ୟକ୍ତିବିଶେଷଙ୍କ ନିକଟରୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ଅଧିଗ୍ରହଣ କରାଯିବ ବୋଲି ଆରଡିସି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ତେବେ ବସ୍ଷ୍ଟାଣ୍ଡ ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଖୁବଶୀଘ୍ର ସର୍ଭେ କରାଯାଇ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆରଡିସି କହିଛନ୍ତି । ଓବିସିସି(ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍) ପକ୍ଷରୁ ବସ୍ ଟର୍ମିନାଲର ଡିଜାଇନ ପ୍ରସ୍ତୁତ ପାଇଁ ଏକ କନସଲ୍ଟାନ୍ସୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଆଜି କ୍ଷେତ୍ର ପରିଦର୍ଶନ ପରେ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁÂିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ସଦର ତହସିଲଦାର ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସୂଚନାଥାଉକି, ଗତ ମାର୍ଚ୍ଚରେ ୫ଟି ସଚିବ ଭି.କେ ପାଣ୍ଡିଆନ କଟକ ଗସ୍ତ କରିବା ଅବସରରେ ପ୍ରସ୍ତାବିତ ବସ୍ଷ୍ଟାଣ୍ଡ ଅଞ୍ଚଳ ବୁଲି ଦେଖିଥିଲେ । ମୁଖ୍ୟତଃ ଏସ୍ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ କାର୍ଯ୍ୟ ଜୋରଦାର ଚାଲିଛି । ସହରକୁ ଅବରୋଧମୁକ୍ତ ରଖିବା ସହିତ କଟକ ସହରକୁ ନୂଆ ଚେହେରା ଦେବା ପାଇଁ ସରକାର ବିଭିନ୍ନ ଯୋଜନାମାନ ଆରମ୍ଭ କରିଛନ୍ତି । ତାଳଦଣ୍ଡା କେନାଲ ବନ୍ଧ ସୋ÷ନ୍ଦର୍ଯ୍ୟକରଣ ପରେ ଏବେ ଛତ୍ରବଜାର ନିକଟରେ କାର୍ଯ୍ୟ ଜାରି ରହିଛି । ଏସସିବି ମେଡିକାଲ ପାଇଁ ମହାନଦୀ ରିଂବନ୍ଧ(ବୋସ୍ଗଡା) ନିକଟରୁ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ଅଞ୍ଚଳକୁ ମେଡିକାଲ ହବ୍ କରାଯିବ । ତେଣୁ ଏହାର ସଂଲଗ୍ନ ଅଞ୍ଚଳରେ ଯେଭଳି ଭିଡ ଲାଗି ନ ରୁହେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇଛନ୍ତି । ବାଦାମବାଡି ବସ୍ଷ୍ଟାଣ୍ଡ ପାଇଁ ଲିଙ୍କରୋଡରୁ ବାଦାମବାଡି ଓ ବାଦାମବାଡିରୁ ରାଣୀହାଟ ଅଞ୍ଚଳ ସହିତ ବାଦାମବାଡିରୁ ଖାନନଗର ଟ୍ରାଫିକ(ମଲାଚଣ୍ଡିଆ ଛକ) ଆଦି ଅଞ୍ଚଳ ଦିନ ତମାମ ଭିଡ ରହିଥାଏ । ମାତ୍ର ବସ୍ଷ୍ଟାଣ୍ଡକୁ ବାଦାମବାଡ଼ିରୁ ଖାନନଗରକୁ ସ୍ଥାନାନ୍ତର କରାଯିବା ପରେ ଏହି ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି ।


Comments are closed, but trackbacks and pingbacks are open.