ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ (ସଂଶୋଧିତ)- ୨୦୧୯ । ଟ୍ରାଫିକ୍ ନିୟମ ଭାଙ୍ଗିଲେ ଆଉ ବରଦାସ୍ତ କରାଯିବନି । ପୂର୍ବାପେକ୍ଷା ୫ରୁ ୧୦ ଗୁଣ ଅଧିକ ଜରିମାନା ଗଣିବାକୁ ପଡ଼ିବ । ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏ ଦିଗରେ ଆଉ ପାଦେ ଆଗେଇବା ପାଇଁ ଖୁବଶୀଘ୍ର ରାଜ୍ୟର ସବୁ ଥାନାକୁ ଇ-ଚାଲାଣ ମେସିନ୍ ଯୋଗାଇ ଦିଆଯିବ । ନୂଆ ମୋଟରଯାନ ଆଇନ୍ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ଏବେ ଅଣ୍ଟା ଭିଡ଼ିଛି । ଏ ସଂକ୍ରାନ୍ତରେ ଲୋକସଭା ସଦନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ପରିବହନ ବିଭାଗର ପ୍ରମୁଖ ସଚିବ ଜି.ଶ୍ରୀନିବାସ କହିଛନ୍ତି, ଦିନେ ଦୁଇଦିନ ଭିତରେ କେନ୍ଦ୍ର ସରକାର ଏହି ଆଇନ୍ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରିବା ସମ୍ଭାବନା ଅଛି । ବିଜ୍ଞପ୍ତି ଜାରି ହେବା ପରେ ଏହାକୁ ଲାଗୁ କରିବା ପାଇଁ ପୁଲିସକୁ କୁହାଯିବ । ପରିବହନ ବିଭାଗ ଭଳି ପୁଲିସ ମଧ୍ୟ ସଂଶୋଧିତ ଆଇନ୍ ଅନୁଯାୟୀ ଟ୍ରାଫିକ ଓ ପରିବହନ ନିୟମ ଭଙ୍ଗ କରୁଥିବା ଗାଡ଼ିମଟରଠାରୁ ଜରିମାନା ଆଦାୟ କରିବ । ଶ୍ରୀନିବାସଙ୍କ କହିବାନୁଯାୟୀ ପରିବହନ ବିଭାଗ ଭଳି ପୁଲିସ ବିଭାଗ ମଧ୍ୟ ଏଣିକି ସମ୍ପୂର୍ଣ୍ଣ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବେ । ଏ ଦିଗରେ ଅର୍ଥ ବିଭାଗ ଓ ଗୃହ ବିଭାଗ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ସବୁ ଥାନାକୁ ଇ-ଚାଲାଣ ମେସିନ୍ ଯୋଗାଇ ଦିଆଯିବ । ଆସନ୍ତା ୧୫ରୁ ୨୦ ଦିନ ଭିତରେ ଥାନାଗୁଡ଼ିକୁ ଇ-ଚାଲାଣ ମେସିନ୍ ଦିଆଯିବ । ରାଜ୍ୟରେ ପ୍ରାୟ ୬୦୦ ଥାନା ରହିଛି । ବର୍ତ୍ତମାନ ସୁଦ୍ଧା କେବଳ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର, କଟକରେ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇପାରିଛି । ସୂଚନାଯୋଗ୍ୟ, ନୂଆ ମୋଟର ଯାନ ଆଇନରେ ଟ୍ରାଫିକ ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୫ରୁ ୧୦ ଗୁଣ ଅଧିକ ଜରିମାନା ଗଣିବାକୁ ହେବ । ସେପ୍ଟେମ୍ବର ପହିଲାରୁ ଡ୍ରାଇଭିଂ ଲାଇସେନ୍ସ ନଥିଲେ ୫୦୦ ଟଙ୍କା ବଦଳରେ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ । ନିଶା ଶକ୍ତ ହୋଇ ଗାଡ଼ି ଚଳାଉଥିଲେ ୨ ହଜାର ବଦଳରେ ୧୦ ହଜାର ଟଙ୍କା, ଦ୍ରୁତ ଗାଡ଼ି ଚାଳନା ପାଇଁ ୫ଶହ ଟଙ୍କା ବଦଳରେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ସେହିପରି ସିଲ୍ଟ ବେଲ୍ଟ ପିନ୍ଧି ନଥିଲେ ପୂର୍ବରୁ ମାତ୍ର ଶହେ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ଏଣିକି ୧ ହଜାର ଟଙ୍କା ଦେବାକୁ ହେବ । ଦୁଇ ଚକିଆ ଯାନରେ ୨ରୁ ଅଧିକ ଲୋକେ ଯାତ୍ରା କଲେ ମାତ୍ର ଶହେ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ଏଣିକି ଏଥିପାଇଁ ୨ ହଜାର ଟଙ୍କା ଦେବାକୁ ହେବ । ଖାଲି ସେତିକି ନୁହେଁ, ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ୍ କରାଯିବ ।
Comments are closed, but trackbacks and pingbacks are open.