ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଙ୍କରେ ଜମା ରଖିଥିବା ଭାରତୀୟ ଜମାକାରୀ ଆଉ ବେଶି ସମୟ ନିଜକୁ ଗୋପନ ରଖିପାରିବେନି। ଭାରତ ସରକାର ଇତିମଧ୍ୟରେ ଜମାକାରୀଙ୍କ ତଦନ୍ତ ନିର୍ଦ୍ଦେଶ ଦେଇସାରିଥିବା ବେଳେ ଭାରତୀୟ ତଦନ୍ତକାରୀ ଅଧିକାରୀ ଏଭଳି ଜମାକାରୀଙ୍କ ଖୋଳତାଡ କରୁଛନ୍ତି। ଏଥିରେ ମହାରାଷ୍ଟ୍ର ସାଙ୍ଗଲୀର ପୂର୍ବତନ ରିଆସତଦାର ପରିବାରର ୨ ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଲାଗି ତଦନ୍ତକାରୀ ଅଧିକାରୀମାନେ ସ୍ୱିସ୍ ବ୍ୟାଙ୍କକୁ ନିବେଦନ କରିଛନ୍ତି।
ତଦନ୍ତକାରୀ ଅଧିକାରୀଙ୍କ ନିବେଦନର ଫଳାଫଳ ମଧ୍ୟ ମିଳିଲାଣି। ସ୍ୱିସ୍ ବ୍ୟାଙ୍କ ସାର୍ବଜନିକ ନୋଟିସ ଜାରି କରି ସାଙ୍ଗଲୀର ପୂର୍ବ ରାଜପରିବାରଙ୍କ ୨ ସଦସ୍ୟ ବିଜୟ ସିଂହ ମାଧବ ରାଓ ପଟବର୍ଦ୍ଧନ ଓ ତାଙ୍କ ପତ୍ନୀ ରୋହିଣୀ ବିଜୟ ସିଂହ ପଟବର୍ଦ୍ଧନଙ୍କୁ ନୋଟିସ ଜାରୀ କରିଛନ୍ତି। ଭାରତ ସରକାର ସେମାନଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ମାଗୁଥିବାର ସେମାନଙ୍କୁ ଜଣାଇ ଦେଇଥିବା ବେଳେ ଏଥିରେ ସେମାନଙ୍କର ଯଦି କୌଣସି ଆପତ୍ତି ଥାଏ ତେବେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଜଣାଇବାକୁ ସୂଚିତ କରିଛନ୍ତି।
ତେବେ ପଟବର୍ଦ୍ଧନ ଦମ୍ପତ୍ତି ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିବା ବେଳେ ଫିଲ୍ମ ଅଭିନେତ୍ରୀ ଭାଗ୍ୟ ଶ୍ରୀ ସେମାନଙ୍କ ଉତ୍ତରାଧିକାରୀ ବୋଲି ଜଣାପଡିଛି। ଯଦି ଜମାକାରୀଙ୍କର କୌଣସି ଆପତ୍ତି ଥାଏ ତେବେ ପ୍ରତିନିଧିଙ୍କ ମାଧ୍ୟମରେ ୧୦ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ବ୍ୟାଙ୍କ ଜାରି କରିଥିବା ଅଧିସୂଚନାରେ ପଟବର୍ଦ୍ଧନ ଦମ୍ପତ୍ତିଙ୍କ ନାମ ଓ ସେମାନଙ୍କ ଜନ୍ମ ତିଥି ବ୍ୟତୀତ ଅନ୍ୟ କିଛି ପ୍ରଦାନ କରାଯାଇ ନାହିଁ। ତେବେ ଏ ସମ୍ପର୍କରେ ପଟବର୍ଦ୍ଧନ ପରିବାର ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ସେମାନଙ୍କ ପ୍ରତିନିଧି ନିଯୁକ୍ତି ନେଇ କୌଣସି ସୂଚନା ଦେଇନାହାନ୍ତି।
Comments are closed, but trackbacks and pingbacks are open.