ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପିଆଜ ଦର କମିବାର ନାଁ ନେଉନି । ଗତକାଲି ଭୁବନେଶ୍ୱରରେ ପିଆଜର ହୋଲସେଲ୍ ଦର ୪୨ଟଙ୍କା ଥିଲା । ଆଜି ଏହା ୩୮ଟଙ୍କାକୁ କମିଛି । କିନ୍ତୁ ଖୁଚୁରା ବଜାରରେ ଦର କମିବା ବଦଳରେ ବଢ଼ି ଚାଲିଛି । ୫୦ରୁ ୫୫ଟଙ୍କାରେ ବିକ୍ରି ହେଉଛି । ତଥାପି ଯୋଗାଣ ବିଭାଗ ଅଚିନ୍ତା ହୋଇରହିଛି ।
ପିଆଜର ବେଲଗାମ ଦରକୁ ନେଇ ବିଜେପି ରାଜ୍ୟ ସରକାର ଓ ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଉନାହାନ୍ତି । ଆସନ୍ତା ଦୀପାବଳି ଯାଏ ପିଆଜ ଦର ଉଚ୍ଚା ରହିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତି ଦେଇଛନ୍ତି । ଏହା କଳାବଜାରୀଙ୍କୁ ପ୍ରୋତ୍ସାହନ ଦେବା ଭଳି ବିବୃତି । ଏହା ସିଧାସଳଖ ଅସାଧୁ ବେପାରୀ ଓ କଳାବଜାରୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀମହାନ୍ତି କହିଛନ୍ତି ।
ସେପଟେ ଦିଲ୍ଲୀ ସରକାର ଲୋକଙ୍କୁ ମହଙ୍ଗା ମାଡ଼ରୁ ବଞ୍ଚାଇବାକୁ ମୋବାଇଲ୍ ଭ୍ୟାନ୍ ବୁଲାଇ ୨୪ଟଙ୍କାରେ ପିଆଜ ବିକୁଛନ୍ତି । କିନ୍ତୁ ଆମ ରାଜ୍ୟରେ ବର୍ଦ୍ଧିତ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ ଏ ଯାଏ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇନି । କେନ୍ଦ୍ର ସରକାରଙ୍କ ପ୍ରାଇସ୍ ଷ୍ଟାବିଲିଟି ଫଣ୍ଡ୍ର ଉପଯୋଗ କରି ରାଜ୍ୟ ସରକାର ପିଆଜ ଦର ଉପରେ ନିୟନ୍ତ୍ରଣ ଆଣିବେ ବୋଲି ଯୋଜନା କରିଥିଲେ । ଯୋଗାଣ ସଚିବ ଦିଲ୍ଲୀ ଯାଇ ନାଫେଡ୍ ଦେଉଥିବା ପିଆଜର ମାନ ପରଖିଥିଲେ । କିନ୍ତୁ ସେ ଦିଗରେ ଆଉ କିଛି ଆଗେଇ ନାହାନ୍ତି । ଅତୀତରେ ପିଆଜର ମହଙ୍ଗା ମାଡ଼ରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ମୈତ୍ରୀ ଷ୍ଟୋର୍ ଖୋଲି ଶସ୍ତାରେ ପିଆଜ ବିକିଥିଲେ । କିନ୍ତୁ ଏବେ ପୂରା ବେପରୁଆ ହୋଇ ବସିଛନ୍ତି ।
ସରକାରଙ୍କ ଏଭଳି ବେପରୁଆ ମନୋଭାବ ଅସାଧୁ ବ୍ୟବସାୟୀଙ୍କୁ ସୁହାଉଛି । ଆଗ୍ମାର୍କ ନେଟ୍ରେ ଦୈନିକ ପିଆଜ ଦରର ପ୍ରଦତ୍ତ ତଥ୍ୟ ଅନୁସାରେ, ନାସିକ୍ରେ ଆଜି ପିଆଜ କୁଇଣ୍ଟାଲ (ହୋଲସେଲ ଦର) ୩୫୫୦ଟଙ୍କା ଥିଲା । ଲାସୋଲଗାଁଓ ନିଫାଡ୍ରେ ୩ହଜାର ଓ ଆନ୍ଧ୍ରପ୍ରଦେଶର କର୍ଣ୍ଣୋଲରେ ୨୭୪୦ଟଙ୍କାରେ ବିକ୍ରି ହୋଇଛି । ବେଙ୍ଗାଲୁରୁରେ ପିଆଜ ଦର କମିଛି । କୁଇଣ୍ଟାଲ ୩୦୫୦ଟଙ୍କାରେ ବିକ୍ରି ହୋଇଛି ।
ଭୁବନେଶ୍ୱରର କୁବେରପୁରୀ ମଣ୍ଡିରେ ପିଆଜ ହୋଲସେଲ୍ ଦର ୩୫ରୁ ୩୮ଟଙ୍କାରେ ବିକ୍ରି ହେଉଛି ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି । ଖୁଚୁରା ବେପାରୀ ହୋଲସେଲ୍ ଦରଠାରୁ ଅତିବେଶିରେ ୪ଟଙ୍କା ଅଧିକରେ ବିକ୍ରି କରିପାରିବେ । କିନ୍ତୁ ଅସାଧୁ ଭାବେ ପିଆଜର ଦର ବଢ଼ାଇ ୫୦ରୁ ୫୫ଟଙ୍କାରେ ବିକୁଛନ୍ତି । ରାଜଧାନୀର ଖଣ୍ଡଗିରି, ଜାଗମରା, ଗଙ୍ଗନଗର, ବରମୁଣ୍ଡା ଭଳି ସ୍ଥାନରେ ପିଆଜ ୫୫ଟଙ୍କାରେ ବିକ୍ରି ହେଉଛି । କେନ୍ଦ୍ରାପଡ଼ାର ଛତା କୃଷକ ବଜାରରେ ପିଆଜ ୫୫ଟଙ୍କାରେ ବିକ୍ରି ହୋଇଛି । ବୌଦ୍ଧରେ ପିଆଜ କିଲୋ ୬୦ଟଙ୍କାରେ ବିକ୍ରି ହେଉଛି । ରାଜ୍ୟର ଅନ୍ୟ ଆଡେ ବି ସମାନ ଅବସ୍ଥା ।
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ପୁଣି ଆଶ୍ୱାସନା ଦେଇଛନ୍ତି । ସରକାର ପିଆଜର ଲ୍ୟାଣ୍ଡିଂ କଷ୍ଟ୍ କମାଇବାକୁ ପଦକ୍ଷେପ ନେଉଛନ୍ତି । ଯୋଗାଣ ସଚିବ ଦିଲ୍ଲୀରୁ ଫେରିବା ପରେ ଖୁବଶୀଘ୍ର ଏ ନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
କିନ୍ତୁ ଯୋଗାଣ ମନ୍ତ୍ରୀଙ୍କ ଏହି ଆଶ୍ୱାସନା ଉପରେ ଲୋକେ ଆଉ ଭରସା କରି ପାରୁନାହାନ୍ତି । ପିଆଜର ଏଭଳି ଦର ବୃଦ୍ଧି ପ୍ରଥମ ନୁହେଁ । ପ୍ରତି ବର୍ଷ ଏହି ସମସ୍ୟା ହେଉଛି । ଲୋକେ ପିଆଜର ବେଲଗାମ ଦର ଦାଉରେ ଛଟପଟ ହେଉଛନ୍ତି । ଗରିବ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳରେ ଚଡ଼କ ପଡ଼ିଛି । ହୋଟେଲ ଓ ଫାଷ୍ଟଫୁଡ୍ ବ୍ୟବସାୟୀ ପ୍ରଭାବିତ ହେଉଛନ୍ତି ।
ସରକାର ପିଆଜ ମିଶନ୍ କରି ପିଆଜର ନିଅଣ୍ଟିଆ ସ୍ଥିତିରେ ସୁଧାର ଆଣିବେ ବୋଲି ୨୦୧୫ରେ ଘୋଷଣା କରିଥିଲେ । ଏଥିପାଇଁ ବିସ୍ତୃତ ଯୋଜନା ହୋଇଥିଲା । ରାଜ୍ୟରେ ଉପôାଦିତ ପିଆଜ ମହଜୁଦ ପାଇଁ ନ୍ୟାସନାଲ ହର୍ଟିକଲଚର ମିଶନ ମାଧ୍ୟମରେ ଶୀତଳ ଭଣ୍ଡାର ପାଇଁ ସବ୍ସିଡି ଦେବାକୁ ଘୋଷଣା ହୋଇଥିଲା । ଲକ୍ଷେ ଟଙ୍କା ଯାଏ ସବ୍ସିଡି ଦେବାକୁ ନିଷ୍ପତ୍ତି ହେଲା । ୬୦ହଜାର ହେକ୍ଟରରେ ପିଆଜ ଚାଷ କରିବାକୁ ରୂପରେଖ ତିଆରି ହେଲା । କିନ୍ତୁ ଏସବୁ ଯୋଜନା ସେମିତି ଯୋଜନାରେ ଅଟକି ଯାଇଛି । ପିଆଜ ମିଶନ ଏବେ ଉଭେଇ ଯାଇଛି ।
ଖୋଦ୍ ବିଧାନସଭାର ତଥ୍ୟ କହୁଛି, ରାଜ୍ୟରେ ବର୍ଷକୁ ପିଆଜ ଆବଶ୍ୟକତା ୩.୪୦ମେଟ୍ରିକ ଟନ୍ । କିନ୍ତୁ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ଉପôାଦନ ହେଉଛି । ପ୍ରାୟ ୩.୮୫ମେଟ୍ରିକ ଟନ୍ ପିଆଜ ଉପôାଦନ ହେଉଛି । ବଲାଙ୍ଗୀର ଓ ନୂଆପଡ଼ା ଭଳି ଅଞ୍ଚଳରେ ଅଧିକ ପରିମାଣରେ ପିଆଜ ଉପôାଦନ ହୁଏ । କିନ୍ତୁ ଯୋଗାଣ ବିଭାଗର ଅପାରଗତା ପାଇଁ ଚାଷୀମାନେ ଗତ ମାସରେ ପିଆଜକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ । ବଲାଙ୍ଗୀର ଓ ନୂଆପଡ଼ା ଚାଷୀ କିଲୋ ପିଛା ୬ଟଙ୍କାରେ ପିଆଜ ବିକ୍ରି କଲେ । ପଡେ଼ାଶୀ ରାଜ୍ୟର ବ୍ୟବସାୟୀ ଏହାକୁ କିଣି ନେଇ ସେଠାକାର ଶୀତଳ ଭଣ୍ଡାରରେ ରଖିଲେ । କିନ୍ତୁ ଆମ ରାଜ୍ୟରେ ଶୀତଳ ଭଣ୍ଡାର କଥା ନ କହିବା ଭଲ । ୨୦୧୫ସୁଦ୍ଧା ରାଜ୍ୟରେ ୧୩୬ଟି ଶୀତଳ ଭଣ୍ଡାର ଥିଲା । କିନ୍ତୁ ଏବେ ଏଥିରୁ ଅଧିକାଂଶ ବନ୍ଦ ହୋଇଗଲାଣି । ସଂରକ୍ଷଣ ଅଭାବରୁ ପିଆଜ ମହଜୁଦ ହୋଇପାରୁନି । ଯେଉଁ କିଛି ସ୍ଥାନରେ ଶୀତଳ ଭଣ୍ଡାର ଅଛି ତାହା ଚାଷୀଙ୍କ ପାଇଁ ଉପଯୋଗୀ ହେଉନି । ସରକାରୀ ପ୍ରୋତ୍ସାହନ ଓ ଦୂରଦୃଷ୍ଟି ଅଭାବରୁ ରାଜ୍ୟର ପିଆଜ ମିଶନ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଆଉ ରାଜ୍ୟବାସୀ ଏବେ ଏହାର ପରିଣାମ ମହଙ୍ଗା ମାଡ଼ ଭାବେ ପାଉଛନ୍ତି ।
Comments are closed, but trackbacks and pingbacks are open.