ନବରଙ୍ଗପୁର: ଝଡ଼ ତୋଫାନରେ ଆମ୍ବ ଗଛ ଭାଙ୍ଗି ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ ଛକ ଅବରୋଧ ହୋଇଯାଇଥିଲା । କାର୍ଯ୍ୟାଳୟକୁ ଯିବା ରାସ୍ତାରେ ଆମ୍ବ ଗଛ ପଡ଼ିବାରୁ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ନବରଙ୍ଗପୁରଠାରୁ ତେନ୍ତୁଳିଖୁଣ୍ଟିକୁ ସଂଯୋଗ କରୁଥିବା ଏହି ଛକରେ ବିଶାଳକାୟ ଆମ୍ବଗଛ ଲୋଟି ପଡ଼ିଥିଲା । ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ନବରଙ୍ଗପୁର ଅଗ୍ନିଶମ ବିଭାଗ କର୍ମଚାରୀ ଗଛକୁ କାଟି ରାସ୍ତା ଉପରୁ ଗଛକୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସେହିଭଳି ବିଦୁ୍ୟତ୍ ବିଭାଗ କର୍ମଚାରୀମାନେ ଗଛ ପଡ଼ି ଛିଣ୍ଡି ଯାଇଥିବା ବିଦୁ୍ୟତ୍ ତାରକୁ ତୁରନ୍ତ ମରାମତି କରିଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଷ୍ଟ୍ରିଟ୍ଲାଇଟ୍ ସଜାଡ଼ିବା କାର୍ଯ୍ୟ ନିରୀକ୍ଷଣ କରିଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ନବରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ସହ ବୃଷ୍ଟିପାତ ହୋଇଥିଲା । ଏହି ସମୟରେ ଉକ୍ତ ଆମ୍ବ ଗଛ ଭାଙ୍ଗିଯାଇଥିଲା । ଏଥିରେ କୌଣସି ଧନ ଜୀବନ ହାନି ଘଟି ନ ଥିବା ସୂଚନା ମିଳିଛି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.